ଆଜିଠାରୁ କଳାହାଣ୍ଡି ଉତ୍ସବ ଘୁମୁରା
ଭବାନୀପାଟଣା: କଳାହାଣ୍ଡି ଉତ୍ସବ ଘୁମୁରା ଆଜି ଠାରୁ ୧୭ ଜାନୁଆରୀ ଯାଏଁ ଭବାନିପାଟଣା ଲାଲ ବାହାଦୁର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେଥିପାଇଁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଉପ କମିଟିର କର୍ମକର୍ତ୍ତା ଯୋଗଦେଇ ନିଜ ନିଜ ବିଭାଗର ସୂଚନା ଦେଇଥିଲେ।
ଜିଲ୍ଲାର ବିଭିନ୍ନ ମନ୍ଦିରରୁ ମୋଟ ୧୦ଟି ସ୍ଥାନରୁ ମଶାଲ ଅଣାଯିବ। ସବୁ ମଶାଲକୁ ଗାନ୍ଧିଛକରେ ଆଜି ଗ୍ରହଣ କରାଯିବ। ତାପରେ ଉତ୍ସବ ସ୍ଥଳୀକୁ ବିରାଟ ଶୋଭାଯାତ୍ରାରେ ନିଆଯିବ। କେଜେଡଏସଏସର ସହାୟତାରେ ସ୍ଥାନୀୟ, ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେବେ ବୋଲି ସୂଚନା ଦିଆଯାଇଥିଲା। ଏଥିସହିତ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ମହାରାଷ୍ଟ୍ର ଲାବଣୀ ନୃତ୍ୟ, ପଶ୍ଚିମବଙ୍ଗ, ହରିୟାଣା, ପଞ୍ଜାବ ଆଦି ରାଜ୍ୟର ନୃତ୍ୟ ଦଳ ନିମନ୍ତ୍ରଣ କରାଯାଇଛି। ଚାରି ଦିନଧରି ଦିନ ତମାମ କବିତା ପାଠୋତ୍ସବ, ଆଲୋଚନା ଚକ୍ରର ଆୟୋଜନ କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୁଖ୍ୟ ମଣ୍ଡପ ରେଣ୍ଡୋ ମାଝି ମଂଚରେ ସାଙ୍କୃତିକ ସଭା ପରେ ଦୈନିକ ୧୫ରୁ ଅଧିକ ଲେଖାଏଁ ସାଂସ୍କୃତିକ ଦଳ ନିଜର କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିଭଳି ପାର୍ବା ମଞ୍ଚରେ ମୋଟ ୭୦ରୁ ଅଧିକ ଦଳ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦିନ ରାତିରେ ସର୍ବେଶ୍ଵର ଭୋଇ ଏବଂ ସାଥୀ , ରୁକୁ ସୁନା ଏବଂ ସାଥୀ , ସିମ୍ଫୋନି ପ୍ରୋଗ୍ରାମ ଏବଂ ଶତ୍ରୁଘ୍ନ ଲୋହାର ଏବଂ ସାଥୀ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଏଥର ପଲ୍ଲୀଶ୍ରୀ ମେଳାରେ ୧୩୬ଟି, ଡିଆଇସି କ୍ରାଫ୍ଟ ମେଳା ୨୯ଟି, ଫୁଡ୍ ଷ୍ଟଲ ୫୦ଟି, ସରକାରୀ ଷ୍ଟଲ ୨୮ଟି, ମୋଟ ୩୬୪ଟି ଷ୍ଟଲ ଖୋଲିବାର ବ୍ୟବସ୍ଥା ଅଛି।
ଚଳିତ ବର୍ଷର ଉତ୍ସବକୁ ସାଂସଦ ସୁଜିତ୍ କୁମାର ଉଦ୍ଘାଟନ କରିବାକୁ ଥିବା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି।
Comments are closed.