ସହର ମଝିରେ ଉଛୁଳୁଛି ଡ୍ରେନର ମଇଳା ପାଣି

କଲମପୁର: କଲମପୁର ପରିମଳ ଗାଁର ମଇଳା ପାଣି ନିଷ୍କାସନ ନାଳିରୁ ଜଣାପଡେ। ଏହାସହ ଦିନକୁ ଦିନ ବଢ଼ିବାରେ ଲାଗିଛି କଲମପୁର ସହର ମଝିରେ ଅଳିଆ ଗଦା। ଗ୍ରାମ ପଞ୍ଚାୟତ ଅଳିଆ ସଫା କରିବାରେ ଅବହେଳିତ ଅବସ୍ଥା ପରିଲକ୍ଷିତ ହେଉଛି। ସବୁବେଳେ ଡ୍ରେନ ସେଫେଇ କରୁଥିବାର ପଞ୍ଚାୟତ ପକ୍ଷରୁ କୁହାଯାଉଥିବା ବେଳେ ସହର ମଝିରେ ଥିବା ଡ୍ରେନ ମାନଙ୍କରେ ସର୍ବଦା ଜମି ରହୁଛି ଅଳିଆ ଆବର୍ଜନା ସହ ମଇଳା ପାଣି। କେବେକେବେ ଲୋକ ଦେଖାଣିଆ ଡ୍ରେନ ସଫେଇ କରୁଥିବା ବେଳେ ଆଉ ଅନେକ ସମୟରେ ନିଘୋଡ଼ ନିଦ୍ରାରେ ପଞ୍ଚାୟତ ବିଭାଗ। ଏପଟେ ମୁଖ୍ୟ ସହରରୁ ମଇଳା ନିଷ୍କାସନ ପାଇଁ ତିଆରି ହେଇଥିବା ଡ୍ରେନ ମଇଳାରେ ଭର୍ତ୍ତି ସହରରେ ଥିବା ଦୋକାନ ସାମ୍ନାରେ ଉଛୁଲୁଛି ଆବର୍ଜନା ଓ ମଇଳା ପାଣି। ଏହି ଡ୍ରେନକୁ ସଫେଇ ପାଇଁ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ଅନେକ ଥର କହିବା ସତ୍ତ୍ୱେ ବି ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ କର୍ଣ୍ଣପାତ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପଟେ ବର୍ଷକୁ ଥରେ ପ୍ଲାଷ୍ଟିକ ମୁକ୍ତ ଦିବସ ପାଳନ ଅବସରରେ ସହରକୁ ପରିଷ୍କାର କରାଯାଉଥିବା ବେଳେ ବର୍ଷ ସାରା କଲମପୁର ଷ୍ଟେଟ ବ୍ୟାଙ୍କ କଡ଼ରେ ରାସ୍ତା ପାର୍ଶ୍ଵରେ ଜମି ରହୁଛି କଲମପୁର ସହରର ସବୁ ଅଳିଆ ଆବର୍ଜନା। ସଫା କରିବାର ନା ଧରୁନି ବିଭାଗ। ଫଳରେ ପରିବେଶ ଦୁର୍ଗନ୍ଧ ହେବା ସହ ଅପରିଷ୍କାର ବାତାବରଣ ସୃଷ୍ଟି ହେଉଛି।

Comments are closed.