ବୌଦ୍ଧ ଓ କଣ୍ଟାମାଳ ପାଇଁ ୧୭ ରାଉଣ୍ଡ ହେବ ଭୋଟ ଗଣତି 

ବୌଦ୍ଧ : ବୌଦ୍ଧରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ହୋଇସାରିଛି। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ୍‌‌ ଗଣତି କାର୍ଯ୍ୟ ୪ ତାରିଖ ସକାଳ ୮ ଘଣ୍ଟା ସମୟରେ ଆରମ୍ଭ ହେବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଗୋଟିଏ ଭୋଟ୍‌‌ ଗଣତି କେନ୍ଦ୍ରରେ ୮୫ କଣ୍ଟାମାଳ, ୮୬ ବୌଦ୍ଧ ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ଏକ ସଙ୍ଗରେ ଗଣତି କାର୍ଯ୍ୟ ଅନୁଷ୍ଠିତ ହେବ। କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨୧୭ଟି ବୁଥରେ ଭୋଟ୍‌‌ ଗଣତି ପାଇଁ ୧୪ଟି ଟେବୁଲ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୧୯୬ଟି ବୁଥରେ ଭୋଟ ୧୨ଟି ଟେବୁଲରେ ଗଣତି ହେବ। ଲୋକସଭା ପାଇଁ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ସମାନ ସଂଖ୍ୟାରେ ଟେବୁଲରେ ଗଣତି କରାଯିବ। ଏହାବ୍ୟତୀତ ୩ ଟି ଟେବୁଲରେ ପୋଷ୍ଟାଲ ଭୋଟ୍‌‌ ଗଣତି କରାଯିବ। ୪ ତାରିଖ ସକାଳ ୮ ଘଣ୍ଟା ସମୟରେ ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯିବ ଏବଂ ୮.୩୦ରେ ଷ୍ଟ୍ରଙ୍ଗରୁମରୁ ଇଭିଏମ ବାହାରି ଗଣତିି କାର୍ଯ୍ୟ ଆରମ୍ଭ କରାଯିବ। ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ୧୭ ରାଉଣ୍ଡ ଭୋଟ୍‌‌ ଗଣତି କରାଯିବା ପରେ ପୋଷ୍ଟାଲ ଭୋଟ୍‌କୁ ମିଶାଇ ଚୁଡାନ୍ତ ଭୋଟ ସଂଖ୍ୟା ଘୋଷଣା କରାଯିବ। ସଂପୁର୍ଣ୍ଣ ୧୭ ରାଉଣ୍ଡ ଭୋଟ ଗଣତି ଶେଷ ହେବାପରେ ଗଣତିର ସଠିକତା ପରୀକ୍ଷା ପାଇଁ ଯେକୌଣସି ୫ ଗୋଟି ଭିଭିପାର୍ଟକୁ ଖୋଲାଯାଇ ଗଣାଯିବ ଓ ଇଭିଏମ ସହିତ ମିଳାଯିବ। ସଂପୁର୍ଣ୍ଣ ଭୋଟ ଗଣତି ନସରିବା ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ନିରନ୍ତର ଜାରି ରହିବ ଏବଂ କୌଣସି ସମସ୍ୟା ନହେଲେ ସନ୍ଧ୍ୟା ୪ ଘଣ୍ଟା ମଧ୍ୟରେ ଭୋଟ ଗଣତି କାର୍ଯ୍ୟ ସମାପନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Comments are closed.