ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ : ଏସପି

ସମ୍ବଲପୁର: ରାଜ୍ୟର ହଟ ସିଟ ରୂପେ ପରିଣତ ସମ୍ବଲପୁର ଲୋକସଭା ଆସନ ସମେତ ଜିଲାର ସମସ୍ତ ବିଧାନସଭା ଆସନ ଗୁଡିକରେ ଆଗାମୀ ୨୫ ତାରିଖରେ ହେଉଥିବା ମତଦାନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କହିଛନ୍ତି। ବୁଧବାର ସକାଳ ସମୟରେ ସ୍ଥାନୀୟ ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତା ୨୫ ତାରିଖରେ ଜିଲାରେ ସାଧାରଣ ନିର୍ବାଚନ ହେଉଛି। ଏଥି ପାଇଁ ବିଭିନ୍ନ ଦିନ ମାନଙ୍କରେ ପୁଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସି ମାନଙ୍କ ସହିତ ମିଳିତ ଭାବରେ ଫ୍ଲାଗ ମାର୍ଚ୍ଚ କରାଯାଉଛି। ସିସିଟିଭି ଜରିଆରେ କଡା ନଜର ରଖାଯିବା ସହିତ ସ୍ୱତନ୍ତ୍ର ଚେକିଂ ପଏନ୍ଟ ଗୁଡିକ ଜରିଆରେ ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି। ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲା ଯାଇ ସବୁ ପରିସ୍ଥିତି ଉପରେ ମଧ୍ୟ କଡା ନଜର ରଖାଯାଇଛି। ଜିଲାରେ ସ୍ପର୍ଶକାତର ବୁଥ ଗୁଡିକର ଚିହ୍ନଟ କରାଯାଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶାନ୍ତି ପୁର୍ଣ୍ଣ ମତଦାନ ପାଇଁ ସମସ୍ତଙ୍କୁ ଅପିଲ କରାଯାଇଛି। ନିର୍ବାଚନୀ ହିଂସାକୁ ରୋକିବା ପାଇଁ ସମସ୍ତ ରାଜନୈତିକ ଦଳର ନେତା ଓ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରାଯାଇଛି। ସମସ୍ତେ ସହଯୋଗ କରୁଛନ୍ତି ଏବଂ ଆମେ ମଧ୍ୟ ଯୋଜନା କରିଛୁ। ନିର୍ବାଚନ ଆୟୋଗର ନିର୍ଦ୍ଦେଶକ୍ରମେ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀର ବାହାର ଲୋକ ସମ୍ବଲପୁର ଛାଡି ଚାଲି ଯାଆନ୍ତୁ ବୋଲି ଏସପି ଶ୍ରୀ ଭାମୁ କହିଛନ୍ତି।

Comments are closed.