ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପିର ମିଶ୍ରଙ୍କ ଅଦାଲତରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୧୧ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୬୩ ଲକ୍ଷ ୫୨ ହଜାର ୬୧ ଟଙ୍କା ଆଦାୟ କରାଯାଇଥିବା ବେଳେ, ୨୪ଟି ବି.ଏସ୍.ଏନ୍.ଏଲ୍. ମାମଲା ବିଚାର କରାଯାଇ ୫୭ ହଜାର ୩୨୦ ଟଙ୍କା ଆଦାୟ କରାଯାଇଛି। ସେହିପରି ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୪ ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୧ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ୨ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ୯ ଲକ୍ଷ ୭୫ ହଜାର ଟଙ୍କା ଆଦାୟ କରାଯାଇଛି। ୧୩ ଗୋଟି ବୈବାହିକ ବିବାଦ ଫଇସଲା କରାଯାଇ ୧ ଲକ୍ଷ ୩୩ ହଜାର ୪୦୦ ଟଙ୍କା ଆଦାୟ କରାଯାଇଛି। ତେବେ ୧୧ଟି ଅପରାଧିକ କମ୍ପାଉଣ୍ଡେବଲ୍, ୨ଟି ଏନ୍.ଆଇ. ଆକ୍ଟ , ୩ଟି ଅନ୍ୟାନ୍ୟ ସିଭିଲ୍ ମାମଲା ଓ ୨୧୬ ଗୋଟି ଅନ୍ୟାନ୍ୟ ଅପରାଧିକ ମାମଲାର ଫଇସଲା ମଧ୍ୟ କରାଯାଇଛି।
ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୩୫ଟି ଓ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୨୫୧ଟି ମାମଲାର ଫଇସଲା କରାଯାଇଛି ବୋଲି ଜଣାପଡ଼ିଛି। ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସତ୍ୟପିର ମିଶ୍ର, ପାରିବାରିକ ଅଦାଲତ ବିଚାରପତି ଦେବଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ଜଜ୍ ଓ ସେସନ୍ ଜଜ୍ ସୈକତ୍ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୌମ୍ୟ ସୁଭଦର୍ଶିନୀ, ସହକାରୀ ସେସନ୍ ଜଜ୍- ମହିଳା କୋର୍ଟ, ଫୁଲବାଣୀ ବିଶ୍ୱକଲ୍ୟାଣୀ ମିଶ୍ର, ପ୍ରଧାନ ମାଜିଷ୍ଟ୍ରେଟ୍, ଜୁଭେନିଲ ଜଷ୍ଟିସ ବୋର୍ଡ, ଫୁଲବାଣୀ ନିତିଶା ଚନ୍ଦକ୍, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅନୁଶିଲା ରୟ, ଏସ୍.ଡି.ଜେ.ଏମ୍, ଫୁଲବାଣୀ ଅରିଜିତ୍ ଦାସ, ଜେ.ଏମ୍. ଏଫ୍.ସି., ଫୁଲବାଣୀ ସୁଶ୍ରୀ ସୌମ୍ୟାଶ୍ରୀ ମହାପାତ୍ର ଏବଂ ସୁଶ୍ରୀ ସ୍ୱାଗତିକା ସ୍ୱାଇଁଙ୍କ ଇଜ୍ଲାସରେ ମାମଲା ଗୁଡ଼ିକର ବିଚାର କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀର ସମସ୍ତ କର୍ମଚାରୀଙ୍କ ସହାୟତାରେ ଏହି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩କୁ ସଫଳ କରିଥିଲେ।



