ଦାଦା ବଟି ପାଇଁ ଗୁଳିକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନ ମହୀଧରପୁର ଗ୍ରାମରେ ଗତ ବୁଧବାର ସନ୍ଧ୍ୟାରେ ଦାଦାବଟି ଆଦାୟକୁ ନେଇ ଘଟିଥିବା ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇଜଣଙ୍କୁ ପୁଲିସ ୪୮ଘଣ୍ଟା ମଧ୍ୟରେ ଧରିବାରେ ସଫଳ ହୋଇଛି। ବିବରଣୀରୁ ପ୍ରକାଶ ମହୀଧରପୁର ଗ୍ରାମର ବୀରବର ପଲାଇଙ୍କ ପୁଅ କୁଲୁ ଓରଫ ଅଭିଜିତ୍‌‌ ପଲାଇ ନିଜ ମାମୁଁଙ୍କ ଟ୍ରାକ୍ଟରରେ ଏକ ଚାଷଜମିରୁ ମାଟି ଉଠାଇ ଅନ୍ୟତ୍ର ପକାଉଥିବା ବେଳେ ସେହି ଗ୍ରାମର ମେଘନାଦ ପଲାଇଙ୍କ ପୁଅ ଦିଲୁ ଓରଫ ଦିଲ୍ଲୀପ କୁମାର ପଲାଇ ଅନ୍ୟ ୩-୪ଜଣ ସହଯୋଗୀଙ୍କ ସହ ଆସି ତାଙ୍କୁ ଦାଦାବଟି ମାଗିଥିଲେ। ବଟି ଦେବାପାଇଁ ଅନିଚ୍ଛା ପ୍ରକାଶ କରିବାରୁ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ନିଜ ପକେଟରୁ ଏକ ଦେଶୀ ପିସ୍ତଲ ବାହାର କରି ଅଭିଜିତ୍‌‌ ଉପରକୁ ଗୁଳି ଚଳାଇଥିଲେ।

ଅଭିଜିତଙ୍କ ପେଟର ଡାହାଣ ପାର୍ଶ୍ବରେ ଗୁଳିଟି ପଶି ଯିବାରୁ ସେ ଗୁରୁତର ହୋଇ ଟ୍ରାକ୍ଟରରୁ ଖସି ପଡ଼ିଥିଲେ। ଗୁଳିକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ଓ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଜିତ୍‌‌ ଓରଫ କୁଲୁଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁଳିଟି ପେଟ ଭିତରେ ରହିଯାଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅସ୍ତ୍ରୋପଚାର ଓ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଏବେବି କଟକ ବଡ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଥରେ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ପେଟରୁ ଗୁଳି ଏ ପର୍ଯ୍ୟନ୍ତ ବାହାର କରାଯାଇନଥିବା ଜଣାପଡ଼ିଛି। କିଛିଦିନ ମଧ୍ୟରେ ତାଙ୍କର ଦ୍ୱିତୀୟ ଅସ୍ତ୍ରୋପଚାର କରାଯାଇ ଗୁଳିଟିକୁ ବାହାର କରାଯିବ ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ଆଠଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଅନିରୁଦ୍ଧ ମୁଦୁଲି ୩ଟି ଦଳ ଗଠନ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଥିଲେ। ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ସହଯୋଗୀଙ୍କ ମୋବାଇଲ ଟ୍ରାକିଂ କରି ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ଘଟଣା ଘଟାଇବା ପରେ ଆଠଗଡ଼ରୁ ବିଭିନ୍ନ ଉପାୟରେ ଖୁଣ୍ଟୁଣୀ, କଟକ ଓ ଭୁବନେଶ୍ୱର ଦେଇ ପୁରୀ ଯାଇଥିବା ଜଣାପଡ଼ିଥିଲା। ତାକୁ ପିଛା କରୁଥିବା ପୁଲିସ ଦଳ ଶୁକ୍ରବାର ରାତିରେ ଚୌଦ୍ୱାରର ଏକ ଗ୍ୟାରେଜ ନିକଟରୁ ଧରିବାରେ ସକ୍ଷମ ହୋଇଥିଲେ। ତାକୁ ପଚରାଉଚୁରା ବେଳେ ସହଯୋଗୀଙ୍କ ସୂଚନା ପାଇ ଅନ୍ୟ ଏକ ପୁଲିସ ଦଳ ଆଠଗଡ଼ ଜେଲ ରୋଡରେ ରହୁଥିବା ସନାତନ ନାୟକଙ୍କ ପୁଅ ରାମୁ ଓରଫ ସତ୍ୟବ୍ରତ ନାୟକଙ୍କୁ ଆଠଗଡ଼ ଅଞ୍ଚଳରୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପଠାରୁ ଏକ ଦେଶୀ ପିସ୍ତଲ ଓ ଗୁଳିକାଣ୍ଡ ପରେ ଖୋକା ପୁଲିସ ଜବତ କରିଛି। ଏ ସଂପର୍କରେ ଆଠଗଡ଼ ପୁଲିସ ପକ୍ଷରୁ ଶନିବାର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ମଲ୍ଲିକ ଓ ଆଇଆଇସି ଶ୍ରୀ ମୁଦୁଲି ଉପସ୍ଥିତ ରହି ଘଟଣାର ବିବରଣୀ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ କିପରି ଏବଂ କେଉଁଠାରୁ ଗିରଫ କଲେ ସେ ସଂପର୍କରେ ସୂଚନା ଦେଇଥିଲେ। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ସହିତ ବ୍ୟବହାର କରାଯାଇଥିବା ଏକ କାର ଓ ଅନ୍ୟ ଏକ ବାଇକକୁ ଖୁବ୍‌‌ଶୀଘ୍ର ଜବତ କରାଯିବ ବୋଲି ଦୁଇ ପୁଲିସ ଅଧିକାରୀ ପ୍ରକାଶ କରିଥିଲେ।

Comments are closed.