ଆଉ ଦେଖିବାକୁ ମିଳୁନି ତଲାରୀ, କମୁଛି ଚାହିଦା
କୋରାପୁଟ: ଟିପି ଟିପି ବର୍ଷା ପଡୁଥିବ। କାଦୁଅରେ ହଳ କରୁଥିବ ଚଷା ପୁଅ। ମୁଣ୍ଡରେ ଥିବ ଠେକା। ତାରି ଉପରେ ବର୍ଷା ଦାଉରୁ ରକ୍ଷା ପାଇବା ଲାଗି ମୁଣ୍ଡରେ ଥିବ ତଲାରୀ। ପ୍ରବଳ ବର୍ଷା ଦାଉରୁ ରକ୍ଷା କରିବ ତଲାରୀ। ଆଧୁନିକତାର ଚାକଚକ୍ୟ ପରିବେଶ ଓ ସୌଖିନ ସାମଗ୍ରୀ ଭିଡ଼ର ବଜାର ମଧ୍ୟରେ ହଜିବାକୁ ବସିଲାଣି ପାରମ୍ପରିକ ସାମଗ୍ରୀ। ଆଉ କିଛି ବର୍ଷ ପରେ ଏସବୁ ପାରମ୍ପରିକ ସାମଗ୍ରୀ ସଂଗ୍ରହାଳୟରେ ସ୍ଥାନ ପାଇବ ନିଶ୍ଚୟ। ଏଭଳି କିଛି ସାମଗ୍ରୀ ମଧ୍ୟରୁ ତଲାରୀ ଅନ୍ୟତମ।
ଉପକୂଳବର୍ତ୍ତୀ ଓଡ଼ିଶାରେ ଏହାକୁ ପଖିଆ ବା ଛତ୍ର କୁହାଯାଉ ଥିବା ବେଳେ କୋରାପୁଟିଆ ଆଞ୍ଚଳିକ ଭାଷାରେ ତଲାରୀ କୁହାଯାଏ। ତାଳପତ୍ର, ବାଉଁଶ ପାତିଆ ଓ ବେତରେ ଏହା ନିର୍ମିତ ହୋଇଥାଏ। ପ୍ରକାର ଭେଦରେ ଏହା ଅନେକ କିସମର। ତାଳ ପତ୍ର, ବାଉଁଶରେ ନିର୍ମିତ। ଶାଳ ପତ୍ରରେ ବିଛେଇ ହୋଇ ତିଆରି ହୁଏ ବାଉଁଶ ତଲାରୀ। ସେହିପରି ଧାନ ରୋଇବାକୁ ନିୟୋଜିତ ମହିଳା ଶ୍ରମଜୀବୀ ମାନେ ଘୋଡେଇ ହୁଅନ୍ତି ବିରାଟକାୟ ତାଳ ପତ୍ର ତଲାରୀ। ଏସବୁ ଉଭୟ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପୂର୍ବରୁ ବହୁଳ ବ୍ୟବହାର ହୋଇ ଆସୁଥିଲା। ଚାଷୀମାନେ କ୍ଷେତକୁ ଚାଷ ପାଇଁ ଗଲାବେଳେ, ଗୋପାଳକ, ମେଷ ପାଳକ, ଗୁଲା, ଗୌଡ଼ ଓ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାର ବହୁଳ ବ୍ୟବହାର କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଚାଷ ବାସ କଲାବେଳେ ଏହାର ବ୍ୟବହାର କରୁଥିବା ଦେଖାଯାଏ।
ଭଗବାନ ବାମନ ଅବତାର ରେ ଏହାକୁ ଧରିଥିବା ପୁରାଣ ବର୍ଣ୍ଣିତ ହୋଇଛି। ରାଜା ମହାରାଜାଙ୍କ ମସ୍ତକ ଉପରେ ଏହା ଶୋଭାପାଏ। ଓଡ଼ିଆ ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଏହାର ବର୍ଣ୍ଣନା କରିଛନ୍ତି –
“ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟେ ଦିଶେ ମହି।”
ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳ ଏହି ତଲାରୀ ପାଇଁ ବେଶ ପରିଚିତ। ଖାସ ସେଇଥିପାଇଁ ତ ରଥଯାତ୍ରା ସମୟରେ ଏଠାରେ ଅଧିକ ମାତ୍ରାରେ ତଲାରୀ ବିକ୍ରି ହେଉଥିବାରୁ ଏହାକୁ ତଲାରୀ ଯାତ୍ରା ବୋଲି କୁହାଯାଏ। ପିଲା ଠୁ ବୁଢା ସମସ୍ତଙ୍କ ପାଇଁ ବିଭିନ୍ନ ଆକୃତିର ତଲାରୀ ମିଳେ। ଗୁଣପୁର ଅଞ୍ଚଳ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ବର୍ଷା ଋତୁରେ ରଥଯାତ୍ରା ପଡ଼ୁଥିବାରୁ ଗୁଣୁପୁର ଯାତ୍ରାରେ ପ୍ରବଳ ତଲାରୀ ବିକ୍ରି ହେଉଥିଲା। ଲୋକେ ଆଗ୍ରହର ସହ ମୂଲଚାଲ କରି ତଲାରୀ କିଣି ମୁଣ୍ଡରେ ପିନ୍ଧି ବୁଲୁଥିଲେ। ସମଗ୍ର ଯାତ୍ରା ପଡିଆ ତଲାରୀମୟ ହୋଇପଡୁଥିଲା। ଗୋଟେ ଭିନ୍ନ ପରିବେଶ ସୃଷ୍ଟି ହେଉଥିଲା। ଜନଜାତି ସମ୍ପ୍ରଦାୟର କୃଷି କାମ ପାଇଁ ସମସ୍ତେ ଏହାକୁ ବ୍ୟବହାର କରୁଥିଲେ।
ବର୍ତ୍ତମାନ କିନ୍ତୁ ଏସବୁ ଧୀରେ ଧୀରେ ହଜିବାକୁ ବସିଛି। ଆଧୁନିକ ଛତା, ବର୍ଷାତି ( ରେନ୍ କୋଟ)ର ବହୁଳ ପ୍ରଚାର ପ୍ରସାର ଯୋଗୁଁ ଏହାର ଚାହିଦା ଆଉ ଆଗଭଳି ନାହିଁ। ଏପରି କି ରଥଯାତ୍ରାରେ ମଧ୍ୟ ବିଶେଷ ଭାବେ ମିଳୁନଥିବା ଦେଖାଯାଉଛି। କାଁ ଭାଁ ଯେଉଁଠି ଆସୁଛି ଲୋକେ କେବଳ ତଲାରୀର ଫୋଟ ଉଠାଇ ରଖୁଛନ୍ତି। ତେଣୁ କିଭଳି ଏହାର ବହୁଳ ପ୍ରସାର ହୋଇପାରିବ, ଏହାକୁ ପ୍ରସ୍ତୁତ କରୁଥିବା ବେଉସକ ଉପକୃତ ହୋଇପାରିବେ ଚିନ୍ତା କରିବା ସମୟ ଉପନୀତ। ଏବେ କେବଳ ସଂଗ୍ରହାଳୟର ପଦାର୍ଥ ହୋଇ ରହି ଯାଇଛି।
Comments are closed.