ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଷ୍ଟ୍ରବେରୀ ଚାଷୀ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝର ପ୍ରୋତ୍ସାହନରେ ଜୈବିକ ପଦ୍ଧତିରେ ହରିଚନ୍ଦନପୁର ବ୍ଲକରେ ବିଭିନ୍ନ କ୍ଲଷ୍ଟରରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି। ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟକୁ ଉଦଘାଟନ କରିବାକୁ ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଷ୍ଟ୍ରବେରୀ ଚାଷୀ ଭେଟି ନିଜ ପ୍ରଥମ ଅମଳକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଆକାରରେ ପ୍ରଦାନ କରିଛନ୍ତି। ବଜାରରେ ବିକ୍ରିଯୋଗ୍ୟ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଛି ଓ ବିକ୍ରୟ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ଷ୍ଟଲକୁ ପ୍ରେରଣ କରାଯାଇଛି। ଏହା ମାଧ୍ୟମରେ ଅନେକ ଆଦିବାସୀ ମହିଳା ଚାଷୀଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯିବା ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଏହାକୁ ବ୍ୟାପକ ପରିମାଣରେ କେନ୍ଦୁଝର ଜିଲାରେ ଚାଷ କରିବାକୁ ଚାଷୀଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ବିଶାଲ ସିଂହ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ର, ପ୍ରକଳ୍ପ ପ୍ରବନ୍ଧକ ସଚ୍ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟ୍ରବେରୀ ଚାଷୀଙ୍କୁ ଅଧିକ ପରିମାଣରେ ଚାଷ କରି ଲାଭାନ୍ୱିତ ହେବାକୁ ପ୍ରବର୍ତ୍ତାଇବା ସହ ଚାଷୀ ମାନଙ୍କର ଏଭଳି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।
Comments are closed.