www.samajalive.in
Monday, December 15, 2025
27.1 C
Bhubaneswar

ସେପ୍ଟେମ୍ବର ୨୭ରେ ଓସିଏ ନିର୍ବାଚନ

-୭ରେ ବିଜ୍ଞପ୍ତି ପ୍ରକାଶ, -୨୦ରେ ନାମାଙ୍କନ, -୧ରେ ଯାଞ୍ଚ, -୨୨ରେ ପ୍ରତ୍ୟାହାର

କଟକ : ବିସିସିଆଇ ତଥା ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ନିର୍ବାଚନ ପ୍ରସଙ୍ଗରେ ବିସିସିଆଇର ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ନିର୍ଦେଶନାମା ଜାରିକରିବା ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ତା’ର ନିର୍ବାଚନ ପ୍ରକ୍ରିୟାକୁ ପଛୁଆ କରିବାକୁ ବାଧ୍ୟକରିଛି। ଶନିବାର ଓସିଏ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ସେପ୍ଟେମ୍ବର ୨୭ରେ ଏହାର ନିର୍ବାଚନ ଅନୁଷ୍ଠିତ ହେବ। ଏହିଦିନ ଓସିଏ ସମ୍ମିଳନୀ କକ୍ଷରେ ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଏସ୍‌ଜିଏମ୍‌)ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ଏବଂ ୬ଟି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୬ଟି ପଦ ହେଲା ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନ୍‌ସିଲ ସଦସ୍ୟ।
ଶୁକ୍ରବାର ସିଓଏ ଦର୍ଶାଇଥିଲେ, ବିସିସିଆଇ ନିର୍ବାଚନ ଅକ୍ଟୋବର ୨୨ରେ ହିଁ ହେବ। ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଯିବ। ତେଣୁ ସେପ୍ଟେମ୍ବର ୨୮ ସୁଦ୍ଧା ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ୍ ନିର୍ବାଚନ ଶେଷକରିବେ ଏବଂ ବିସିସିଆଇ ନିର୍ବାଚନ ପାଇଁ ରାଜ୍ୟ କ୍ରିକେଟ ଆସୋସିଏସନ୍ ସେପ୍ଟେମ୍ବର ୨୮ ସୁଦ୍ଧା ନାମ ପଠାଇବେ। ପୂର୍ବରୁ ଓସିଏର ନିର୍ବାଚନ ଅଧିକାରୀ ଏମ୍‌ଏଲ୍‌ ମଜୁମଦାର ସେପ୍ଟେମ୍ବର ୧୨ ସୁଦ୍ଧା ଅନୁବନ୍ଧିତ ସଂସ୍ଥା ସେମାନଙ୍କ ପ୍ରତିନିଧିଙ୍କ ନାମ ପଠାଇବାକୁ କହିଥିଲେ ଏବଂ ବିଜ୍ଞପ୍ତି ପ୍ରକାଶ ପାଇବାର ୨୧ ଦିନ ପରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଅନୁସାରେ ଅକ୍ଟୋବର ୧୨ ସୁଦ୍ଧା ଓସିଏର ନିର୍ବାଚନ ସରିବ ବୋଲି ମଜୁମ୍‌ଦାର ଜଣାଇଥିଲେ। ତେବେ ଶୁକ୍ରବାର ସିଓଏଙ୍କ ସାନି ନିର୍ଦେଶ ପରେ ମଜୁମଦାରଙ୍କୁ ତାଙ୍କ ଯୋଜନା ବଦଳାଇବାକୁ ପଡ଼ିଛି ଏବଂ ଓସିଏ ନିର୍ବାଚନ ତାରିଖ ପଛକୁ ଘୁଞ୍ଚାଯାଇଛି। ଓସିଏର କାର୍ଯ୍ୟକାରୀ କମିଟି ସହ ଫୋନ୍‌ରେ ବିଚାରବିମର୍ଶ କରି ନିର୍ବାଚନ ଅଧିକାରୀ ମଜୁମଦାର ଶନିବାର ନିର୍ବାଚନ ପ୍ରକ୍ରିୟା ପାଇଁ ସାନି ତାରିଖ ଘୋଷଣା କରିଛନ୍ତି। ଏହା ଅନୁସାରେ ସେପ୍ଟେମ୍ବର ୨୭ରେ ହିଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଭୋଟର ତାଲିକା ପ୍ରସ୍ତୁତି ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୭ରେ ଓସିଏର ଏସ୍‌ଜିଏମ୍ ଏବଂ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧୩ରେ ଭୋଟର ତାଲିକା ପ୍ରକାଶ କରାଯିବ ଏବଂ କାହାର କିଛି ଅଭିଯୋଗ ଥିଲେ ୧୪ରେ ଏହାର ଶୁଣାଣି କରାଯିବ। ସେପ୍ଟେମ୍ବର ୧୫ରେ ଚୂଡ଼ାନ୍ତ ତଥା ବୈଧ ଭୋଟରଙ୍କ ତାଲିକା ପ୍ରକାଶ କରାଯିବ। ସେପ୍ଟେମ୍ବର ୨୦ରେ ଏହି ୬ଟି ପଦ ପାଇଁ ପାର୍ଥିପତ୍ର ଦାଖଲ କରାଯିବ। ୨୧ରେ ପ୍ରାର୍ଥିପତ୍ରରେ ଯାଞ୍ଚ କରାଯିବ। ୨୨ ତାରିଖ ପାର୍ଥିପତ୍ର ପ୍ରତ୍ୟାହାରର ଶେଷତାରିଖ ରହିଛି। ୨୭ରେ ହେବାକୁ ଥିବା ଏସ୍‌ଜିଏମ୍‌ରେ ଉପରୋକ୍ତ ୫ଜଣ କର୍ମକର୍ତ୍ତା ନିର୍ବାଚନ ହେବ। ମତଦାନ ପରେ ଏହାର ଗଣନା, ଫଳାଫଳ ପ୍ରକାଶ ଓ ନିର୍ବାଚନ ପ୍ରକିୟା ସେପ୍ଟେମ୍ବର ୨୭ରେ ହିଁ ସମାପ୍ତ ହେବ। ସେହିଦିନ କିମ୍ବା ସେପ୍ଟେମ୍ବର ୨୮ରେ ବିସିସିଆଇର ନିର୍ବାଚନ ଲାଗି ଓସିଏ ତା’ର ପ୍ରତନିଧିଙ୍କ ନାମ ପଠାଇବ।
ସୂଚନାଯୋଗ୍ୟ; ଅଦ୍ୟାବଧି ଓସିଏ କାଉନ୍‌ସିଲ ବା ପରିଷଦରେ ୭୩ ଜଣ ସଦସ୍ୟ ରହିବେ ବୋଲି ଓସିଏର ନୂତନ ସମ୍ବିଧାନରୁ ପ୍ରକାଶ। ଏମାନଙ୍କ ମଧ୍ୟରେ ୩୦ଟି ଜିଲା, କଟକର ୨୦ଟି କ୍ଲବ୍, ୧୦ଟି ସ୍କୁଲ୍‌, ୫ଟି କଲେଜ୍, ୫ଟି ସଂଗଠନ (ଭୁବନେଶ୍ବର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ଇଷ୍ଟକୋଷ୍ଟ ରେଳବାଇ, କିଟ୍ ଓ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ) ଏବଂ ରାଜ୍ୟର ୩ ପୂର୍ବତନ ସିନିୟର ଆନ୍ତର୍ଜାତିକ କ୍ରିକେଟର- ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳ ରହିଛନ୍ତି। ଫଳର ଓସିଏ ନିର୍ବାଚନରେ ମୋଟ ୭୩ ଜଣ ଭୋଟର କର୍ମକର୍ତ୍ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶନିବାର ଏହି ଘୋଷଣା ପରେ ଓସିଏରେ କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡ଼ିଥିବା ବିଭିନ୍ନ ଗୋଷ୍ଠୀ ଅଧିକ ତତ୍ପର ହୋଇ ଯାଇଛନ୍ତି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories