ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତାର ୫୮ ତମ ତମ ପ୍ରତିଷ୍ଠା ଦିବସ ଆସନ୍ତା ଜାନୁଆରୀ ୨ରେ ପାଳନ କରିବାକୁ ଯାଉଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗ ଦେଉଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହର ପ୍ରସାଦ ଦାସ ଯୋଗ ଦେବେ। ମୁଖ୍ୟ ବକ୍ତା ଭାବେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଳିପୁଡ଼ି ପଣ୍ଡିତ ପ୍ରମୁଖ ଯୋଗ ଦେଊଛନ୍ତି। ଏହି ଉତ୍ସବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ବିଶିଷ୍ଟ ସାହିତ୍ୟିକ ହର ପ୍ରସାଦ ଦାସଙ୍କୁ ସମ୍ମାନିତ କରାଯିବା ସହ ବିଶିଷ୍ଟ ଶିକ୍ଷାବିତ୍ କାମାଖି ପ୍ରସାଦ ଦାସ ଓ ବିଶିଷ୍ଟ ଗୀତିକାର ତଥା ନାଟ୍ୟକାର ବିପିନ ବିହାରୀ ମହାପାତ୍ରଙ୍କୁ ବିଶ୍ଵବିଦ୍ୟାଳୟ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ସେହିପରି ବରିଷ୍ଠ କୃଷ୍ଣ ଲୀଳା ସାଧକ ଗୋପୀନାଥ ସ୍ବାଇଁ ଓ ଗlହlଣ ଗାୟକ ଅଭିମନ୍ୟୁ ରାଉତଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ପ୍ରଦାନ କରାଯିବ ଏବଂ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ ଶିକତା ଦାସଙ୍କୁ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯିବ। ଏଥି ସହ ସମସ୍ତ ବିଭାଗର ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ସ୍ମାରକୀ ବୃତ୍ତି ଅର୍ଥରାଶି ପ୍ରଦାନ କରାଯିବ। ଅନ୍ତଃମହାବିଦ୍ୟାଳୟ ପ୍ରବନ୍ଧ, ବକୃତା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ, ଅଣ ଶିକ୍ଷକ କର୍ମଚାରୀ, ଶ୍ରେଷ୍ଠ ଏନ୍ ଏସ ଏସ ଅଧିକାରୀ ଏବଂ ସ୍ବେଛାସେବୀଙ୍କୁ ପୁରସ୍କାର ସହ ପ୍ରଶଂସା ପତ୍ର ପ୍ରଦାନ କରାଯିବ। ଏହି ଉତ୍ସବ ପାଇଁ ୭ଟି ଟିମ୍ ଗଠନ କରାଯାଇ ପ୍ରତିଷ୍ଠା ଦିବସକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ଦାୟିତ୍ଵ ବଣ୍ଟନ କରାଯାଇଛି।

Comments are closed.