ଚୌଦ୍ୱାରରେ ମହାପୁରୁଷ ସୁନ୍ଦରାବାବା ଜୟନ୍ତୀ, ଅଷ୍ଟପ୍ରହର ନାମଯଜ୍ଞ ଓ ଶନିଶ୍ଚର ଦେବଙ୍କ ଜୟନ୍ତୀ

ଚୌଦ୍ୱାର: ଏକୈଶ୍ୱରବାଦର ପ୍ରବକ୍ତା,ମହାନ୍‌‌ ସମାଜ ସଂସ୍କାରକ,ଦେଶର ପ୍ରଥମ ହାତଲେଖା ସମ୍ବାଦପତ୍ର ‘କୁଜିବର ପତ୍ର’ର ପ୍ରଣେତା ମହାତ୍ମା ସାଧୁସୁନ୍ଦର ଦାସଙ୍କ ୩୦୫ ତମ ଜୟନ୍ତୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆଗ୍ରାହାଟ ପଞ୍ଚାୟତ କୁଜିବରସ୍ଥିତ ସୁନ୍ଦରା ବାବା ସିଦ୍ଧପୀଠରେ ସମାରୋହରେ ପାଳିତ ହୋଇ ଯାଇଛି।ପ୍ରଭାତରୁ ସୂର୍ଯ୍ୟପୂଜା, ଗୋ ପୂଜନ, କଳସଯାତ୍ରା, ମହାପୂଜା ଆଦି ସହିତ ଯଜ୍ଞାରମ୍ଭ କରାଯାଇଥିଲା। ସାରାଦିନ ବ୍ୟାପି ଅନୁଷ୍ଠିତ ମହାଯଜ୍ଞରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଆହୁତି ପ୍ରଦାନ କରିଥିଲେ। ଶ୍ରଦ୍ଧାଳୁ ମାନେ ପୀଠରେ ପ୍ରସ୍ତୁତ ମହାପୁରୁଷଙ୍କ ପ୍ରସିନ୍ଧ ଭୋଗ ଦହି ପଖାଳ,ଶାଗଭଜା, ମହନ ଭୋଗ ଆଦି ପ୍ରସାଦ ସେବନ କରିଥିଲେ। ମାରଫତଦାର ଶରତ କୁମାର ସାହୁ, ଅନ୍ତର୍ଯ୍ୟାମୀ ଦାସ, ଉମେଶ ଚନ୍ଦ୍ର ସାହାଣୀ, ବାସୁଦେବ ସାହୁ, ସାଧୁ ସୁନ୍ଦର ସ୍ମୃତି କମିଟି ସମ୍ପାଦକ ଶରତ ଚନ୍ଦ୍ର ନାୟକ, ସାଧୁସୁନ୍ଦର ଆଳତୀ ସଂଘ, ସାଧୁ ସୁନ୍ଦର ସଂକୀର୍ତ୍ତନ ମଣ୍ଡଳୀ, ସ୍ମୃତି କମିଟିର ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଂଧ୍ୟାରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ସହିତ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଆନନ୍ଦ ବଜାରରେ ଅଞ୍ଚଳର ସହସ୍ରଧିକ ଲୋକ ପ୍ରସାଦ ସେବନ କରିଥିଲେ।

ଓଟିଏମ୍‌‌ କଲୋନୀ ଅନ୍ତର୍ଗତ ଦୂର୍ଗା ବଜାରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଦୂର୍ଗା ବଜାର ଯୁବକ ସଂଘ ଆନୁକୁଲ୍ୟରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ଏହି ନାମ ଯଜ୍ଞରେ ନାନା ଉପଚାର ପୂଜା ସହିତ ଅଞ୍ଚଳର ୪ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅଷ୍ଟପ୍ରହର ହରିନାମ ସଂକୀର୍ତ୍ତନ କରିଥିଲେ। ଯୁବକ ସଂଘର ସଦସ୍ୟ ବୃନ୍ଦ ଏବଂ ସ୍ଥାନୀୟ ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗ୍ରହରାଜ ଶନିଦେବଙ୍କ ଜନ୍ମଦିବସ ଅବସରରେ ଚୌଦ୍ୱାର ଅଞ୍ଚଳରେ ଥିବା ବିଭିନ୍ନ ଶନି ପୀଠ ଓ ମନ୍ଦିର ମାନଙ୍କରେ ଶନିବାର ଦିନ ମହାମେଳା ଅନୁଷ୍ଠିତ ହୋଇଯାଇଛି। ଭୋରରୁ ବିଭିନ୍ନ ଶନିପୀଠରେ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଯାଇ ମନ୍ଦିର ନିକଟ ପୁସ୍କରିଣୀରୁ ପବିତ୍ର ଜଳ ଆଣି ଶନିଦେବଙ୍କ ମସ୍ତକରେ ଜଳଲାଗି କରିବା ସହିତ ମାନସିକ ପୁରଣ ପାଇଁ ଦୀପଦାନ ଓ ଭୋଗରାଗ କରିଥିଲେ। ୪ନମ୍ବର ୱାର୍ଡ଼ ଅନ୍ତର୍ଗତ ବେଉରା ସାହିସ୍ଥିତ ବୁଢ଼ା ଶନି ପୀଠରେ ଭକ୍ତମାନେ ଜଳଲାଗି, ଦୀପଦାନ ଓ ଭୋଗ ଲାଗି କରିଥିଲେ। ପୀଠରେ ସାରାଦିନ ଧରି ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ନାମ ସଂକୀର୍ତ୍ତନ ଓ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କପାଳେଶ୍ୱର ଶନି ମନ୍ଦିର, ଚୌଦ୍ୱାର ଯାତ୍ରା ପଡ଼ିଆ ନିକଟ ଶନି ମନ୍ଦିର, ୧୭ ନମ୍ବର ୱାର୍ଡ଼ ନୂଆସାହି ଶନି ମନ୍ଦିର, ନଖରା ପଞ୍ଚାୟତ ଚାଞ୍ଚୋ ଗ୍ରାମର ଶନିମନ୍ଦିର, ଆଗ୍ରାହାଟ ଶନିଦେବ ମନ୍ଦିର, ଶାଳଗାଁ ପଞ୍ଚାୟତ ନୂଆଗାଁ ଓ କୟଳପଡ଼ା ଡିହସାହି ଶନି ମନ୍ଦିର ଆଦିରେ ରୀତିନୀତିରେ ପୂଜାର୍ଚ୍ଚନା ଓ ମେଳା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

Comments are closed.