ବାର ଆସୋସିଏଏସ ହଲ ବାହାର ରାସ୍ତାରେ ୮ ରାଉଣ୍ଡ ଫାଙ୍କା ଗୁଳି ଚାଳନା!

ଅନୁଗୋଳ: ଅନୁଗୋଳ ଜିଲା ସଦର ମହକୁମା ଅଦାଲତ ପରିସରରେ ଶନିବାର ଅପରାହ୍ନ ସାଢେ ୫ଟାରୁ ୬ଟା ଭିତରେ ୮ ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଛି। ଶନିବାର ରାଜ୍ୟ ବାର କାଉନସିଲ ପାଇଁ ମତଦାନ ଥିଲା। ଅନୁଗୋଳ ବାର ଆସୋସିଏସନ ପରିସରରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଥିଲା। ତେବେ ଭୋଟ ଗ୍ରହଣ ପରେ ବାର ଆସୋସିଏଏସ ହଲ ବାହାରେ ରାସ୍ତା ଉପରେ ୮ ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଥିବା ଅଭିଯୋଗ ଆସିଛି। ନିର୍ବାଚନ ଶେଷ ହେବାପରେ କିଛି ସମର୍ଥକ ମତୁଆଲା ହୋଇ ଏଭଳି କାଣ୍ଡ କରିଥିବାର ଆଲୋଚନା ହେଉଛି। ତେବେ ଏ ନେଇ ଅନୁଗୋଳ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଗୁଳି ଚାଳନା ନେଇ କୌଣସି ତଥ୍ୟ ନଥିବା ଅନୁଗୋଳ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଘଟଣାର ସତ୍ୟାସତ୍ୟ ନେଇ କୌଣସି ସଠିକ ଖବର ମିଳି ପାରି ନଥିବା ବେଳେ କିଏ କାହିଁକି ଏଭଳି ଫାଙ୍କା ଗୁଳି ଚାଳନା କଲା ତାର ସଠିକ ଅନୁସନ୍ଧାନ ହେବା ଆବଶ୍ୟକ ରହିଛି। କଥା ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ। ପୂର୍ବରୁ ଅନୁଗୋଳ ସହରରେ ଏଭଳି ଘଟଣା ଘଟି ନାହିଁ। ତେଣୁ ଜିଲା ଆରକ୍ଷୀ ଅଧିକ୍ଷକ ଏହାର ସଠିକ ତଦନ୍ତ କରି ତଥ୍ୟ ଲୋକ ଲୋଚନକୁ ଆଣିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Comments are closed.