www.samajalive.in
Saturday, December 6, 2025
16.1 C
Bhubaneswar

ପତ୍ନୀଙ୍କୁ ଗୋଠଗାଡିଆ ଜଳରେ ରଥଯାତ୍ରା ଦେଖାଇଥିଲେ ଭକ୍ତ ଦାସିଆ

ପିପିଲି: ମହାପ୍ରଭୂ ଶ୍ରୀଜଗନ୍ନାଥ ହେଉଛନ୍ତି ପରମ ଭାବର ଠାକୁର, ଭାବ ବିନୋଦିଆ। ସେ ଭକତ ଭାବରେ ବନ୍ଧା, ଭକତର ବନ୍ଧୁ, ଭକତର ଜୀବନ ଧନ। କୋଟି ବ୍ରହ୍ମାଣ୍ଡର ମଉଡମଣି। ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତ ମହାପ୍ରଭୂଙ୍କୁ ନୁହେଁ ବରଂ ମହାପ୍ରଭୂ ନିଜର ଭକ୍ତକୁ ଦର୍ଶନ ଦେଇ ସ୍ପର୍ଶ କରିବାର ସବୁଠାରୁ ବଡ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ। ଯିଏ ନିଜର ଭକ୍ତି ଭାବରେ ବାନ୍ଧି ରଖି ପାରିଥିଲେ ମହାପ୍ରଭୁଙ୍କୁ। ସେଇଥି ପାଇଁ ଦାସିଆ ଦେଇଥିବା ନଡିଆକୁ ପ୍ରଭୁ ନିଜେ ହାତ ବଢ଼ାଇ ନେଇଯାଇଥିଲେ ଏବଂ ତାଙ୍କୁ ବାରମ୍ବାର ଦର୍ଶନ ଦେଇ ତାଙ୍କରି ହାତରୁ ଗ୍ରହଣ କରିଥିଲେ ପାଚିଲା ଆମ୍ବକୁ।

ଭକ୍ତିବାଦର ସୁବର୍ଣ୍ଣଯୁଗ କୁହାଯାଉଥିବା ପଞ୍ଚଦଶ ଶତକରେ ସମଗ୍ର ଭାରତବର୍ଷରେ ଭକ୍ତି ଆନ୍ଦୋଳନର ଅମୃତଧାରା ପ୍ରବାହିତ ହୋଇଥିବା ବେଳେ ଅନେକ ସିଦ୍ଧ ସାଧକ ଓଡ଼ିଶାରେ ଜନ୍ମ ନେଇ ନିଜର ଭକ୍ତିର ପରାକାଷ୍ଠା ଦେଖାଇ ପାରିଥିଲେ। ସେମାନଙ୍କ ମଧ୍ୟରେ ଭକ୍ତ ଶିରୋମଣି ଦାସିଆ ଥିଲେ ଜଣେ ଅନନ୍ୟ ସାଧକ। ପୁରୀ ଜିଲାର ପିପିଲି ନିକଟବର୍ତ୍ତି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁରେ ଏକ ଖଦାଳ (ବୁଣାକାର) ପରିବାରରେ ସେ ଜନ୍ମ ନେଇଥିଲେ। ଶିକ୍ଷାରୁ ବଞ୍ଚିତ ଦାସିଆ ଲୁଗାବୁଣି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସ୍ୱାମୀ, ସ୍ତ୍ରୀ ଦୁଇଜଣ, ପୁତ୍ର କନ୍ୟା କେହିନଥିଲେ। ମାତ୍ର ୪ ଡିସିମିଲ ଘରଡିହ ଜମି, ତୁଳସୀ ଚଉରା ସହ ତୁଳସୀର ବଣ ଏବଂ ଗୋଠଗାଡିଆ ଥିଲା ତାଙ୍କର ଏକମାତ୍ର ସମ୍ବଳ। ତେବେ ନିକଟସ୍ଥ ପ୍ରହରାଜପୁର ଗ୍ରାମରେ ବ୍ରାହ୍ମଣ ମାନଙ୍କ ଠାରୁ ଭଗବତ ଚର୍ଚ୍ଚା ଶୁଣି ମନରେ ସାତ୍ତ୍ୱିକ ସୁଖକୁ ଆସ୍ୱାଦନରେ ନିମଜ୍ଜି ଯାଉଥିଲେ। ଭାଗବତ ଶୁଣୁଥିଲେ ଓ ନିଜ ଧର୍ମପତ୍ନୀଙ୍କ ପାଖରେ ଶ୍ରୀକୃଷ୍ଣ ଚରିତ ଓ ଶ୍ରୀଜଗନ୍ନାଥଙ୍କ ଲୀଳା କଥା ଶୁଣାଉଥିଲେ। ପ୍ରଭୁପଦରେ ମନକୁ ଏକାଗ୍ର କରିଥିଲେ ଦାସିଆ। ଗୁରୁ ଗ୍ରହଣ କଲେ, ମାଳାତିଳକ ଧାରଣ ପୂର୍ବକ ଗୃହୀ ବୈଷ୍ଣବ ଜୀବନକୁ ଶ୍ରେୟ ମନେକଲେ। ଧିରେ ଧିରେ ଦାସିଆଙ୍କ ମନରେ ସ୍ଥିରଭାବ ଆସିଲା। ସୁଖ ଓ ଦୁଃଖ ତାଙ୍କ ପାଇଁ ସମାନ ସ୍ଥାନ ଗ୍ରହଣ କଲା।

- Advertisement -

ଏକଦା ଦାସିଆଙ୍କ ମନରେ କେବଳ ଏକମାତ୍ର ଉତ୍କଣ୍ଠା ଥିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଶ୍ରୀଗୁଣ୍ଡିଚାରେ ପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ସ୍ଥିର କରି ଆଖପାଖ ଅଞ୍ଚଳର କିଛି ଭକ୍ତଙ୍କ ସହ ସେ ପୁରୀ ଗଲେ। ସେଠାରେ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲା ବେଳେ ଧାରଧାର ଆନନ୍ଦାଶ୍ରୁ ଗଡ଼଼ିଯାଉଥିଲା ତାଙ୍କ ଦୁଇ ନୟନରୁ। ଭାବରେ ତନ୍ମୟ ହୋଇଯାଇଥିଲେ ଦାସିଆ। ଅବିଚ୍ଛିନ୍ନ ଭାବାବେଶରେ ନିଜଗୃହକୁ ଫେରିଲା ତାଙ୍କର ଶରୀର, ମନ କିନ୍ତୁ ରହିଗଲା ସେହି ରଙ୍ଗାଧାରଙ୍କ ଠାରେ। ଘରେ ପତ୍ନୀ ପ୍ରସ୍ତୁତ କରି ରଖିଥିଲେ ଉଆ ଚାଉଳର ପେଜରେ ଜାଉ। ନୂଆ ମାଟିହାଣ୍ଡିରେ ସମାନ ଜାଉ ଥାଇ ତା’ର କେନ୍ଦ୍ର ସ୍ଥଳରେ ରଖିଥିଲେ ଶାଗଭଜାକୁ। ନାଲିରଙ୍ଗର ମାଟିପାତ୍ର, ଧଳାରଙ୍ଗର ଜାଉ ଓ କଳାରଙ୍ଗର ଶାଗ ସାଙ୍ଗକୁ ମାଟିପାତ୍ରର ମଙ୍ଗର ଆକୃତି ଥିଲା ଗୋଲାକାର। ବହୁମାନ ଭକ୍ତିରେ ଉବୁଟୁବୁ ହେଉଥିବା ଦାସିଆଙ୍କୁ ଏହା ଯୋଗାଇଥିଲା ଉନ୍ମାଦନାର ଖୋରାକ। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆକୃତିକୁ ଦେଖିବା ପରେ ପାଗଳପ୍ରାୟ ତନ୍ମୟ ହୋଇ କୀର୍ତ୍ତନ କରୁଥିବା ଦାସିଆଙ୍କୁ ଦେଖି ତାଙ୍କ ପତ୍ନୀ ଚିନ୍ତିତ ହୋଇପଡ଼ିଲେ। ସଙ୍ଗେ ସଙ୍ଗେ ଗ୍ରାମଜନଙ୍କୁ ଡକାଇଲେ। ବ୍ରାହ୍ମଣ ଗୋସେଇଁମାନେ ସବୁ ଶୁଣି କହିଲେ ଜାଉରୁ ଶାଗକୁ ଭିନ୍ନ କରିଦିଅ, ତେବେ ଦାସିଆ ଏହାକୁ ଭୋଜନ କରିବେ। ସେୟାହିଁ ହେଲା। ଜାଉରୁ ଶାଗକୁ ଭିନ୍ନ କରିବା ପରେ ଦାସିଆ ତାକୁ ଖାଇ ବିଶ୍ରାମ ନେଲେ।

