ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା – ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଅନିୟମିତତା

ରେଙ୍ଗାଲିକ୍ୟାମ୍ପ: ରାସ୍ତା ନିର୍ମାଣ ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ଆସୁଥିବା ବେଳେ ନିମ୍ନ ମାନର କାମ ଯୋଗୁ ଅଳ୍ପ ଦିନରେ ରାସ୍ତାର ଅବସ୍ଥା ଖରାପ ହେଉଛି। ଅତାବିରା ଟେଲିଫୋନ ଛକ ଠାରୁ ପାହାର ଶ୍ରିଗିଡ଼ା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୧୪.୫୩ କିମି ଦୈର୍ଘ୍ୟ ବିଶିଷ୍ଟ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତା। ଏହି ରାସ୍ତାର ନିର୍ମାଣ ପାଇଁ ୯୯୦.୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରହିଥିଲା। ଏହାର ନିର୍ମାଣ କାର୍ଯ୍ୟ ୨୦୨୩ରେ ସମ୍ପନ୍ନ ହୋଇଥିଲା। ମାତ୍ର ନିର୍ମାଣ କାମ ନିମ୍ନ ମାନର ଓ ନିର୍ମାଣ ପରେ ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବରେ ହେଉ ନଥିବାରୁ ରାସ୍ତାଟି ଅନେକ ସ୍ଥାନରେ ଦବିଯାଇ ଖାଲ ହୋଇଯାଉଛି। ଅନେକ ସ୍ଥାନରେ ବର୍ଷାଦିନେ ପାଣି ଜମି ରହୁଛି। ରାସ୍ତାର ଦୁଇ ପାର୍ଶ୍ଵରେ ଘାସ ଡାଳପତ୍ର ଆଦି ସଫା ହେଉ ନଥିବାରୁ ତାହା ଝଙ୍କାଳିଆ ହୋଇ ବଡ ବଡ଼ ଗାଡ଼ି ଗୁଡ଼ିକ ଓଭର ଟେକ କରିବାରେ ଅସୁବିଧା ହେଉଛି। ଏହି ରାସ୍ତାର ରେଲୱେ ଲାଇନରୁ ଆଗକୁ ମାତ୍ର ୪୦୦ ମିଟର ଦୂରରେ ଥିବା କଲଭଟର ଗୋଟିଏ ପାର୍ଶ୍ୱରେ ଦୁଇଟି ଗର୍ତ୍ତ ସୃଷ୍ଟି ହୋଇ ବିପଦକୁ ଆମନ୍ତ୍ରଣ କରୁଛି। ଏସବୁ ମରାମତି ପାଇଁ ୫୦.୭୬ ଲକ୍ଷ ଟଙ୍କା ଆସୁଛି। ହେଲେ ସଠିକ ଢଙ୍ଗରେ କାମ ନ ହେବାରୁ ଏଭଳି ସ୍ଥିତି ହୋଇଥିବା ଜଣାପଡିଛି।
Comments are closed.