ବୌଦ୍ଧ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବୌଦ୍ଧ: ଆସନ୍ତା ୪ ତାରିଖ ଦିନ ବୌଦ୍ଧରେ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ସହିତ କନ୍ଧମାଳ ଲୋକସଭା ପାଇଁ ଭୋଟ ଗଣତି କରାଯିବ। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ ଗଣତି କାର୍ଯ୍ୟ ହେବାକୁଥିବାବେଳେ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ଗଣତି ସମୟରେ ସହରରେ ବହୁ ସଂଖ୍ୟାରେ ସମର୍ଥକ ଜମା ହେବାର ସମ୍ଭାବନା ଥିବାରୁ ଏବଂ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଜିଲା ପୋଲିସ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ବିଏସଫ ଓ ଆଇଆରବି ଯବାନ ଏବଂ ଜିଲା ପୁଲିସର ତିନି ପ୍ଲାଟୁନ ପୁଲିସ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି। ବିଏସଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଅଜୟ କୁମାର ରଣା , ଆଇଆରବି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବ୍ରହ୍ମାନନ୍ଦ ପ୍ରଧାନ ଓ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ନେତୃତ୍ୱରେ ବୌଦ୍ଧ ରାମେଶ୍ୱର ମନ୍ଦିରଠାରୁ ଏହି ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇ ସହରର ପୁରୁଣା ବ୍ଲକଛକ, ଭୋରବୀ ଛକ, ଗାନ୍ଧୀଛକ, ବାଘଗୁଡା ଛକ, ହାତୀଶାଳ ଛକ, ନୁଆସାହି, ପୋଡାପଡ଼ା ଦେଇ ଶ୍ରୀଜଗନ୍ନାଥ ମନ୍ଦିରଠାରେ ଶେଷ ହୋଇଥିଲା। ଫ୍ଲାଗ ମାର୍ଚ୍ଚରେ ବୌଦ୍ଧ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।

 

Comments are closed.