ଏସଡିଏର ୨ ଗିରଫ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ବିଗତ ୩ ବର୍ଷରୁ ଅଧିକ ହେବ ନୁତନ କୋଠା ନିର୍ମାଣ ପାଇଁ ପ୍ଲାନ ଅନୁମତି ପ୍ରଦାନ ନିମନ୍ତେ ଆବେଦନକାରୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିବା ଏବଂ ନକଲି ଅନୁମତି ପତ୍ର ପ୍ରଦାନ ମାମଲାରେ ସମ୍ବଲପୁର ଉନ୍ନୟନ କତ୍ତୃପକ୍ଷ (ଏସଡିଏ) ର ଅଭିଯୁକ୍ତ କର୍ମଚାରୀ ମାନଙ୍କ ବିରୋଧରେ ପୁଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏବେ ଭିଜିଲାନ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏହି କ୍ରମରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଅଭିଯୁକ୍ତ ବନ୍ଦିତା ମହାପାତ୍ର ଓ ଲକ୍ଷ୍ମୀ ନାରାୟଣ ସାମଲଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ଅତର୍କିତ ଭାବରେ ଚଢ଼ଉ କରାଯାଉଛି। ଏହି ଚଢ଼ଉ ଅଭିଯାନ ସମୟରେ ଉଭୟ କର୍ମଚାରୀଙ୍କ ନିକଟରେ କୋଟି କୋଟି ଟଙ୍କା ଚଳ ଓ ଅଚଳ ସମ୍ପତ୍ତି ଠାବ କରାଯାଇଛି। ପ୍ରାପ୍ତସୂଚାନାନୁଯାୟୀ, ମଙ୍ଗଳବାର ସମ୍ବଲପୁର ଜିଲା ଭିଜିଲାନ୍ସ ଜଜଙ୍କ ତରଫରୁ ଜାରି ତଲାସି ୱାରେଣ୍ଟ ବଳରେ ୬ ଜଣ ଡିଏସପି, ୯ ଜଣ ଇନିସ୍ପକେଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ମାନେ ଏସଡିଏର ପୂର୍ବ ପ୍ଲାନିଂ ସଦସ୍ୟା ବନ୍ଦିତା ମହାପାତ୍ର ଏବଂ କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ସମ୍ବଲପୁର, ଭୁବନେଶ୍ୱର, ଅନୁଗୁଳ ଓ ମୟୁରଭଞ୍ଜ ଜିଲାରେ ଥିବା ବିଭିନ୍ନ ଠିକଣା ଗୁଡିକରେ ଏକକାଳୀନ ଚଢ଼ଉ କରାଯାଇଛି।

ଭିଜିଲାନ୍ସ ବିଭାଗର ଦ୍ୱାରା ଜାରି ସୂଚନାନୁଯାୟୀ, ବନ୍ଦିତା ମହାପାତ୍ରଙ୍କ ଚଳ ଓ ଅଚଳ ସମ୍ପତ୍ତି ଗୁଡିକ ଉପରେ ଚଢ଼ଉ ଅଭିଯାନରେ ଭୁବନେଶ୍ୱର ଗୌଡକନା ସ୍ଥିତ ନେତାଜୀ ସୁଭାଷ ଏନକ୍ଲେଭ ସ୍ଥିତ ଫ୍ଲାଟ, ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଏକ ତିନି ମହଲା ଭବନ, ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ସ୍ଥିତ ସମ୍ପର୍କିୟଙ୍କ ବାସଭବନ, ମୟୁରଭଞ୍ଜ ଜିଲା ଖୁଣ୍ଟା ରାଣୀବନ୍ଧ ସ୍ଥିତ ପୈତୃକ ଆବାସ ଓ ସମ୍ବଲପୁର ସ୍ଥିତ ଏସଡିଏ କାର୍ଯ୍ୟାଳୟ ପ୍ରକୋଷ୍ଠ ସାମିଲ ରହିଛି। ସେହିଭଳି କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଚଳ ଓ ଅଚଳ ସମ୍ପତ୍ତି ଗୁଡିକ ଉପରେ ଚଢ଼ଉ ଅଭିଯାନରେ ସମ୍ବଲପୁରର ବୁର୍ଲା ପାର୍କ ଲାଇନ ସ୍ଥିତ କ୍ୱାଟର, ସମ୍ବଲପୁର ବୁର୍ଲା ନିକଟସ୍ଥ କଣ୍ଟାପାଲି ସ୍ଥିତ ୩ ମହଲା ବିଶିଷ୍ଟ କୋଠା ଓ ସମ୍ବଲପୁରର ଦୁର୍ଗାପାଲି ସ୍ଥିତ ନୂତନ ଏସଡିଏ କାର୍ଯ୍ୟାଳୟ ପ୍ରକୋଷ୍ଠ ସାମିଲ ରହିଛି।

