www.samajalive.in
Saturday, December 6, 2025
23.1 C
Bhubaneswar

ଭକ୍ତ ଦାସିଆ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀ ବେଶ

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ତୁଳସୀ ବେଶ କରାଯାଇଥିଲା। ଏହି ଅବସରରେ ଶୁକ୍ରବାର ସକାଳେ ଠାକୁରଙ୍କ ମଙ୍ଗଳ ଆଳତୀ, ସ୍ୱତନ୍ତ୍ର ବେଶ, ବାଳ ଭୋଗ ସହିତ ପାର୍ଶ୍ବ ଦେବାଦେବୀଙ୍କ ନୀତିକାନ୍ତି ମନ୍ଦିରର ମୁଖ୍ୟପୂଜକ ଲିଙ୍ଗରାଜ ପଣ୍ଡା, ସହାୟକ ପୂଜକ ପ୍ରସନ୍ନ କୁମାର ପଣ୍ଡାଙ୍କ ଦ୍ୱାରା ସମାପିତ ହୋଇଥିଲା। ପୂର୍ବାହ୍ନ ୮ଟାରେ ସଂକୀର୍ତ୍ତନ, ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବୋଲ, ହୁଳହୁଳି ଧ୍ୱନୀରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପହଣ୍ଡି ସଂପନ୍ନ ହୋଇଥିଲା।

ଏହି ଅବସରରେ ପୀଠସ୍ଥ ଉଦ୍ୟାନରୁ ସଂଗୃହୀତ ତୁଳସୀ, ପଦ୍ମଫୁଲ ଓ ନଡିଆକୁ ଶ୍ରୀକ୍ଷେତ୍ରରେ ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହେବା ନିମନ୍ତେ ଏକ ସୁସଜ୍ଜିତ ବିମାନରେ ସନ୍ଥ ରାମସରଣ ଦାସ ମହାରାଜ ନାମ ସଂକୀର୍ତ୍ତନ ସହ ପୁରୀକୁ ଯାତ୍ରା କରିଥିଲେ। ପରେ ଚତୁର୍ଦ୍ଧମୂର୍ତ୍ତୀଙ୍କୁ ସ୍ୱତନ୍ତ୍ର ତୁଳସୀ ବେଶରେ ବିମଣ୍ଡିତ କରାଯାଇଥିଲା। ଏହି ଅବସରରେ ସେଠାରେ ନାମସଂକୀର୍ତ୍ତନ, ଭଜନ କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗକୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ଅପରାହ୍ନରେ ଶିଶୁ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ରାତ୍ର ସାଢେ ୯ଟାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି କରାଯାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ପ୍ରତ୍ୟୁଷରୁ ରାତି ୧୦ଟା ପର୍ଯ୍ୟନ୍ତ ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା। ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ସଂପାଦକ ଡ଼ଃ ଘନଶ୍ୟାମ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories