ଆଠଗଡ: ଆଠଗଡରେ ଏକ ଘରୋଇ ବ୍ୟାଙ୍କରୁ ଜଣେ ଏଜେଣ୍ଟ ଟଙ୍କା ଉଠାଇ ନେବାର କିଛି ସମୟ ପରେ ଆସି ଟଙ୍କା ବଦଳରେ କାଗଜ ନୋଟ ବୋଲି ଅଭିଯୋଗ କରି ବ୍ୟାଙ୍କରେ ପାଟିତୁଣ୍ଡ କରିଥିଲେ। ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ଏନେଇ ପୋଲିସର ସହାୟତା ନିଆଯିବା ପରେ ସଂପୃକ୍ତ ଏଜେଣ୍ଟଙ୍କୁ ଥାନାରେ ଅଟକ ରଖାଯାଇଛି। ଆଠଗଡ ସହରର ବୀରକିଶୋରପୁରଠାରେ ଥିବା ଏକ ଘରୋଇ ବ୍ୟାଙ୍କରୁ ସଂପୃକ୍ତ ବ୍ୟାଙ୍କର ଏଜେଣ୍ଟ ଥିବା ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁରରେ ରହୁଥିବା ପ୍ରମୋଦ ପଣ୍ଡାଙ୍କ ପୁତ୍ର ଶିବ ପଣ୍ଡା ନଗଦ ୨ ଲକ୍ଷ ଟଙ୍କା ଉଠାଇ ଥିଲେ। ଟଙ୍କା ନେଇ ସେ ନୂଆପାଟଣାସ୍ଥିତ ଆର୍ଶୀବାଦ ଗୋଲଡ ଲୋନ କାର୍ଯ୍ୟାଳୟକୁ ଯାଉଥିଲେ। ଯିବା ସମୟରେ ଆଠଗଡ ବୀରକିଶୋରପୁର ଛକଠାରେ ଦହିବରା ଖାଇଥିଲେ। ଦହିବରା ଖାଇ ସାରି ଯିବା ପରେ ବ୍ୟାଗ ମଧ୍ୟରେ ଥିବା ଟଙ୍କା କାଗଜ ବିଡା ହୋଇଗଲା ବୋଲି ସେ ଦେଖିବା ପରେ ଶିବ ସଂପୃକ୍ତ ଘରୋଇ ବ୍ୟାଙ୍କକୁ ଆସି ପାଟିତୁଣ୍ଡ କରିଥିଲା। ଫଳରେ ବ୍ୟାଙ୍କ ପକ୍ଷରୁ ଜରୁରୀକାଳୀନ ସେବା ନମ୍ବର ୧୧୨କୁ ଅଭିଯୋଗ କରାଯାଇଥିଲା।
ସୂଚନା ପାଇ ଆଠଗଡ ପୋଲିସ ପହଞ୍ଚି ସଂପୃକ୍ତ ଏଜେଣ୍ଟକୁ ଅଟକ ରଖିଥିବା ଜଣାପଡିଛି। ସନ୍ଧ୍ୟା ସମୟରେ ବ୍ୟାଙ୍କର କର୍ମଚାରୀ ମାନେ ଥାନାକୁ ଆସିଥିଲେ ମଧ୍ୟ ଏହି ରିପୋର୍ଟ ଲେଖା ପର୍ଯ୍ୟନ୍ତ ଆଠଗଡ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ଜଣାପଡିଛି। ଘଟଣା ସଂପର୍କରେ ସଂପୃକ୍ତ ବ୍ୟାଙ୍କ ପରିଚାଳକଙ୍କୁ ଯୋଗାଯୋଗ ପାଇଁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ସଂପୃକ୍ତ ଏଜେଣ୍ଟ ବ୍ୟାଙ୍କରେ କିପରି ଭାବରେ ନିଯୁକ୍ତି ପାଇଥିଲେ, କମିଶନ ନା ବେତନ ପାଉଥିଲେ, ତାଙ୍କର ପୂର୍ବ ରେକର୍ଡ କଣ ଥିଲା ନା କିଛି ଅସାଧୁ ବ୍ୟାଙ୍କ କର୍ମଚାରୀ ଏ ଘଟଣାରେ ସଂପୃକ୍ତ ଅଛନ୍ତି ତାହା ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ।



