ନୃସିଂହନାଥଙ୍କ ଜନ୍ମୋତ୍ସବ ପାଇଁ ନୂଆଶାସନ ଗ୍ରାମ ଉତ୍ସବମୁଖର

ପିପିଲି: ପିପିଲି ନିକଟବର୍ତ୍ତୀ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀନୃସିଂହନାଥଙ୍କ ଜନ୍ମୋତ୍ସବ ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ପ୍ରଭୂ ଶ୍ରୀନୃସିଂହନାଥଙ୍କ ମନ୍ଦିରରେ ବୁଧବାର ପ୍ରତ୍ୟୁଷରୁ ଠାକୁରଙ୍କ ବିଭିନ୍ନ ରୀତିନୀତି ସହ କେତେକ ସ୍ୱତନ୍ତ୍ର ନୀତି କରାଯାଇଥିଲା। ସକାଳେ ଠାକୁରଙ୍କ ନିକଟରେ ବଲ୍ଲଭ ଭୋଗ କରାଯାଇଥିବା ବେଳେ ପରେ ଚୁଡାଘଷା ଭୋଗ ଓ ଖେଚୁଡି ଭୋଗ ଆଦି କରାଯାଇଥିଲା। ସଂନ୍ଧ୍ୟାରେ ଠାକୁରଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ପାରମ୍ପରିକ ଶୋଭାଯାତ୍ରାରେ ନିଆଯାଇ ଚନ୍ଦନ ମଣ୍ଡପରେ ବିଜେ କରାଯାଇଥିଲା। ସେଠାରେ ଠାକୁରଙ୍କୁ ଚନ୍ଦନ ଜଳରେ ସ୍ନାନ କରାଯାଇଥିଲା। ଚନ୍ଦନମଣ୍ଡପରେ ଠାକୁର ଭକ୍ତ ମାନଙ୍କୁ ଦର୍ଶନ ଦେବାପରେ ସେଠାରେ ଠାକୁରଙ୍କ ଆଗରେ ପାରମ୍ପରିକ ଗୋଟିପୂଅ ନୃତ୍ୟ ପରିବେଷଣ କରାଯାଇଥିଲା। ସଂନ୍ଧ୍ୟାରେ ମନ୍ଦିରରେ ଠାକୁରଙ୍କର କେତେକ ସ୍ୱତନ୍ତ୍ର ଗୁପ୍ତନିତୀ କରାଯିବା ସହ ମାଜଣା ଆଦି କରାଯାଇଥିଲା। ସନ୍ତାନ ପ୍ରାପ୍ତି ପାଇଁ ପୁରୀ, ଖୋର୍ଦ୍ଧା, କଟକ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ମାନସିକଧାରୀ ମହିଳା ଶ୍ରଦ୍ଧାଳୁ ମାନେ ନିକଟବର୍ତ୍ତି ପୁଷ୍କରିଣୀରେ ସ୍ନାନପରେ ନୂତନ ବସ୍ତ୍ର ପରିଧାନ ପୂର୍ବକ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ପରେ ଠାକୁରଙ୍କ ସ୍ନାନ ଜଳକୁ ପାନ କରିଥିଲେ। ଏହି ଅବସରରେ ପ୍ରଭୂଙ୍କ ନୃସିଂହାବତାର ବେଶକୁ ମନ୍ଦିରରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ପରେ ରାତି ୧୦ଟାରେ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନରେ ଦକ୍ଷିଣସାହି ପରିକ୍ରମା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଦ୍ୱାରିଭୋଗ ଅର୍ପଣ କରାଯାଇଥିଲା। ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ ନାଗାନୃତ୍ୟ। ନାଗାନୃତ୍ୟରେ ଗାଁ ଦାଣ୍ଡ କମ୍ପି ଉଠିଥିବା ବେଳେ ଢୋଲ ବାଦ୍ୟର ତାଳେ ତାଳେ ନାଗାଙ୍କ ବିଭିନ୍ନ ଭଙ୍ଗିରେ ବୀରନୃତ୍ୟକୁ ସମସ୍ତେ ମନଭରି ଉପଭୋଗ କରିଥିଲେ। ପ୍ରଭୂ ଶ୍ରୀନୃସିଂହନାଥଙ୍କ ଏହି ଜନ୍ମଉତ୍ସବ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବିଭିନ୍ନ ସେବାକାର୍ଯ୍ୟ କରାଯାଇଥିଲା। ଦୁଇଦିନ ଧରି ପାଳନ କରାଯାଉଥିବା ଏହି ଉତ୍ସବରେ ଗୁରୁବାର ରାତିରେ ଉତ୍ତରସାହିରେ ଠାକୁରଙ୍କ ଯାତ୍ରା ଅନୁଷ୍ଠିତ ହେବ।

Comments are closed.