ଆଠଗଡ଼: ଓଡ଼ିଶା କଂଗ୍ରେସର ପ୍ରଭାରୀ ଡଃ ଅଜୟ କୁମାର ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ବିଜେପି ସହିତ ବିଜେଡିର ଅଘୋଷିତ ଅସାଧୁ ମେଣ୍ଟକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ବ୍ୟାପୀ ଦଳ ପକ୍ଷରୁ ବିଜେପି ସହ ବିଜେଡିର ବାହାଘର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଏହି ଅଭିନବ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା। ରାସରସିକପୁରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି ବର ହୋଇଥିବାବେଳେ ବିଜେଡି କନ୍ୟା ରୂପେ ଉପସ୍ଥାପିତ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବରପିତା ଓ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କନ୍ୟାପିତା ଭାବେ ଉପସ୍ଥାପିତ କରାଇ ବାଜା ଓ ରୋଷଣୀ ମଧ୍ୟରେ ଧୁମଧାମରେ ଏହି ବାହାଘର ଉତ୍ସବ ଆୟୋଜନ କରାଯାଇଥିଲା। ଜନସାଧାରଣଙ୍କୁ ଏହି ଦୁଇ ଦଳର ମଧୁଚନ୍ଦ୍ରିକା ଓ ଅସାଧୁ ମେଣ୍ଟ ସଂପର୍କରେ ଅବଗତ କରାଇବା ଲାଗି ଏହି ଅଭିନବ ପ୍ରୟାସ କରାଯାଇଥିବା କଂଗ୍ରେସ ନେତା ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସୋମନାଥ ଭକ୍ତା, ଇଂ ପ୍ରିୟବ୍ରତ ଦାସ, ବିପିନ ମହାପାତ୍ର, କୈଳାସ ଚନ୍ଦ୍ର ସାହୁ, ସଚ୍ଚିଦାନନ୍ଦ ପଣ୍ଡା, ଅଶୋକ ପ୍ରଧାନ, ବାଞ୍ଚାନିଧି ଜେନା ଓ ପ୍ରଶାନ୍ତ ବେହେରାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
Popular Categories



