କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଲିସାନ ହୋଟେଲ ନିକଟରୁ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସଦସ୍ୟ ମାନେ ପଦଯାତ୍ରା ଓ ବାଇକ ରାଲି ମାଧ୍ୟମରେ ସହର ମୁଖ୍ୟ ମାର୍ଗ ଦେଇ ସହର ପରିକ୍ରମା କରି ସ୍ଥାନୀୟ ମଙ୍ଗଳ ଭବନ ଠାରେ ଏକ ସଭା ର ଆୟୋଜନ କରାଯାଇଥିଲା। ସଭାରେ ଜିଲ୍ଲା ସମ୍ପାଦକ ଇଶାକ ସାଗର, କୋଷାଧ୍ୟକ୍ଷ ଅମିତ ଦନସେନା, କଣ୍ଟାବାଞ୍ଜି ସଙ୍ଘ ସଭାପତି ପରମାନନ୍ଦ ହାତୀ, ଉପସଭାପତି ନନ୍ଦଲାଲ କୁମ୍ଭାର, ସୁରଜିତ ସିଂ ମାଖିଜା, ଦେବରାଜ ୟାଦବ, ଶମ୍ଭୁ ତାଣ୍ଡି, ଜିତ ଧାରୁଆ, ଆରୀ ମହାନନ୍ଦ, ପ୍ରସାଦ ବାଗ ପ୍ରମୁଖ ସହଯୋଗ କରିଥିଲେ। ସଭାରେ ସହରର ଟ୍ରାଫିକ ସମସ୍ୟା, ଡ୍ରାଇଭର ମାନଙ୍କୁ ଆକ୍ରୋଶର ଶିକାର ହେଉଥିବା ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଆଜି ଦିନ ୧୨ଟାରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଦିବସ ପାଳିତ ହୋଇଛି। ଫିରିଙ୍ଗିଆ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ବ୍ଲକ ଉପ ସଭାପତି ବଂଶୀଧର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଡ୍ରାଇଭର ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ସମ୍ପାଦକ ରମାକାନ୍ତ ପ୍ରଧାନ, ବ୍ଲକ ଆଡମିନ ଉମାକାନ୍ତ ପ୍ରଧାନ, ମାନୁଏଲ ଦିଗାଲ, ଟୁକୁନ ପ୍ରଧାନ, ରଘୁ ଦିଗାଲ, ତ୍ରିନାଥ ବିନ୍ଧାଣି, ସିମନ ଦିଗାଲଙ୍କ ସହ ଫିରିଙ୍ଗିଆ ବ୍ଲକର ୨୪ଟି ପଞ୍ଚାୟତର ୫୦୦ରୁ ଅଧିକ ଡ୍ରାଇଭର ମାନେ ଯୋଗ ଦେଇଥିଲେ।
ପାଟଣା: ସାରା ରାଜ୍ୟରେ ଡ୍ରାଇଭର ମାନେ ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ରୂପେ ପାଳନ କରୁଥିବା ବେଳେ ଏହି ଅବସରରେ ସାହାରପଡା ଡ୍ରାଇଭର ମହାସଂଘ ମହାନତା ଦେଖାଇଛି। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କପୁଣ୍ଡି ଗ୍ରାମପଞ୍ଚାୟତର କପୁଣ୍ଡି ଗ୍ରାମର ରମାକାନ୍ତ ମହାନ୍ତ କିଛି ଦିନ ପୂର୍ବରୁ କୁଆ ଝରଣ ଘାଟିରେ ସେ ଚଳାଉ ଥିବା ହାଇୱା ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିବାରୁ ତାଙ୍କର ଗୋଟିଏ ଗୋଡ଼ ଏବଂ ଗୋଟିଏ ହାତ ଭାଙ୍ଗି ଯାଇଥିଲା। ତେବେ ପରିବାର ପ୍ରତିପୋଷଣ କରୁଥିବା ରମାକାନ୍ତ ବର୍ତ୍ତମାନ ନିରୁପାୟ ହୋଇ ପଡିଥିବା ବେଳେ ସାହାରପଡା ଡ୍ରାଇଭର ମହାସଂଘର ସଭାପତି ଗୋବର୍ଦ୍ଧନ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ କୋଷାଧ୍ୟକ୍ଷ ପବିତ୍ର ମହାନ୍ତ ଏବଂ ଅନ୍ୟ ସାଥି ମାନେ କପୁଣ୍ଡି ସ୍ଥିତ ରମାକାନ୍ତ ମହାନ୍ତଙ୍କ ବାସଭବନକୁ ଆସି ତାଙ୍କୁ ୫ ହଜାର ୭୧୧ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।
ଫୁଲବାଣୀ: ରାଷ୍ଟ୍ରୀୟ ଡ଼୍ରାଇଭର ଦିବସ ଅବସରରେ କନ୍ଧମାଳ ଜିଲାର ବିଭିନ୍ନ ବ୍ଳକ ସ୍ତରରେ ଓଡ଼ିଶା ଡ଼୍ରାଇଭର ମହାସଂଘର ବ୍ଳକ ସ୍ତରୀୟ ଶାଖା ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଫୁଲବାଣୀ ଶାଖା ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ମନୋଜ ଉପାଧ୍ୟାୟ ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରକ୍ତ ଭଣ୍ଡାର ଅଧିକାରୀ ଡ଼.ଜୟଦୀପ ଘୋଷ, ମାଇକ୍ରୋବାଇଲୋଜିର ମୁଖ୍ୟ ସବିତା ନାୟକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଡ଼୍ରାଇଭର ସଂଘର ୬୧ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ଫୁଲବାଣୀ ଡ଼୍ରାଇଭର ମହାସଂଘର ସଭାପତି ଜ୍ୟୋତି ରଂଜନ ବିଶ୍ୱାଳ, ସଂପାଦକ ସୁନିଲ୍ କହଁର, କୋଷାଧ୍ୟକ୍ଷ ସନ୍ତୋଷ ନାୟକ, କର୍ମକର୍ତ୍ତା ସୁଲତାନ୍ ଖାଁ, ବୈଦ୍ୟନାଥ କହଁର, ଜୋଗିନାଥ ମହାପାତ୍ରଙ୍କ ସମେତ ଉପଦେଷ୍ଟା ମିଲନ ନାୟକ, ଜିଲା ସଂପାଦକ ବଳରାମ ନାୟକ ପ୍ରମୁଖ ରକ୍ତଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରକ୍ତଭଣ୍ଡାରର ସମସ୍ତ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।



