ଖବରକାଗଜ ପଢିବା ଓ ଅନ୍ୟକୁ ପଢାଇବାର ନିଶା

ରେଙ୍ଗାଲି: ସଂପ୍ରତି ଡିଜିଟାଲ୍ ମିଡିଆ ଯୁଗରେ ଖବରକାଗଜର ଚାହିଦା ପ୍ରଭାବିତ ହେବାରେ ଲାଗିଛି। ତେବେ ଅନେକଙ୍କ ମଧ୍ୟରେ ଖବରକାଗଜ ପଢିବା ଏବଂ ଅନ୍ୟକୁ ଖବରକାଗଜ ପଢାଇବାର ନିଶା ଏବେ ବି ବଳବତ୍ତର ରହିଛି। ଖବରକାଗଜ ପଢିବା ଏବଂ ଅନ୍ୟମାନଙ୍କୁ ଖବରକାଗଜ ପଢାଇବା ନିଶା ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ ସାଇକେଲରେ ପ୍ରତିଦିନ ୨୦ କିଲୋମିଟର ଯାତାୟତ କରି ଖବରକାଗଜ ନିଜ ପଢିବା ପାଇଁ ଏବଂ ଅନ୍ୟମାନଙ୍କ ପଢିବା ପାଇଁ ଆଣୁଥିବାର ଦେଖିବାକୁ ମିଳୁଛି। ଜମନକିରା ବ୍ଲକ କେନାଢିପା ଗ୍ରାମର ପୂର୍ବତନ ସରପଞ୍ଚ ରାଜକିଶୋର ଚୌଧୁରୀଙ୍କ ବୟସ ୭୨। ବାଲ୍ୟକାଳରୁ ଶାରିରୀକ ସମସ୍ୟା ଯୋଗୁଁ ଚଳାବୁଲାରେ ତାଙ୍କର ସମସ୍ୟା ରହିଥିଲେ ମଧ୍ୟ ସାଇକେଲରେ ପ୍ରତିଦିନ ରେଙ୍ଗାଲିବ୍ଲକର ଲଇଡା ଗ୍ରାମକୁ ଖବରକାଗଜ ଆଣିବାକୁ ଆସନ୍ତି। ଖରା, ବର୍ଷା, ଶୀତ, କାକରକୁ ତାଙ୍କର ଖାତିର୍ ନାହିଁ। ଖବରକାଗଜ ପଢିବା ନିଶା ଆଗରେ ତାଙ୍କର ବୟସ ଓ ଅନ୍ୟ ପ୍ରତିବନ୍ଧକ ହାର୍ ମାନିଯାଇଛି। ନିଜ ପାଇଁ ଖବର କାଗଜ ଆଣିବା ସହିତ ଜ୍ଞାତି ପରିଜନଙ୍କ ପାଇଁ ମଧ୍ୟ ଖବରକାଗଜ ଆଣି ସେମାନଙ୍କ ପାଖକୁ ପହଞ୍ଚାଇ ଦିଅନ୍ତି। ରାଜକିଶୋର ଚୌଧୁରୀ କେନାଢିପା ପଞ୍ଚାୟତର ସରପଞ୍ଚ ଥିବା ସମୟରେ ଅନେକ ସ୍ମରଣୀୟ ଜନହିତକର କାର୍ଯ୍ୟ କରି ଜନସାଧାରଣଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି। ଡିଜିଟାଲ୍ ଦୁନିଆଁରେ ସମସ୍ତେ ମସଗୁଲ୍ ହୋଇ ଯାଉଥିବା ବେଳେ ଖବରକାଗଜର ଗୁରୁତ୍ୱ ଓ ମହତ୍ତ୍ବକୁ ବଜାୟ ରଖିବାରେ ରାଜକିଶୋରଙ୍କ ନିଷ୍ଠା ସଚେତନ ନାଗରିକ ମହଲରେ ପ୍ରଶଂସିତ ହେଉଛି।

Comments are closed.