ଖବର ଲେଖାଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ବନ୍ଦିତା ମହାପାତ୍ରଙ୍କ ସଚଳ ଓ ଅଚଳ ସମ୍ପତ୍ତି ଗୁଡିକ ଉପରେ ଚଢ଼ଉ ସମୟରେ ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଏକ ତିନି ମହଲା ଭବନ (୫୪ଶହ ସ୍କୋୟାରଫୁଟ)ର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା, ଭୁବନେଶ୍ୱର ଗୌଡକନା ସ୍ଥିତ ନେତାଜୀ ସୁଭାଷ ଏନକ୍ଲେଭ ସ୍ଥିତ ଫ୍ଲାଟ, ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ସ୍ଥିତ ସମ୍ପର୍କିୟଙ୍କ ବାସଭବନ, ମୟୁରଭଞ୍ଜ ଜିଲା ଖୁଣ୍ଟା ରାଣୀବନ୍ଧ ସ୍ଥିତ ପୈତୃକ ଆବାସ, ମୟୁରଭଞ୍ଜ ଜିଲାର ବାରିପଦା ଅଞ୍ଚଳରେ ୪ଟି ଜମି, ନଗଦ ୩ ଲକ୍ଷ ୭୭ ହଜାର ୩୩୮ ଟଙ୍କା, ମ୍ୟୁଚଆଲ ଫଣ୍ଡରେ ୧.୦୧ କୋଟି ଟଙ୍କାର ଜମା ଏବଂ ଏକ ମାରୁତି ସ୍ୱିଫ୍ଟ ଡିଜାୟାର କାର ଚଢ଼ଉ ସମୟରେ ଠାବ କରାଯାଇଛି। ଏହି ଚଢ଼ଉ ଅଭିଯାନ ଏବେ ମଧ୍ୟ ଜାରି ରହିଛି ଏବଂ ଆହୁରୀ ଅଧିକ ସମ୍ପତ୍ତି ଠାବ ହେବାର ଆଶା ଭିଜିଲାନ୍ସ ବିଭାଗ ରଖିଥିବାର ଜଣାପଡ଼ିଛି।

ସେହିଭଳି କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଚଳ ଓ ଅଚଳ ସମ୍ପତ୍ତି ଗୁଡିକ ଉପରେ ଚଢ଼ଉ ସମୟରେ ସମ୍ବଲପୁର ବୁର୍ଲା ନିକଟସ୍ଥ କଣ୍ଟାପାଲି ସ୍ଥିତ ନୂତନ ନିର୍ମିତ ୩ ମହଲା ବିଶିଷ୍ଟ କୋଠା (୭ ହଜାର ସ୍କୋୟାର ଫୁଟ) ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା, ବୁର୍ଲା ଅଞ୍ଚଳରେ ୫ଟି ମୂଲ୍ୟବାନ ଜମି, ୨ଟି ଚାରି ଚକିଆ କାର (ହୋଣ୍ଡା ସିଟି ଓ ମାରୁତି ଭିଟାରା ବ୍ରିଜା), ଗୋଟିଏ ଦାମୀକିଆ ମୋଟର ସାଇକେଲ (ହରନେଟ) ଏବଂ ନଗଦ ୯୦ ହଜାର ୨୯୦ ଟଙ୍କା ମିଳିଥିବା ବେଳେ ଠାବ କରାଯାଇଥିବା ଜମି, ବ୍ୟାଙ୍କ, ଡାକଘର ଜମା, ବୀମା ରାଶି ଓ ଅନ୍ୟାନ୍ୟ ଜମା ଖାତା ଗୁଡିକର ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ ଯେ, ଗତ ୧୮ ଅଗଷ୍ଟରେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ସଦସ୍ୟା ୨ଟି ନକଲି ଗୃହ ନିର୍ମାଣର ଅନୁମତି ପତ୍ର ପ୍ରଦାନ କରାଯାଇଥିବା ଅଭିଯୋଗ କ୍ଷେତରାଜପୁର ଥାନାରେ କରିଥିଲେ। ଏହି ଘଟଣାର ତଦନ୍ତ ସମୟରେ ନକଲି ଗୃହ ନିର୍ମାଣର ଅନୁମତି ପତ୍ର ପ୍ରଦାନ ଆଳରେ ୩ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ହୋଇଥିବାର ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ୨୨ ଅଗଷ୍ଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଅଗଷ୍ଟ ୨୨ ତାରିଖରେ ସମ୍ବଲପୁର ପୁଲିସ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୧୮ ଅଗଷ୍ଟରେ କ୍ଷେତରାଜପୁର ଥାନାରେ ରୁଜୁ ହୋଇଥିବା ୨ଟି ମାମଲା ୨୦୯/୨୦୨୩ ଓ ୨୧୦/୨୦୨୩ରେ ଏହି ଘଟଣାର ମୁଖ୍ୟ କାର୍ପଟଦାର ରୂପେ ସେ ସମୟରେ ଏସଡିଏସର କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲ ଓରଫ ବୁଲୁ (୩୨), ଷ୍ଟୋନୋ ସୁଧାଂଶୁ କିଶୋର ପତି (୫୯), କାଈଶିର ନିବାସୀ ଅଜୟ ବେହେରା (୪୭), ବଡମାଳ ନିବାସୀ ବିକାଶ ଜଗତ (୩୬) ଓ କୁଲୁଥକାନୀ ନିବାସୀ ଡମ୍ବରୁଧର ତ୍ରିପାଠୀ (୪୦) ଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲେ। ତଦନ୍ତ ସମୟରେ ୫୪ଟି ଅଭିଯୋଗ ୨୦୨୦ ରୁ ୨୦୨୩ ମସିହା ମଧ୍ୟରେ ହସ୍ତଗତ ହୋଇଥିବା ଏବଂ ଅଭିଯୁକ୍ତ ମାନଙ୍କ ନିକଟରୁ ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର, ନକଲି ଷ୍ଟାମ୍ପ, ୨ଟି କାର, ଗୋଟିଏ ବାଇକ, ଜମି କାଗଜପତ୍ର, ୫ଟି ମୋବାଇଲ ଫୋନ, ଗୋଟିଏ କମ୍ପ୍ୟୁଟର ସେଟ, ଏକ ଲାପଟଫ ସମେତ ବିଭିନ୍ନ ବ୍ୟାଙ୍କ ଗୁଡିକରେ ଜମା ରହିଥିବା ୩ କୋଟି ୩୧ ଲକ୍ଷ ୯୭ ହଜାର ୨୨୭ ଟଙ୍କା ଗୁଡିକୁ ମଧ୍ୟ ସିଜ କରିଥିଲା। ଗିରଫ ଅଭିଯୁକ୍ତ ମାନେ ଗୃହ ନକ୍ସ ପାସ କରିବା ବଦଳରେ ପ୍ରତି ବ୍ୟକ୍ତିଙ୍କ ଠାରୁ ୧.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ମଧ୍ୟ ନେଇଥିବା ଏସପି କହିଛନ୍ତି। ଅଭିଯୁକ୍ତ ମାନେ ଗୃହର ନକ୍ସା ପାସ କରିବା ପାଇଁ ଯେଉଁ ସମୟ ଲାଗୁଛି, ତାହାକୁ କମ କରିବା ନାମରେ ଲୋକଙ୍କୁ ଠକୁଥିବା ବେଳେ ଅନେକ ସମୟରେ ଜାଣିଶୁଣି ପୁରା କାଗଜପତ୍ର ଠିକ ନ ଥିବାର ବାହାନା ଦେଖାଇ ହଇରାଣ କରି ଟଙ୍କା ଆଦାୟ କରୁଥିଲେ। ସେମାନେ ନିଜେ ନକଲି ସିଲ, ଜାଲ ଦସ୍ତଖତ ଆଦି କରି କାଗଜପତ୍ର ନିର୍ମାଣ କରି ଲୋକଙ୍କୁ ଠକେଇ କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଥିଲା। ପରବର୍ତ୍ତୀ ସମୟରେ ତଦନ୍ତର ପରିଧି ବୃଦ୍ଧି ପାଇବା ପରେ ଏହି ଗଡ଼ବଡ ଘୋଟାଲାର ମାଷ୍ଟର ମାଇଣ୍ଡ କୁହଯାଉଥିବା ଏସଡିଏସର ପ୍ଲାନିଂ ସଦସ୍ୟା ବନ୍ଦିତା ମହାପାତ୍ରଙ୍କୁ ସେପ୍ଟେମ୍ବର ୬ ତାରିଖରେ ପୁଲିସ ଏସଡିଏ କାର୍ଯ୍ୟାଳୟରୁ ଗିରଫ କରିଥିଲା। ଏହି ଘଟଣାରେ ଆହୁରୀ ୧୦ରୁ ଉର୍ଦ୍ଧ ମାମଲା ସମ୍ବଲପୁରର ବିଭିନ୍ନ ଥାନାରେ ଇତି ମଧ୍ୟରେ ରୁଜୁ ହୋଇଥିବା ବେଳେ ଆହୁରୀ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି।

Comments are closed.