ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଗୁଡିନର୍ଦାବାସୀଙ୍କ ଭୋଟ ବର୍ଜନ
କେନ୍ଦୁଝରଗଡ଼଼: ଗାଁ କୁ ଯାତାୟାତ ଯୋଗ୍ୟ ରାସ୍ତା, ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ସେବା ନଥିବା ପ୍ରତିବାଦରେ ତେଲକୋଇ ନିର୍ବାଚନମଣ୍ଡଳୀ ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ୮ନଂ ୱାର୍ଡ ଗୁଡିନର୍ଦା ଗ୍ରାମବାସୀ ସାଧାରଣ ନିର୍ବାଚନ-୨୦୨୪ ଭୋଟ ବର୍ଜନ କରିଛନ୍ତି। ତେଲକୋଇ ନିର୍ବାଚନମଣ୍ଡଳୀର ତେଲକୋଇ ବ୍ଲକ ୧୭୯ନଂ ବୁଥ୍ ଗୁଡିନର୍ଦାବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଧାର୍ଯ୍ୟ ସମୟ ସୁଦ୍ଧା ଜଣେ ହେଲେ ଭୋଟର ମତସାବ୍ୟସ୍ତ କରିନଥିବା ଜଣାପଡ଼ିଛି। ଆଦିମ ଜନଜାତି ଜୁଆଙ୍ଗ ବସବାସ କରୁଥିବା ଏହି ଗ୍ରାମରେ ୯୦ ପରିବାର ବସବାସ କରୁଥିବା ବେଳେ ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ଅଭାବ, ଗାଁକୁ ପକ୍କା ରାସ୍ତା ନଥିବା ଏବଂ ବିଦ୍ୟୁତ ଯୋଗାଣ ହୋଇନଥିବାରୁ ବ୍ଲକ ପ୍ରଶାସନ ପାଖରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବହୁବାର ଅନୁରୋଧ କରି ଆସୁଥିଲେ। ଏପରିକି ଗ୍ରାମବାସୀଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ପ୍ରଶାସନ ବିଫଳ ହେଲେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା।
Comments are closed.