ସାଇକେଲରେ ସମ୍ପୂର୍ଣ୍ଣ ଭାରତ ତୀର୍ଥ ଯାତ୍ରା

କେନ୍ଦୁଝରଗଡ଼଼: ପଶ୍ଚିମବଙ୍ଗ ଆଲିପୁରଦ୍ୱାର ଜିଲା ଜୟଗାଁଓ ଗ୍ରାମର ୨୨ବର୍ଷୀୟ ଯୁବକ ତପୋସ୍‌‌ ବର୍ମନ ଚଳିତ ବର୍ଷ ୨୯ ଜୁନରୁ ସାଇକେଲ ଯୋଗେ ୪ ଧାମ ଓ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ ସହ ସମ୍ପୂର୍ଣ୍ଣ ଭାରତ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପଶ୍ଚିମବଙ୍ଗ, ଆସାମ ଓ ଝାରଖଣ୍ଡ ରାଜ୍ୟ ଭ୍ରମଣ ପରେ ଗୁରୁବାର ଓଡ଼ିଶା ଗସ୍ତରେ ଆସି କେନ୍ଦୁଝରରେ ପହଞ୍ଚିଛନ୍ତି। ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ବ ସାଇକେଲ ଯୋଗେ ତାଙ୍କର ଏହି ଯାତ୍ରା କାଳରେ ସେ ଦେଶର ବିଭିନ୍ନ ପୁରାତନ ମନ୍ଦିର, ସନାତନ ଧର୍ମର ପ୍ରମୁଖ ମନ୍ଦିର, ୧୨ଟି ଜ୍ୟୋର୍ତିଲିଙ୍ଗ, ୪୧ଟି ଶକ୍ତିପୀଠ, ୪ ଧାମ, ୩୦୦ରୁ ଊର୍ଦ୍ଧ୍ବ ପୁରାତନ ମନ୍ଦିର ଦର୍ଶନ କରିବା ଲକ୍ଷ୍ୟ ରଖିଛନ୍ତି। ଏଥିସହ ତାଙ୍କର ଏହି ଯାତ୍ରା ସମୟରେ ସେ ବିଶେଷକରି ନିମ୍ବ ଓ ବଟ ବୃକ୍ଷ ରୋପଣ କରାଯାଇ କିଭଳି ସନ୍ତୁଳିତ ପରିବେଶ ଗଠନ କରାଯାଇ ପାରିବ ତାହାରି ଉପରେ ସଚେତନତା ସୃଷ୍ଟି କରୁଥିବା ସେ କହିଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ ସ୍ୱୟଂସେବକ ଭାବେ କାର୍ଯ୍ୟରତ ତପୋସ୍‌‌ ସ୍ନାତକ ଶିକ୍ଷା ଅଧାରୁ ଛାଡି ସଙ୍କଟରେ ପଡ଼ିଥିବା ସନାତନ ଧର୍ମର କିଭଳି ଅଧିକରୁ ଅଧିକ ପ୍ରଚାର ପ୍ରସାର ହୋଇପାରିବ ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତି ଓ ରାଷ୍ଟ୍ରପ୍ରେମ ଜାଗ୍ରତ କରାଯାଇ ପାରିବ ତାହା ତାଙ୍କର ପ୍ରାଥମିକ ଲକ୍ଷ୍ୟ ହୋଇଥିବାରୁ ସେ ଧୋତି ପିନ୍ଧି ତାଙ୍କର ଏହି ସାଇକେଲ ଯାତ୍ରା ଜାରି ରଖିଥିବା କହନ୍ତି। ଆଜିର ଯୁବପୀଢ଼ି ମୋବାଇଲ ପଛରେ ବ୍ୟସ୍ତ ରହିବା ସହ ଆଧୁନିକ ପାଶ୍ଚାତ୍ୟକୁ ଗୁରୁତ୍ୱ ଦେଉଥିବା ବେଳେ ସନାତନ ଧର୍ମର ସୁରକ୍ଷା ପାଇଁ ସପ୍ତାହରେ ଅନ୍ତତଃପକ୍ଷେ ଦିନଟିଏ ଧୋତି ପିନ୍ଧିବାକୁ ତପୋସ୍‌‌ ଯୁବବର୍ଗଙ୍କୁ ପରାମର୍ଶ ଦେଇ ଏହା କହିଛନ୍ତି।

Comments are closed.