ଦିନେ ରାତ୍ରିରେ ଶୋଇଥିବା ବେଳେ ପ୍ରଭୂ ଶ୍ରୀଜଗନ୍ନାଥ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଲେ। ପ୍ରଭୁ ତାଙ୍କୁ ବର ଯାଚିଲେ। ଦାସିଆ ପ୍ରଭୁଙ୍କୁ ବର ମାଗିଥିଲେ ‘‘ଯେବେ ମୁଁ ମନରେ ଭାବିବି, ତୁମ୍ଭ ଦର୍ଶନ ପାଉଥିବି’’। ବାସ୍ତବରେ ସେୟାହିଁ ହୋଇଥିଲା। ଦିନେ ନିକଟସ୍ଥ ପ୍ରହରାଜପୁରର ଜଣେ ବ୍ରାହ୍ମଣ ଗୋସେଇଁ ଶ୍ରୀକ୍ଷେତ୍ର ଯାଉଥିବା ଖବର ଶୁଣି ଦାସିଆ ଗୋଟିଏ ନଡିଆ ତାଙ୍କରି ହାତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପଠାଇଲେ ଏବଂ କହିଲେ ‘‘ଗୋସେଇଁ ଏଇ ନଡିଆଟିକୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଦେବ, ଆଉ କହିବ ବାଲିଗାଁ ଦାସିଆ ପଠାଇଛି। ଯଦି ସେ ନିଜ ହାତରେ ନେବେ, ତାହେଲେ ଦେବ, ନହେଲେ ଫେରାଇ ଆଣିବ।’’ ମନରେ ଦାସିଆଙ୍କ ଅଖଣ୍ଡ ବିଶ୍ୱାସ, ଆଉ ସେହି ବିଶ୍ୱାସକୁ ମଧ୍ୟ ପ୍ରଭୁ ରକ୍ଷା କରି ବ୍ରାହ୍ମଣ ଗୋସେଇଁଙ୍କ ହାତରୁ ଦାସିଆ ପଠାଇଥିବା ନଡିଆକୁ ଶୂନ୍ୟରେ ଶ୍ରୀହସ୍ତ ବିସ୍ତାର କରି ଗ୍ରହଣ କରିଥିଲେ ଓ ଯୁଗେ ଯୁଗେ ପ୍ରଭୁ ଭକ୍ତର ବୋଲି ପ୍ରମାଣ କରି ଦେଇଥିଲେ।
ଆଉ ଦିନକର ଘଟଣା। ଦାସିଆ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସ୍ଥିର କଲେ। ଜଣେ ଆମ୍ବ ବିକାଳି ଠାରୁ ପାଚିଲା ଆମ୍ବକୁ କିଣି କାନ୍ଧରେ ଭାର କରି ସେ ପୁରୀରେ ଯାଇ ପହଞ୍ଚିଲେ। ଦାସିଆଙ୍କ ଠାରୁ ଆମ୍ବକୁ ନେଇ ପ୍ରଭୁଙ୍କୁ ଦେବା ପାଇଁ ସେଠାରେ ସେବକ ମାନେ ଭିଡ ଲଗାଇଲେ। ଦାସିଆ କିନ୍ତୁ ପାଚିଲା ଆମ୍ବକୁ ଧରି କହିଲେ ‘‘ବୋଇଲା ଶୁଣ ଭଗବାନ, ଏ ଯେ ତୁମ୍ଭ ନିଜଧନ। ତୁମ୍ଭ ଇଚ୍ଛାରେ ଭୋଗକର, ଗୋଳ କିମ୍ପାଇ ଏହାଙ୍କର।’’ ଏହା ଶୁଣି ପ୍ରଭୁ ନିଜେ ଶ୍ରୀହସ୍ତ ବିସ୍ତାର କରି ଗୋଟି ଗୋଟି କରି ସବୁ ଆମ୍ବକୁ ନେଇଯାଇଥିଲେ। ସେଠାରେ ଯେଉଁମାନେ ଥାଇ ଏ ଦୃଶ୍ୟ ଦେଖୁଥିଲେ, ସେମାନେ ଧାଇଁ ଯାଇ ବଡଦେଉଳରେ ପ୍ରବେଶ କରି ଦେଖିଲେ ରତ୍ନ ସିଂହାସନ ନିକଟରେ ଆମ୍ବର ଟାକ୍ୱା ଓ ଚୋପାମାନ ପଡ଼ିଛି। ଏହା ଦେଖି ସମସ୍ତେ ଆଚମ୍ବିତ ହୋଇ ଯାଇଥିଲେ ଓ ଦାସିଆଙ୍କ ଭକ୍ତି ଭାବକୁ ଦେଖି ତାଙ୍କୁ ଶ୍ରେଷ୍ଠ ଭକ୍ତ ବୋଲି କହିଥିଲେ।

