ସେଣ୍ଟ ଟେରେସା ସ୍କୁଲରେ ନିଃଶୁଳ୍କ ଦନ୍ତ ପରୀକ୍ଷା

କେନ୍ଦୁଝରଗଡ଼଼: ରୋଟାରୀ କ୍ଲବ ଯୋଡା ପକ୍ଷରୁ ସେଣ୍ଟ ଟେରେସା ସ୍କୁଲ ପରିସରରେ ଶୁକ୍ରବାର ଏକ ନିଃଶୁଳ୍କ ବିଦ୍ୟାଳୟ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଥମେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଦନ୍ତର କିଭଳି ଉପଯୁକ୍ତ ଯତ୍ନ ଓ ସୁରକ୍ଷା ନିଆଯାଇ ପାରିବ ସେ ସମ୍ପର୍କରେ ସଚେତନ କରାଯାଇଥିଲା। ଏହାପରେ କଟକ ବଡ ମେଡିକାଲର ଦନ୍ତରୋଗ ବିଭାଗର ବିଷେଜ୍ଞ ଡାକ୍ତର ଗୌରବ ଶର୍ମା, ଡାକ୍ତର ଅଙ୍କିତା ଗିରି, ଅର୍ପିତା ବେହୁରା, ନିତିଶ ମେହେର, କୁମାର କୁଳଦ୍ୱୀପ ପ୍ରମୁଖ ୮୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଦନ୍ତ ପରୀକ୍ଷା କରି ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ। ଟାଟା କମ୍ପାନୀ ଯୋଡାର ମୁଖ୍ୟ ରାଜେଶ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌‌ଘାଟନ କରିଥିବା ବେଳେ ଯୋଡା ରୋଟାରୀ କ୍ଲବ ସଭାପତି ପ୍ରକାଶ ମହାନ୍ତି, ସମ୍ପାଦକ ଶାରଦା ପ୍ରସାଦ ଆଚାର୍ଯ୍ୟଙ୍କ ସମେତ ବହୁ ରୋଟାରୀଆନ ଉପସ୍ଥିତ ରହି ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସ୍କୁଲର ଅଧ୍ୟକ୍ଷ ସିଷ୍ଟର ମେରିଏଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.