ବାଙ୍କୀ ବୈଦ୍ୟେଶ୍ୱରରୁ ଆମେରିକା ଯାତ୍ରାର ସଫଳ ରୂପାୟନ

କଳାପଥର: କର୍କଟ ରୋଗ ଗବେଷଣାରେ ଆଶାର ଆଲୋକ ସୃଷ୍ଟି କରିଛି ନୂତନ ଭାବେ ଆବିଷ୍କୃତ ଏକ ଦୈବଭିତ୍ତିକ ପ୍ରଣାଳୀ। ଆମେରିକାସ୍ଥିତ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଟୁଲ୍ ପ୍ରସ୍ତୁତ କରି କର୍କଟ ରୋଗର ଔଷଧ ଆବିଷ୍କାର କରିବାରେ ସଫଳତା ଅର୍ଜନ କରିଛନ୍ତି। ଏହି ଗବେଷଣାତ୍ମକ କାର୍ଯ୍ୟର ନେତୃତ୍ୱ ବାଙ୍କୀ ବୈଦ୍ୟେଶ୍ୱରର ଓଡ଼ିଆ ଯୁବ ବୈଜ୍ଞାନିକ ଡଃ.ଅର୍ଯ୍ୟମାଭ ପଟ୍ଟନାୟକ ନେଇଛନ୍ତି। ବରିଷ୍ଠ ବୈଜ୍ଞାନିକ ଡଃ.ମାର୍ଜିଦ୍ କାଜେମିଆଁଙ୍କ ତତ୍ତ୍ୱାବଧାନରେ ଏହି ଉଚ୍ଚକୋଟୀର ଗବେଷଣା କରାଯାଇଛି। ଚଳିତ ବର୍ଷ ଅଗଷ୍ଟ ମାସରେ ଏହି ଗବେଷଣା ମର୍ଯ୍ୟଦାପୂର୍ଣ୍ଣ ପତ୍ରିକା ନେଚର କମ୍ୟୁନିକେସନ୍ସରେ ପ୍ରକାଶ ପାଇଛି। ଡଃ. ପଟ୍ଟନାୟକଙ୍କ ଅନୁଯାୟୀ କର୍କଟ ରୋଗ ଗୁଡିକର ବିକାଶ ଶରୀରରେ କାର୍ଯ୍ୟରତ ଏକାଧିକ କୋଶୀୟ ପଥର ଅସନ୍ତୁଳନରୁ ହୋଇଥାଏ। ଏହି ପଥଗୁଡିକର ସଂପୃକ୍ତି ଏବଂ କାର୍ଯ୍ୟକାରୀତା ଜାଣିବା ପାଇଁ ପୂର୍ବ ଟୁଲ୍‌ମାନଙ୍କ ଅପେକ୍ଷା ଉନ୍ନତ ଫଳାଫଳ ଦେବାରେ ସକ୍ଷମ ହୋଇପାରିଛି। ପି.ଇ.ଟି ବ୍ୟବହାର କରି ସେମାନେ ୧୨ଟି ଭିନ୍ନ ଭିନ୍ନ ପ୍ରକାରର କର୍କଟ ରୋଗ ସହ ସଂପୃକ୍ତ କୋଶୀୟ ପଥ ଜାଣିପାରିଛନ୍ତି। ବର୍ତ୍ତମାନ ଏହି ଔଷଧର ଉଚ୍ଚତରମାନ ପାଇଁ କୁକୁର ଦେହରେ ପରୀକ୍ଷଣ କରାଯାଉଛି। ଭବିଷ୍ୟତରେ ଏହି ଔଷଧଟି ମନ୍ୟୁଷ ଚିକିତ୍ସାରେ ଉପଯୋଗ ହୋଇପାରିବ ବୋଲି ଡଃ.ପଟ୍ଟନାୟକ ଆଶାବାଦୀ ଅଛନ୍ତି। ଏହି ଟୁଲ୍ ଦ୍ୱାରା ଅବିଷ୍କୃତ ଔଷଧକୁ ଅନ୍ୟାନ୍ୟ ଦୁଃସାଧ୍ୟ ରୋଗର ନିରାକରଣରେ ଉପଯୋଗୀ କରାଇବା ପାଇଁ ଡଃ.ପଟ୍ଟନାୟକ ଦେଶର ଅନ୍ୟ ବୈଜ୍ଞାନିକମନଙ୍କ ସହ ଆଲୋଚନା ଓ ମିଳିତ ଉଦ୍ୟମ କରୁଛନ୍ତି। ଡକ୍ଟର ପଟ୍ଟନାୟକ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଗ୍ରାମର ଆଶିଷ ପଟ୍ଟନାୟକଙ୍କ ପୁତ୍ର ଅଟନ୍ତି। ସେ ଭୁବନେଶ୍ୱର ଭୀମଟାଙ୍ଗି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ଓୟୁଏଟିରୁ ପ୍ରାଣୀ ଚିକିତ୍ସା ବିଭାଗରେ ସ୍ନାତକୋତ୍ତର ସମାପ୍ତ କରି ୟୁନିଭରସିଟି ଅଫ୍ ନେବ୍ରୋସ୍କା, ଅମେରିକାରୁ ବିଭିନ୍ନ ପ୍ରକାର ଭୂତାଣୁ ସମ୍ବନ୍ଧିତ ରୋଗ ପ୍ରତିଶୋଧକ ଟିକା ଓ ଔଷଧ ଆବିଷ୍କାରରେ ଗବେଷଣା କରି ପିଏଚ୍‌ଡି ଲାଭ କରିଛନ୍ତି। ବର୍ତ୍ତମାନ ଡଃ.ପଟ୍ଟନାୟକ ଉଚ୍ଚତର ଗବେଷଣା ପାଇଁ ଇଣ୍ଡିଆନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନରେ ଯୁବ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ବାଙ୍କୀ ଓ ବୈଦ୍ୟେଶ୍ୱର ଅଞ୍ଚଳର ଜନସାଧାରଣମାନଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି। ସେଥିପାଇଁ ତାଙ୍କୁ ବାଙ୍କୀ ଓ ବୈଦ୍ୟେଶ୍ୱରବାସୀମାନେ ଅଭିନନ୍ଦନ ଜଣାଇଛନ୍ତି।

Comments are closed.