ସଙ୍କଟରେ ଚାଷୀ, ୨ଏକରରୁ ଅମଳ ହେଲା ମାତ୍ର ୭ କୁଇଣ୍ଟାଲ୍ ଧାନ
ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅଞ୍ଚଳରେ ଚଳିତ ଖରିଫ ଋତୁ ରେ ସ୍ବଳ୍ପ ବୃଷ୍ଟିପାତ ତଥା ଚାଷ ଉପଯୋଗୀ ବର୍ଷା ନହେବା ଫଳରେ ଧାନ ଫସଲ ମରୁଡିଗ୍ରସ୍ତ ହୋଇଥିବା ବେଳେ ଧାନ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ହୋଇ ଅମଳ ଯୋଗୁ ଧାନ କ୍ଷତିଗ୍ରସ୍ତ ହୋଇ ଚାଷୀର ଭାତହାଣ୍ଡି ଉଜୁଡି ଉଜୁଡି ଗଲା ଭଳି ଅବସ୍ଥା ସୃଷ୍ଟି ହୋଇଛି। ଏସବୁ ପ୍ରାକୃତିକ ଦୁର୍ବିପାକରୁ ଯାହା ବଞ୍ଚିଥିଲା ଚାଷୀକୁ ସେଇଟା ହିଁ ଆଶା ଭରସା। ମରୁଡିରେ ସମସ୍ତ ଚାଷୀ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି। ଆଶାନୁରୂପ ଫସଲ ଆଦାୟ ହେଉ ନଥିବାର ଦେଖିବାକୁ ମିଳୁଛି। ରେଙ୍ଗାଲିବ୍ଲକ ରେଙ୍ଗଲୋଇ ଗ୍ରାମର ନିତ୍ୟାନନ୍ଦ ଖର୍ସେଲ ୨ ଏକର ଜମିରେ କରିଥିବା ଧାନ ଚାଷରୁ ମାତ୍ର ୭ କୁଇଣ୍ଟାଲ ଧାନ ଅମଳ ହୋଇଛି। ଅର୍ଥାତ ଏକର ପିଛା ଫସଲ ଆଦାୟ ମାତ୍ର ସାଢେ ତିନି କୁଇଣ୍ଟାଲ। ମରୁଡିର କରାଳ ରୂପ ଚାଷୀମାନଙ୍କୁ କିଭଳି ଗ୍ରାସ କରିଛି ଅନୁମାନ ସାପେକ୍ଷ। ସରକାରଙ୍କ କୃଷି ବିଭାଗ ଆକଳନ ହିସାବରେ ଏକର ପିଛା ୨୦ରୁ ୨୨ କୁଇଣ୍ଟାଲ ଧାନ ଆଦାୟ ହେବା କଥା। ଏବର୍ଷ ଏକର ପ୍ରତି ମାତ୍ର ସାଢେ ୩ କୁଇଣ୍ଟାଲ୍ ଧାନ ଆଦାୟ ପାଉଥିବା ଚାଷୀ କେତେ କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ଅନୁମାନ ସାପେକ୍ଷ। ଅନ୍ୟ ପକ୍ଷରେ ଧାନ କ୍ରୟକେନ୍ଦ୍ରକୁ ଚାଷୀ ଧାନ ବିକିବାକୁ ଗଲେ କୁଇଣ୍ଟାଲ ପ୍ରତି ୪/୫ କେଜି କଟନୀ ଛଟନୀର ଚାବୁକ୍ ମାଡ ସହିବାକୁ ପଡୁଛି। ଚାଷୀ ତ୍ରାହି ତ୍ରାହି ଡାକ ଛାଡୁଥିଲେ ବି ଶୁଣିବାକୁ କେହି ନାହାନ୍ତି।
Comments are closed.