ବିରୋଧୀଙ୍କୁ ସମାଲୋଚନା କଲା ବିଜେପି

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ କେନ୍ଦ୍ରର ମୋଦୀ ସରକାର ୨୦୧୫ରେ ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ୫୦ କୋଟି ଟଙ୍କା ଦେଇଥିଲେ। ଏହାକୁ ନେଇ ଗତକାଲି ବିଜେଡିର ନେତା ଭି.କାର୍ତ୍ତିକେୟନ ପାଣ୍ଡିଆନ ଏକ ଭିଡିଓ ଜରିଆରେ ଖଣ୍ଡନ କରି କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ମିଛ କହୁଛନ୍ତି। ରାଜ୍ୟ ସରକାରଙ୍କୁ ୧୦ କୋଟି ଟଙ୍କା ମିଳିଛି ଓ ଆମେ ସେଥିରୁ ୬.୯୨ କୋଟି ହାଜାର ଟଙ୍କା ଖର୍ଚ୍ଚ କରିଛୁ। ଏହାକୁ ଆଜି ବିଜେପି ପକ୍ଷରୁ ଖଣ୍ଡନ କରାଯାଇ ସାମ୍ବାଦିକ ସମ୍ମିଳନୀରେ ତଥ୍ୟଭିତ୍ତିକ ଉତ୍ତର ରଖାଯାଇଛି । ବିଜେପିର ବରିଷ୍ଠ ନେତା ଡ଼.ପ୍ରମୋଦ ରଥ କହିଛନ୍ତି ଯେ, କେନ୍ଦ୍ର ମୋଦୀ ସରକାରଙ୍କର ପ୍ରସାଦ ଯୋଜନାରେ ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ପ୍ରଥମ ପର୍ୟ୍ୟାୟ ମାର୍ଚ୍ଚ ୨୦୧୫ରେ ୧୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ, ରାଜ୍ୟ ସରକାର ଉକ୍ତ ପାଣ୍ଠିର ବ୍ୟବହାର ଏଯାଏଁ ପ୍ରମାଣପତ୍ର ପ୍ରଦାନ କରିନାହାଁନ୍ତି।

ଅନ୍ୟପକ୍ଷରେ ଗତ ଦୁଇ ଦିନ ହେଲାଣି ବିଜେଡି ଦଳର ମାଗଣା ବିଦ୍ୟୁତ ପ୍ରସଙ୍ଗକୁ ନେଇ ଜନମାନସରେ ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜେଡି ପକ୍ଷରୁ ଦିଆଯାଇଥିବା ବିଜ୍ଞାପନରେ କେଵଳ ଏତିକି ଲେଖା ଯାଇଛି ଯେ ଜୁଲାଇ ମାସରୁ ଆଉ ଆସିବନି ବିଦ୍ୟୁତ ବିଲ। କିନ୍ତୁ, ବିଜେଡିର ମାଗଣା ବିଦ୍ୟୁତ ଯୋଗାଣ ବା ଜ଼ିରୋ ବିଲିଙ୍ଗକୁ ନେଇ ବିଜ୍ଞାପନରେ କୌଣସି ତଥ୍ୟ ସବିଶେଷ ବିବରଣୀ ନାହିଁ। ବିଜ୍ଞାପନ ଦ୍ୱାରା ଭୁଲ ପ୍ରଚାର ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ପ୍ରଲୋଭନ ଦେଖେଇ ଭୋଟ ହାତେଇବାକୁ ଅପଚେଷ୍ଟା କରୁଛି ବୋଲି ମଙ୍ଗଳବାର ବିଜେପି ଅଭିଯୋଗ କରିଛି।

Comments are closed.