ସମାଜ ଡିଜିଟାଲ ଡେସ୍କ: ବ୍ରିଟେନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଲିଭରପୁଲ ସହରରେ ଫୁଟବଲ ବିଜୟ ଉତ୍ସବ ପାଳନ ସମୟରେ ଏକାଠି ହୋଇଥିବା ଭିଡ଼ ଭିତରେ କାର ଚଢ଼ାଇ ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏହି ଘଟଣାରେ ପ୍ରାୟ ୪୭ ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତ ଜଣେ ୫୩ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।
ଲିଭରପୁଲ ପ୍ରିମିୟର ଲିଗ୍ ବିଜୟ ଉତ୍ସବ ଲାଗି ସୋମବାର ବହୁ ସଂଖ୍ୟକ ଜନସାଧାରଣ ଏବଂ ଫୁଟବଲପ୍ରେମୀ ଏକାଠି ହୋଇଥିଲେ। ହଜାର ହଜାର ଲୋକ ଉତ୍ସବ ପାଳନ କରୁଥିବା ସମୟରେ ଏକ କାର ଦ୍ରୁତଗତିରେ ଆସି ଭିଡ଼ ଭିତରେ ମାଡ଼ି ଯାଇଥିଲା। ସେଠାରେ ଉପସ୍ଥିତ ପୁଲିସ ତୁରନ୍ତ କାର ଚାଳକକୁ ଗିରଫ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।



