କୋଟିକୋଟି ଟଙ୍କାର ଭୂସମ୍ପତ୍ତି ଥାଇ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଚୀନ ମନ୍ଦିର

କେନ୍ଦୁଝରଗଡ଼଼: ଦେବୋତ୍ତର ବିଭାଗ ଅବହେଳା ଯୋଗୁଁ କେନ୍ଦୁଝର ଜିଲାରେ ଠାକୁରଙ୍କ କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ଜବରଦଖଲକାରୀଙ୍କ ଅଧିନରେ ରହିଆସିଛି। ଏହାର ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌‌ ପଦକ୍ଷେପ ନିଆଯାଉ ନଥିବାବେଳେ ଅର୍ଥାଭାବରୁ ଅନେକ ମନ୍ଦିରରେ ଠାକୁରଙ୍କ ରୀତିନୀତି, ପୂଜାପାଠ, ପର୍ବପର୍ବାଣୀ ଓ ଦୈନିଦିନ ପରିଚାଳନା ମଧ୍ୟ ସଠିକ୍‌‌ ଭାବେ ହୋଇପାରୁ ନାହିଁ। ଏପରିକି କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ମଧ୍ୟ ଜିଲାର ଅନେକ ପ୍ରାଚୀନ ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଜବରଦଖଲ ଜମିର ଉଚ୍ଛେଦ ସହ ବେବନ୍ଦୋବସ୍ତ ଜମିର ତୁରନ୍ତ ବନ୍ଦୋବସ୍ତ ନିମନ୍ତେ ଦେବୋତ୍ତର କମିଶନରଙ୍କର ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ହେଁ ଏପର୍ଯ୍ୟନ୍ତ ଏହାର କୌଣସିସ ସୁଫଳ ମିଳିପାରି ନାହିଁ।

