ଡେସ୍କ: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସହାୟକ ସେକ୍ସନ ଅଧିକାରୀଙ୍କୁ ମାଡମାରି ଆହତ କରିଥିବା ଜଣାପଡିଛି। ଗତ ଜୁଲାଇ ୭ ତାରିଖ ରାତିରେ ପୁରୀସ୍ଥିତ ରାଜଭବନରେ ଏହି ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି। ଘଟଣା ଘଟିବାର ପରଦିନ ଅର୍ଥାତ ଜୁଲାଇ ୮ରେ ଆହତ ସରକାରୀ କର୍ମଚାରୀ ଜଣଙ୍କ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ମୌଖିକ ଭାବେ ଅବଗତ କରିଥିଲେ ମଧ୍ୟ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେବା ଭଳି ମନେ ହେଉଛି।
ସମ୍ପୃକ୍ତ ଅଧିକାରୀ (ଏଏସଓ) ବୈକୁଣ୍ଠ ପ୍ରଧାନ ପୁରୀସ୍ଥିତ ରାଜଭବନର ପ୍ରଭାରୀ ଭାବରେ ଚଳିତ ଜୁଲାଇ ୭ ଓ ୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଓ ରହଣି ପାଇଁ ପୁରୀସ୍ଥିତ ରାଜଭବନର ପ୍ରସ୍ତୁତି ଓ ତଦାରଖ କରିବା ପାଇଁ ୫ ତାରିଖରୁ ପୁରୀ ରାଜଭବନରେ ଥିଲେ। ୭ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ଶ୍ରୀ ପ୍ରଧାନ ତାଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂହ କାର୍ଯ୍ୟାଳୟକୁ ଆସି ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ତାଙ୍କୁ ଡାକୁଥିବା କହିଥିଲେ। କାଳବିଳମ୍ବ ନ କରି ଶ୍ରୀ ପ୍ରଧାନ ରୋଷେୟା ଆକାଶଙ୍କ ସହ ସୁଇଟ୍ ନଂ-୪ରେ ଲଳିତ କୁମାରଙ୍କୁ ଭେଟିବାକୁ ଯାଇଥିଲେ। ତେବେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଶ୍ରୀ ପ୍ରଧାନଙ୍କୁ ଦେଖିବା କ୍ଷଣି ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ଅତ୍ୟନ୍ତ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
କେବଳ ସେତିକି ନୁହେଁ, ଓଡିଶା ରାଜ୍ୟପାଳଙ୍କ ପୁଅ ସହ ଅନ୍ୟ ୬ ଜଣ ମଧ୍ୟ ଶ୍ରୀ ପ୍ରଧାନଙ୍କୁ ଚାପୁଡ଼ା ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ଅନ୍ୟ ଏକ ସ୍ଥାନରେ ଲୁଚି ଯାଇଥିଲେ ମଧ୍ୟ ରାଜ୍ୟପାଳଙ୍କ ପୁଅ ଲଳିତର ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପୁଣି ତାଙ୍କୁ ଟାଣି ଟାଣି ୪ ନମ୍ବର ରୁମ୍ ଭିତରକୁ ଟାଣି ନେଇଥିଲେ ଓ ସେଠାରେ ସୁରକ୍ଷାକର୍ମୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସେମାନେ ଶ୍ରୀ ପ୍ରଧାନଙ୍କ ମୁହଁରେ ମୁକ୍କା ମାରିବା ସହ ଗୋଇଠା ମାରିଥିଲେ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ବାରମ୍ବାର କହିଥିଲେ ଯେ, ଯଦି ସେମାନେ ମୋତେ ହତ୍ୟା କରନ୍ତି, ତେବେ ମୋତେ କେହି ବଞ୍ଚାଇ ପାରିବେ ନାହିଁ। ଏହି ଘଟଣା ସମ୍ପର୍କରେ ଜୁଲାଇ ୧୦ରେ ଶ୍ରୀ ପ୍ରଧାନ ମେଲ ଯୋଗେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି।



