ବସଷ୍ଟାଣ୍ଡ ନାମରେ ଭାଙ୍ଗିଲେ ମନ୍ଦିର ପାଚେରୀ

ଚାରିଛକ: ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପଞ୍ଚାୟତ ସ୍ତରର ଜନପ୍ରତିନିଧି, ଠିକାଦାର ଓ ଯନ୍ତ୍ରୀଙ୍କ ଲାଭଖୋର ମନବୃତି ଯୋଗୁଁ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଏକ ପ୍ରମୁଖ ବ୍ୟବସାୟିକ ସ୍ଥାନ। ତିଲେଶ୍ୱରକୁ ପ୍ରତ୍ୟକ ଦିନ ଶହ ଶହ ଲୋକେ ବ୍ୟବସାୟ, ବ୍ୟାଙ୍କ ଓ ଶିକ୍ଷା ପାଇଁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିଲା। ତେବେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଗ୍ରାମବାସୀ କିମ୍ବା ବଣିକ ସଂଘ ତଥା ଜନସାଧାରଣଙ୍କ ମତାମତ ନ ନେଇ ଜୈନିକ ଠିକାଦାର ଓ ସରପଞ୍ଚଙ୍କ ସ୍ୱାମୀ ମନମୁଖୀ ଭାବେ ବଜାର ମଧ୍ୟରେ ଥିବା ସଦ୍ୟ ବାଉତି ମନ୍ଦିର ପାଚେରୀକୁ ଭାଙ୍ଗି ଦେଇଥିଲେ। ଏହା ପରେ ଗ୍ରାମବାସୀ ମନ୍ଦିର ପାଚେରୀ ଭାଙ୍ଗିବାକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଓ ଜୈନିକ ଠିକାଦାରଙ୍କୁ ଘେରିଥିଲେ। ବହୁ ସମୟ ଲୋକଙ୍କ ପ୍ରଶ୍ନର ଉତ୍ତର ନଦେଇ ଶେଷରେ ମୁଣ୍ଡ ନୁଆଁଇ ପାଚେରୀ ପୁନଃ ନିର୍ମାଣ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାବତ ୩ ମାସରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ସୁଦ୍ଧା ମନ୍ଦିର ପାଚେରୀ ନିର୍ମାଣ ନକରି ଛୁ ମାରିଛନ୍ତି ପ୍ରତିଶ୍ରୁତିଦାତା। ସେହିପରି ମନ୍ଦିର ବିପରୀତ ଦିଗରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିଲେ। ହେଲେ ନିମ୍ନ ମାନର କାର୍ଯ୍ୟକୁ ନେଇ କିଛି ଜନତା ପ୍ରଶ୍ନ ଉଠାଇ ଥିଲେ। ତେବେ ନିୟମ ଅନୁଯାୟୀ ପ୍ରସ୍ଥ ୧୫ ଇଞ୍ଚ ସ୍ଥାନରେ ଲୋକଙ୍କ ଆଖିରେ ଧୂଳିଦେଇ ୧୦ ଇଞ୍ଚ କରି ପ୍ରକଳ୍ପ ଟଙ୍କାକୁ ଆତ୍ମସାତ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ଇତି ମଧ୍ୟରେ ସରକାର ପରିବର୍ତ୍ତନ ସାଙ୍ଗକୁ ପରିବର୍ତ୍ତନ ହୋଇଛନ୍ତି ବୌଦ୍ଧ ବିଧାୟକ। ଯାହାକୁ ନେଇ ଏବେ ହରଡ଼ଘଣାରେ ଯନ୍ତ୍ରୀ ଓ ଛାୟା ଠିକାଦାର। ଏନେଇ ସମ୍ପୃକ୍ତ ଯନ୍ତ୍ରୀ ଗଗନ କୁମାର ବିନ୍ଧାଣିଙ୍କୁ ପଚାରିବାରୁ ଯେ ଲକ୍ଷ୍ମୀ ବସଷ୍ଟାଣ୍ଡ ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ପାଇଁ ବ୍ୟୟପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ଵିଧି ଲାଗୁଥୁବାରୁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇ ପାରି ନାହିଁ, ତେଣୁ ଆସନ୍ତା କାଲି ଠାରୁ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦେଶ ଦେଇଛି ଏବଂ ନିର୍ମାଣ କାର୍ଯ୍ୟ ସେମିତି କୌଣସି ନିମ୍ନ ମାନର ହୋଇନଥିବା ବେଳେ ବାଉତି ମନ୍ଦିର ଭାଙ୍ଗି ଥିବା ପାଚେରୀକୁ ତୁରନ୍ତ ନିର୍ମାଣ କରିବା ପାଇଁ ଉକ୍ତ ଠିକାଦାରଙ୍କୁ ତାଗିତ କରିଥିବା ଜଣାପଡ଼ିଛି।

Comments are closed.