ବିଦ୍ୟୁତ୍‌ ଉତ୍ପାଦନରେ ନିଅଣ୍ଟରୁ ବଳକା ସ୍ଥିତିରେ ଓଡ଼ିଶା

ଭୁବନେଶ୍ବର: ନବେ ଦଶକରେ ଶକ୍ତି ସଙ୍କଟ ଭିତରେ ଥିବା ଓଡ଼ିଶା ଏବେ ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟ ସବୁଜ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ପାଇଛି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳ ଓ ଶିଳ୍ପ କ୍ଷେତ୍ରକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସକାଶେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶକ୍ତି ବିଭାଗକୁ ନିର୍ଦେଶ ଦେଇଛନ୍ତି।

ରାଜ୍ୟରେ ଉପଲବ୍ଧ ବଳକା ବିଦ୍ୟୁତ୍ ଶକ୍ତି ବିକ୍ରି ପାଇଁ ଫଳପ୍ରଦ ବାଣିଜ୍ୟିକ କୌଶଳ ଆପଣାଇବାକୁ ସେ ଗ୍ରିଡ଼କୋକୁ ପରାମର୍ଶ ଦେଇଛନ୍ତି। ବିଜୁଳି ଉତ୍ପାଦନର ସାମ୍ପ୍ରତିକ ସ୍ଥିତି, ଚାହିଦା ଓ ବ୍ୟବସାୟିକ ଦିଗ ଉପରେ ସମୀକ୍ଷା କରିବା କାଳରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏବେ ଠିକଣା ସମୟରେ ଗୁଣାତ୍ମକ ବିଜୁଳି ଯୋଗାଣର ଭରସା ଦେବା ସହିତ ଗ୍ରିଡ଼କୋଠାରୁ ବିଜୁଳି ନେବା ପାଇଁ ନୂତନ ଭାବେ ପ୍ରତିଷ୍ଠା ହେଉଥିବା ଶିଳ୍ପ ସଂସ୍ଥାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିଳ୍ପ ଓ ଶକ୍ତି ବିଭାଗ ଉଦ୍ୟମ କରିବା ଆବଶ୍ୟକ। ବିସ୍ଥାପନ, ଜମି ଅଧିଗ୍ରହଣ ଆଦି ସମସ୍ୟା ନଥିବା ଜଳ ବିଦ୍ୟୁତ ପ୍ରକଳ୍ପରୁ ଅଧିକ ଜଳ ବିଦ୍ୟୁତ୍ ଉତ୍ପାଦନ ସକାଶେ ଓଡ଼ିଶା ଜଳ ବିଦ୍ୟୁତ ନିଗମକୁ ସେ ନିର୍ଦେଶ ଦେଇଛନ୍ତି। ଗ୍ରିଡ଼କୋ ନିର୍ଦେଶକ ତ୍ରିଲୋଚନ ପ୍ରଧାନ ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୋଟ ବିଦ୍ୟୁତ୍ ଉତ୍ପାଦନ ୩୪୮୯ମେଗାୱଟରେ ପହଞ୍ଚିଛି। ଏଥିମଧ୍ୟରୁ ତାପଜରୁ ୨୪୬୮, ଜଳବିଦ୍ୟୁତ୍ କ୍ଷେତ୍ରରୁ ୮୫୪, ଅଣପାରମ୍ପରିକ ନବୀକରଣ ଉତ୍ସରୁ ୧୬୭ମେଗାୱାଟ ଆସୁଛି। ବର୍ଷକୁ ରଜ୍ୟରେ ହାରାହାରି ବିଦ୍ୟୁତ ଚାହିଦା ହେଉଛି ୩୨୦୦ମେଗାୱାଟ। ଗ୍ରାମାଞ୍ଚଳରେ ବିଦ୍ୟୁତ ସମ୍ପ୍ରସାରଣ ଓ ଶିଳ୍ପାୟନ ଯୋଗୁଁ ଆଗାମୀ ବର୍ଷଗୁଡ଼ିକରେ ବିଦ୍ୟୁତ୍ ଚାହିଦା ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୦-୨୧ରେ ଗ୍ରିଡ଼କୋ ୪୩୦୦ମେଗାୱାଟ ବିଦ୍ୟୁତ୍ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛି।
ରାଜ୍ୟରେ ଜଳବିଦ୍ୟୁତ କ୍ଷେତ୍ରରୁ ଉତ୍ପାଦନ ୨୦୧୦-୧୧ରେ ୬୯୫ମେଗାୱାଟରୁ ୨୦୧୯-୨୦ ସୁଦ୍ଧା ୮୫୪ମେଗାୱାଟକୁ ବଢ଼ିଛି। ଏଥିସହିତ ଅଣପାରମ୍ପରିକ ଅକ୍ଷୟ ଶକ୍ତି କ୍ଷେତ୍ରରୁ ୨୦୧୯-୨୦ ସୁଦ୍ଧା ୬୬୪ମେଗାୱାଟ ମିଳୁଥିବାବେଳେ ୨୦୨୦-୨୧ ସୁଦ୍ଧା ଏହା ୧,୦୭୯କୁ ବୃଦ୍ଧି ପାଇଛି। ତେବେ ୨୦୨୧-୨୨ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷେତ୍ରର ବିଜୁଳି ଉତ୍ପାଦନ ୧୫୦୦ମେଗାୱାଟକୁ ବୃଦ୍ଧି କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଓଡ଼ିଶା ବିଦ୍ୟୁତ୍ ନିୟମାକ ଆୟୋଗ(ଓଇଆରସି) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟର ୧୧ପ୍ରତିଶତ ଅକ୍ଷୟ ଶକ୍ତି ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏ କ୍ଷେତ୍ରରୁ ଉତ୍ପାଦନ ୧୫୦୦ମେଗାୱାଟକୁ ବୃଦ୍ଧି ପାଇଲେ ଏହା ସହଜ ହେବ ବୋଲି ଆକଳନ କରାଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, ପ୍ରମୁଖ ସଚିବ ତଥା ଗ୍ରିଡ଼କୋ ଅଧ୍ୟକ୍ଷ ସୌରଭ ଗର୍ଗ, ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ, ପ୍ରମୁଖ ସଚିବ ଏବଂ ଓଏଚପିସି ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶେଶକ କୁମାର ମୀନା, ଗ୍ରିଡ଼କୋର ଅର୍ଥ ନିର୍ଦେଶକ ଗଗନ ସ୍ବାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.