ବାର୍ଷିକ ଉତ୍ସବ ‘ଏକ୍ସଟାସି’ ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଏନ୍ ଏ ସି ସ୍ଥିତ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରମ ଆନନ୍ଦମୟ ଭବିଷ୍ୟତ ବିଷୟବସ୍ତୁକୁ କେନ୍ଦ୍ର କରି ଛାତ୍ରଛାତ୍ରୀ ମାନଙ୍କ ଖୁସି ଓ ବିକାଶ ଲକ୍ଷ୍ୟରେ ତା’ର ବାର୍ଷିକ ଉତ୍ସବ ‘ଏକ୍ସଟାସି’ ପାଳିତ ହୋଇଛି। ସ୍କୁଲର ନିର୍ଦ୍ଦେଶକ ବିଦ୍ୟୁତ୍ ଦାଶଙ୍କ ଅଧ୍ୟକ୍ଷତାରେ ଓ ସ୍କୁଲ୍ ଏକାଡେମୀ ନିର୍ଦ୍ଦେଶକ ଆସିସା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବରଗଡ଼ ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନମୋହନ ତ୍ରିପାଠୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସୁମିଶ୍ମିତା ବାରିକ୍ ଓ ସାଥୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ମିତା ଦାଶ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ଜ୍ୟୋତି ପ୍ରଧାନ ବାର୍ଷିକ ବିବରଣୀ ପଠନ ପୂର୍ବକ ସ୍କୁଲର ଗର୍ବ, ଗୌରବ ଓ ପ୍ରତିଷ୍ଠାକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। କେବଳ ପରୀକ୍ଷାରେ ଉଚ୍ଚ ଶତକଡା ନମ୍ୱର୍ ରଖି ପାସ କରିବା ଶିକ୍ଷାର ଆଭିମୁଖ୍ୟ ନ ହୋଇ ପିଲାମାନଙ୍କ ଅଭିରୁଚି ଅନୁସାରେ ତାଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିବା, ତାଙ୍କ ପାଇଁ ସେଇ ସୁଯୋଗ ପ୍ରଦାନ କରିବା ପିତା ମାତାଙ୍କ ଗୁରୁ ଦାୟିତ୍ଵ ହେବା ଉଚିତ୍ ବୋଲି ବିଭିନ୍ନ ବିଷୟ ବସ୍ତୁର ଉଦାହରଣ ମାଧ୍ୟମରେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ୫ ଜଣ ଛାତ୍ରଛାତ୍ରୀ ତଥା ୧୯୨ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ହେତୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

Comments are closed.