ରାଜାରାଜୁଡ଼ା ଅମଳରୁ ଜିଲାରେ ପ୍ରାୟ ୧୧୮୮ଟି ମନ୍ଦିର ପ୍ରତିଷ୍ଠା ସହ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରତି ମନ୍ଦିର ନାମରେ କିଛି କିଛି ଜମି ମଧ୍ୟ ରାଜାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ମାତ୍ର ପରବର୍ତ୍ତି ସମୟରେ ଏହି ଜମି ସବୁ କ୍ରମଶଃ ଜବରଦଖଲକାରୀଙ୍କ ହାତକୁ ଚାଲି ଯାଇଥିବାବେଳେ ବହୁ ଜମି ବନ୍ଦୋବସ୍ତ ହୋଇନପାରି ପଡ଼ିରହିଛି। ଜିଲାରେ ଥିବା ୧୧୮୮ଟି ମନ୍ଦିର ମଧ୍ୟରୁ ମାତ୍ର ୮୮ଟି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାରଙ୍କ ଦେବୋତ୍ତର ବିଭାଗ କେନ୍ଦୁଝରକୁ ହସ୍ତାନ୍ତର କରିଛି। ମାତ୍ର ସ୍ୱତନ୍ତ୍ର ବିଭାଗ ନଥିବାରୁ ଉପଜିଲାପାଳ କେନ୍ଦୁଝର ଦେବୋତ୍ତର ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ ଏହି ୮୮ଟି ମନ୍ଦିର ମଧ୍ୟରୁ ମାତ୍ର ୨୦ଟି ମନ୍ଦିରର ଦାୟିତ୍ୱ ତୁଲାଉଥିଲେ ହେଁ ଏହି ୨୦ଟି ମନ୍ଦିର ମଧ୍ୟରୁ ଅନେକ ମନ୍ଦିରର ରକ୍ଷଣାବେକ୍ଷଣ ଓ ପୂଜାପାଠର ଅବହେଳା ନେଇ ସ୍ଥାନୀୟ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏକ ସର୍ବେକ୍ଷଣରୁ ଜଣାଯାଏ ଯେ, କେନ୍ଦୁଝର ସହରର ପୁରୁଣା ବଜାରରେ ଅବସ୍ଥାପିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ନାମରେ ୨୦୭୭୫ ଏକର ଜମି ରହିଛି। ତନ୍ମଧ୍ୟରୁ ୧୨୦୦୦ ଏକର ଜଙ୍ଗଲ ଜମିଥିବା ବେଳେ ଅବଶିଷ୍ଟ ୮୭୭୫ ଏକର ଜମିରୁ ମାତ୍ର ୧୨୮୭.୩୬ ଏକର ଜମି ବନ୍ଦୋବସ୍ତ ହୋଇପାରିଛି। ସମୁଦାୟ ଜମିରୁ ବହୁ ପରିମାଣ ଜବରଦଖଲକାରୀଙ୍କ ହାତରେ ରହିଛି। ବିଶେଷକରି କୋଟି କୋଟି ଟଙ୍କାର ଏହିସବୁ ମୂଲ୍ୟବାନ ଜମି କେନ୍ଦୁଝର ସହରର ଜଗନ୍ନାଥପୁର, ବଣିଆପାଟ, ବଡ଼ହଳ ଆଦି ଅଞ୍ଚଳରେ ଥିବାବେଳେ ଏହି ଜମିକୁ ଚିହ୍ନଟ ସହ ଜବରଦଖଲ ଉଚ୍ଛେଦ କାର୍ଯ୍ୟ କେବଳ କାଗଜପତ୍ରରେ ସୀମିତ ରହିଆସିଛି। ଏତଦ୍‌‌ବ୍ୟତୀତ ପୁରୁଣାବଜାରସ୍ଥିତ ସିଦ୍ଧମଠର ପ୍ରାୟ ୬୦୦ ଏକର ଜମିରୁ ମାତ୍ର ୩୨ ଏକର ଜମି ବନ୍ଦୋବସ୍ତ ହୋଇ ପାରିଥିବାବେଳେ ଶ୍ରୀ ସିଦ୍ଧବଳଦେବଜୀଉ ମନ୍ଦିରର ସମୁଦାୟ ୭୯୭ ଏକର ଜମି, ଶ୍ରୀ ଗୁଆମାଳୀ ମହେଶଙ୍କ ସମୁଦାୟ ୬୦ ଏକର ଜମି, ବୋଦାପଳସା ଶ୍ରୀ ଚନ୍ଦ୍ରଶେଖର ମହେଶଙ୍କ ପ୍ରାୟ ୭୮୨ ଏକରରୁ ୨୧୮ ଏକର ଜମି, ବାରହାଟିପୁରାସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ମହେଶଙ୍କ ପ୍ରାୟ ୭୩୭ ଏକର ଜମିରୁ ୭୦୫ ଏକର ଜମି, ତରାସ୍ଥିତ ଶ୍ରୀ ବାଣେଶ୍ୱର ମହେଶଙ୍କର ପ୍ରାୟ ୧୬ ଏକରରୁ ୮ ଏକର ଜମି, ହୁଣ୍ଡା ଗ୍ରାମର ଶ୍ରୀ ଦଧିବାମନଜୀଉଙ୍କ ସମୁଦାୟ ୬୯୬ ଏକର ଜମି, ଶୁଆକାଟିସ୍ଥିତ ଶ୍ରୀ ପାଟେଶ୍ୱର ମହେଶଙ୍କ ପ୍ରାୟ ୧୬ ଏକରରୁ ୬.୦୪ ଏକର ଜମି, ଗୋନାସିକାସ୍ଥିତ ଶ୍ରୀ ବ୍ରହ୍ମେଶ୍ୱର ମହେଶଙ୍କ ପ୍ରାୟ ୧୨ ଏକରରୁ ୧୧.୬୮ ଏକର ଜମି, ବଣୁଆ ମହାଦେବ ମନ୍ଦିରର ପ୍ରାୟ ୩୨ ଏକର ଜମିରୁ ୨୫.୫୦ ଏକର ଜମି, ରାଜନଗରର ଶ୍ରୀ ରଘୁନାଥଜୀଉ ମଠଙ୍କ ପ୍ରାୟ ୧୮୭ ଏକର ଜମିରୁ ୧୨୭ ଏକର ଏବଂ ରାଜାଙ୍କର ପ୍ରଥମ ମନ୍ଦିର କୁହାଯାଉଥିବା ରାଜନଗରର ଶ୍ରୀ ଜଗନ୍ନାଥ ମନ୍ଦିରର ୧୩୭ ଏକର ଜମି ସମେତ ଅନ୍ୟାନ୍ୟ ମନ୍ଦିରର ବହୁ ମୂଲ୍ୟବାନ ଜମି ଅଦ୍ୟାବଧି ବନ୍ଦୋବସ୍ତ ହୋଇନପାରି ଜବରଦଖଲକାରୀଙ୍କ ଅଧୀନରେ ରହିଛି।

Comments are closed.