ପବ୍ଲିକ ସେକ୍ଟର କର୍ମଚାରୀ ମହାସଂଘ ପକ୍ଷରୁ ଜାତୀୟ ସମ୍ମିଳନୀ

ପିପିଲି: ଭାରତୀୟ ମଜଦୁର ମହାସଂଘ ଆନୁକୂଲ୍ୟରେ ପବ୍ଲିକ ସେକ୍ଟର କର୍ମଚାରୀ ମହାସଂଘ ପକ୍ଷରୁ ପିପିଲି ସ୍ଥିତ ଏକ ଘରୋଇ ହୋଟେଲ ପରିସରରେ ୧୫ତମ ତ୍ରୟବାର୍ଷିକ ଜାତୀୟ ସମ୍ମିଳନୀ ଶନିବାର ଉଦ୍‌‌ଘାଟିତ ହୋଇଯାଇଛି। ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗରେ ଦରମା ନିର୍ଦ୍ଧାରଣ ପାଇଁ ସ୍ୱତନ୍ତ୍ର ନୀତି, ନିୟମାବଳୀ ଲାଗୁ କରିବା, ରାଷ୍ଟ୍ରାୟତ ଉଦ୍ୟୋଗରେ ଆବଶ୍ୟକ ଅନୁଯାୟୀ ନିଯୁକ୍ତି ଓ ପେନ୍‌‌ସନ ବ୍ୟବସ୍ଥା କରାଯିବା, ଠିକା ପ୍ରଥାକୁ ସମାପ୍ତ କରିବା ଉପରେ ଏହି ସମ୍ମିଳନୀରେ ବିଶେଷ ଚର୍ଚ୍ଚା କରାଯିବା ସହ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଥିଲା।

କେନ୍ଦ୍ର ଭାରି ଉଦ୍ୟୋଗ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜାତୀୟ ସମ୍ମିଳନୀକୁ ଉଦ୍‌‌ଘାଟନ କରିଥିଲେ। କର୍ମଚାରୀମାନେ କିଭଳି ନିଜର ସୁରକ୍ଷା ସହିତ ଅନ୍ୟର ସୁରକ୍ଷା ପ୍ରତି ଦାୟିତ୍ୱବାନ ରହିବେ ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ କେନ୍ଦ୍ର ସରକାର ଓଡ଼ିଶାକୁ କାର୍ଯ୍ୟ କ୍ରିୟାନ୍ୱୟନର ପ୍ରୟୋଗଶାଳା କରିବା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କର୍ମଚାରୀଙ୍କ ସମସ୍ତ ସମସ୍ୟାକୁ ବିଚାର କରାଯାଇ ସେସବୁର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଭାରତୀୟ ମଜଦୁର ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ହିରଣ୍ୟମୟ ପାଣ୍ଡିଆ, ରାଜ୍ୟ ଉଦ୍ୟୋଗ କର୍ମଚାରୀ ମହାସଂଘର ରାଜ୍ୟ ସଂପାଦକ ପୃଥ୍ୱୀରାଜ ପଣ୍ଡା, ଭାରତୀୟ ମଜଦୁର ମହାସଂଘର ସଂଗଠନ ମନ୍ତ୍ରୀ ଗଣେଶ ମିଶ୍ର, ପ୍ରଭାରୀ ସୁନାକରି ମାଲେସମ ଓ ରାମନାଥ ଗଣେଶ ପ୍ରମୁଖ ଯୋଗଦେଇ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ଠାରେ ଦାବି ରଖିଥିଲେ। ଫେଡେରେସନ୍‌‌ ର ସଂଗଠନ ସଂପାଦକ ଗୋପାଳକୃଷ୍ଣ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଫେଡେରେସନ୍‌‌ର ମହାମନ୍ତ୍ରୀ ଭେଙ୍ଗଲ ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆନା, ଝାଡଖଣ୍ଡ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ନୂଆଦିଲ୍ଲୀ ସମେତ ୨୨ଟି ରାଜ୍ୟରୁ ବିଭିନ୍ନ ସଂସ୍ଥାର କର୍ମଚାରୀମାନେ ଯୋଗଦେଇଛନ୍ତି। ରବିବାର ଏହାର ଉଦ୍‌‌ଯାପନୀ ହେବାକୁ ଥିବାବେଳେ ପବ୍ଲିକ ସେକ୍ଟର କର୍ମଚାରୀ ମହାସଂଘର ସଚ୍ଚିକାନ୍ତ ଗଡ଼଼ନାୟକ, ବୈକୁଣ୍ଠ ଦାସ, ସବ୍ୟସାଚୀ ମହାରଣା, ସତ୍ୟବ୍ରତ ପରିଡ଼ା, ପାର୍ଥସାରଥୀ ମହାନ୍ତି, ବିଶ୍ୱଜିତ ପଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.