ଭକ୍ତ ଦାସିଆ ଥିଲେ ସିଦ୍ଧସାଧକ। ଶ୍ରୀକ୍ଷେତ୍ରର ରଥଯାତ୍ରା ଦେଖିବାକୁ ଜିଦ୍‌‌ ଧରିଥିବା ପତ୍ନୀଙ୍କୁ ନିଜର ଗୋଠଗାଡିଆର ସ୍ଥିର ଜଳରେ ସେ ଦେଖାଇ ପାରିଥିଲେ ଶ୍ରୀକ୍ଷେତ୍ରର ରଥଯାତ୍ରା। ଆଜି ମଧ୍ୟ ସେହି ଗୋଠଗାଡିଆକୁ ଲୋକେ ଭକ୍ତିର ସହ ଅତ୍ୟନ୍ତ ପବିତ୍ର ମନେକରନ୍ତି। ଏହି ଗୋଠଗାଡିଆରେ ଦାସିଆ ତତ୍କାଳୀନ ଶ୍ରେଷ୍ଠ ସାଧକ ପଞ୍ଚସଖାଙ୍କୁ ଦେଖାଇଥିଲେ ଭଗବାନଙ୍କ ଦଶବତାର ରୂପ। ଏହା ପଞ୍ଚସଖା ରଚିତ ପୋଥିରେ ଉଲ୍ଲେଖ ଅଛି। ଏହି ଗୋଠଗାଡିଆ କୂଳରେ ପଞ୍ଚସଖା ଦାସିଆଙ୍କୁ ଜଗନ୍ନାଥଙ୍କର ଜଣେ ଶ୍ରେଷ୍ଠ ସାଧକ ଭାବେ ସ୍ୱୀକୃତି ଦେଇଥିଲେ।

ପିପିଲିର ବାଲିଗାଁରେ ଥିବା ଦାସିଆଙ୍କ ସ୍ମୃତି ପୀଠକୁ ପରିଦର୍ଶନ କରିବାକୁ ଗଲେ ଦାସିଆଙ୍କ ସମାଧିପୀଠ, ରାଧାମୋହନ ମଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ଗୋଠଗାଡିଆ, ଦାସିଆଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି, ତୁଳସୀ ବଗିଚା, ପଦ୍ମ ପୋଖରୀ ଦେଖିବାକୁ ମିଳେ। ପୀଠ ପରିସରରେ ମହାଲକ୍ଷ୍ମୀଙ୍କ ମନ୍ଦିର, ମା’ବିମଳାଙ୍କ ମନ୍ଦିର, ଶ୍ରୀଗଣେଶଙ୍କ ମନ୍ଦିର, ମା’ ମଙ୍ଗଳାଙ୍କ ମନ୍ଦିର, ଶ୍ରୀମହାବୀରଙ୍କ ମନ୍ଦିର ରହିଛି। ସେଠାରେ ଦୈନନ୍ଦିନ ପୂଜାନୀତି ଚାଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ବେଶ୍‌‌ ଭିଡ ଜମିଥାଏ। ତେବେ ଏହି ପୀଠ ପରିସରସ୍ଥ ରାଧାମୋହନ ମଠର କାଞ୍ଜି, ତୋରାଣି ଓ ଗୋଠଗାଡିଆର ପଙ୍କ ଓ ପାଣିର ମହତ୍ତ୍ୱ ରହିଛି। ଭକ୍ତ ଦାସିଆଙ୍କ ଜନ୍ମ ଓ ସ୍ମୃତି ପୀଠ ବାଲିଗାଁକୁ ପରିଦର୍ଶନରେ ଗଲେ ଗୋଟିଏ କଥା ମନରେ ଆସେ ‘‘ଯେ ଯେଡେ ନୀଚ ଜାତି ହେଉ, ସେ ଏକା ଭକ୍ତି ଭାବେ ଥାଉ। ତାହାର ପତ୍ର ଫଳ ପୁଷ୍ପ, ପାଇଲେ ଶ୍ରୀ ହରି ସନ୍ତୋଷ। ଯେ ନର ଉଚ୍ଚଜାତି ହେଉ, ଶ୍ରୀହରି ଭକତି ନଥାଉ। ସେ ଯେତେ ସ୍ୱାଦୁ ଦ୍ରବ୍ୟ ଦେଲେ, ପ୍ରଭୁ ନ ଛୁଅନ୍ତି ତା ଭଲେ।’’

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories