ବିପଦଜନକ ରାସ୍ତାରେ ଯାଉଛନ୍ତି ଲୋକ

ବୌଦ୍ଧ: ବୌଦ୍ଧବ୍ଲକ ଅନ୍ତର୍ଗତ ବଢ଼ିଗାଁ ପଞ୍ଚାୟତର ଛତନିଆଁକଟା ବନ୍ଧାପଥର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବୌଦ୍ଧ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଛି ବଢ଼ିଗାଁ ଗ୍ରାମ ପଞ୍ଚାୟତ। ଜିଲାକୁ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ହେଉ କିମ୍ବା ପଞ୍ଚାୟତସ୍ତରରେ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା ଏକ ଆଦର୍ଶ ଗ୍ରାମପଞ୍ଚାୟତ ଭାବରେ ଅନେକ ଯୋଜନାର ସଫଳତାର ଚିତ୍ର ଦେଖାଇବାକୁ ରାଜ୍ୟସ୍ତରରୁ ଆସୁଥିବା ଅଧିକାରୀମାନଙ୍କୁ ଏହି ପଞ୍ଚାୟତକୁ ନିଆଯାଇଥିବାର ଅନେକ ନଜିର ରହିଛି। କିନ୍ତୁ ଏହି ଗ୍ରାମପଞ୍ଚାୟତର ପ୍ରକୃତ ବିକାଶ ଦେଖାଯାଏ ଛତନିଆଁକଟା ବନ୍ଧାପଥର ଗ୍ରାମ୍ୟ ରାସ୍ତାରେ। ବୌଦ୍ଧ ବଘିଆପଡ଼ା ପୁର୍ତ ବିଭାଗ ରାସ୍ତାରୁ ଛତନିଆଁକଟା ଗ୍ରାମ ଦେଇ ବନ୍ଧାପଥର ପଞ୍ଚାୟତକୁ ଯାଇଥିବା ରାସ୍ତାର ଲମ୍ବ ପ୍ରାୟ ଦୁଇ କିଲୋମିଟର। ବନ୍ଧାପଥର ଗ୍ରାମପଞ୍ଚାୟତ ହରଭଙ୍ଗା ବ୍ଲକରେ ରହିଥିବାବେଳେ ଛତନିଆଁକଟା ଗ୍ରାମ ବୌଦ୍ଧବ୍ଲକ ଅଧିନସ୍ଥ ବଢ଼ିଗାଁ ପଞ୍ଚାୟତ ଅଧିନରେ ରହିଛି। ତେଣୁ ଏହି ଦୁଇ ପଞ୍ଚୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ମାତ୍ର ୩୦୦ ମିଟର ବୌଦ୍ଧ ବ୍ଲକ ଅଧିନରେ ରହିଥିବା ବେଳେ ବଳକା ରାସ୍ତା ହରଭଙ୍ଗା ବ୍ଲକ ଅଧିନରେ ରହିଛି। ଛତନିଆଁକଟା ପଟରୁ ଏହି ୩୦୦ ମିଟର ରାସ୍ତାକୁ କଂକ୍ରିଟ କରିବା ପାଇଁ ବହୁଦିନ ତଳେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କାମ ଅଧାରେ ଅଟକି ଯାଇଥିଲା। ବର୍ତମାନ ନିର୍ମିତ ରାସ୍ତାର କଂକ୍ରିଟ୍‌‌ ମାଟି ସହିତ ମିଶି ସାରିଲାଣି। ଏହି ରାସ୍ତାରେ ୨୦୦ ମିଟର ଯିବା ପରେ ନିର୍ମିତ ଏକ ଛୋଟ କଲଭଟ ଭାଙ୍ଗି ରାସ୍ତା ମଝିରେ ପ୍ରାୟ ୪ ଫୁଟ ଗୋଲେଇର ଗର୍ତ ସୃଷ୍ଟି ହୋଇଥିଲେ ମଧ୍ୟ ରାସ୍ତାଟି ଏପର୍ଯ୍ୟନ୍ତ ନା ନିର୍ବାଚିତ ପ୍ରତିନିଧିଙ୍କ ନଜରରେ ପଡୁଛି ନା ସରକାରୀ ଅଧିକାରୀଙ୍କ। ତେଣୁ ଏହି ଗାତରେ ପଡ଼ି କେତେବେଳେ ଯେ ଦୁର୍ଘଟଣାରେ କାହାର ଜୀବନ ଯିବ ତାହା ସମସ୍ତ ଯାତ୍ରୀଙ୍କ ମନରେ ଆଶଙ୍କା ସୃଷ୍ଟି କରୁଅଛି।

Comments are closed.