ଛତିଶଗଡରେ ପ୍ରଶିକ୍ଷଣ ଦେଉଛନ୍ତି ଓଡ଼ିଆ ଛତୁ ଉଦ୍ୟୋଗୀ ସନ୍ତୋଷ ମିଶ୍ର

ପିପିଲି: ଛତିଶଗଡ ରାଜ୍ୟର ରାୟଗଡ ଜିଲା ଅନ୍ତର୍ଗତ ତମନାର ବ୍ଲକରେ ଥିବା ଜିନ୍ଦଲ ପାୱାର ପ୍ଲାଣ୍ଟ ପରିସରରେ ଏକ ଚାରି ଦିନିଆ ଛତୁ ଉଦ୍ୟୋଗ ଭିତ୍ତିକ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏଥିରେ ପଚିଶ ଜଣ ମହିଳା ଛତୁ ଚାଷୀ ଯୋଗଦେଇ ବିଭିନ୍ନ ପ୍ରକାର ଛତୁ କିପରି ଭିନ୍ନ ଭିନ୍ନ ଋତୁରେ ଉତ୍ପାଦନ ହୋଇପାରିବ, ସେ ସମ୍ପର୍କରେ ବିଷଦ ଭାବରେ ଜ୍ଞାନ ଆହରଣ କରୁଛନ୍ତି। ୨୦୧୩ ମସିହାରେ ଜିନ୍ଦଲ ପାୱାର ପ୍ଲାଣ୍ଟ ତାର ସାମାଜିକ ଉତ୍ତର ଦାୟିତ୍ୱ ପ୍ରକଳ୍ପ ମାଧ୍ୟମରେ ଛତୁ ଉଦ୍ୟୋଗକୁ ସାମିଲ କରିଥିଲା। ସେହି ସମୟରେ ଏହି କାର୍ଯ୍ୟକ୍ରମକୁ ଓଡିଶାର ଛତୁ ଉଦ୍ୟୋଗୀ ତଥା ପିପିଲି ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ସନ୍ତୋଷ ମିଶ୍ର ପ୍ରଶିକ୍ଷଣ ଦେଇ ପ୍ରାରମ୍ଭ କରିଥିଲେ। ତାଙ୍କରି ଉଦ୍ୟମ ଫଳରେ ଆଜି ଜିନ୍ଦଲ ପରିସରରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର, ଛତୁ ପ୍ରକ୍ରିୟାକରଣ କେନ୍ଦ୍ର ସହିତ ଏକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇପାରିଛି। ଏହି କେନ୍ଦ୍ର ଅଧୀନରେ ପ୍ରାୟ ପଚାଶଟି ଗାଁର ମହିଳାମାନେ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହି କର୍ମଶାଳାରେ ନୂତନ ଭାବରେ ଦୁଗ୍ଧ ଛତୁ ଚାଷ କିପରି ଏଠାକାର ଜଳବାୟୁରେ ସଫଳତାର ସହ ଉତ୍ପାଦନ ହୋଇପାରିବ ସେ ବିଷୟରେ ଆଲୋଚନା ଓ ପ୍ରୟୋଗତ୍ମକ କାର୍ଯ୍ୟକ୍ରମ ଏହି ଚାରିଦିନ ଧରି ଚାଲିବ ବୋଲି ସୂଚନା ମିଳିଛି। ହି କାର୍ଯ୍ୟକ୍ରମକୁ ଜିନ୍ଦଲ କମ୍ପାନୀ ସାମାଜିକ ଉତ୍ତର ଦାୟିତ୍ୱ ବିଭାଗ ପ୍ରାୟୋଜିତ କରୁଥିବା ବେଳେ ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ସ୍ଥିତ କଳିଙ୍ଗ ଛତୁ ଉଦ୍ୟୋଗର ସତ୍ବାଧୀକାରୀ ସନ୍ତୋଷ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

Comments are closed.