ବିକାଶ ରହିବେ ; ପ୍ରଭାତ, ପ୍ରତାପଙ୍କୁ ମିଳିପାରେ ସୁଯୋଗ

ଓସିଏ ନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ ଆଜି ; ପ୍ରତିଦ୍ବନ୍ଦ୍ବିତା ହେବନାହିଁ

କଟକ : ଓଡ଼ିଶା କ୍ରିକେଟ୍‌ ଅସୋସିଏସନ୍‌ (ଓସିଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ଆସନ୍ତା ୨୮ରେ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଏହି ନିର୍ବାଚନରେ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀର ପ୍ରାର୍ଥୀଙ୍କ ବିପକ୍ଷରେ ବିରୋଧୀ କୌଣସି ପଦ ପାଇଁ ପ୍ରାର୍ଥୀ ଦେବେନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ; ୩ ବର୍ଷ ତଳେ ପ୍ରତ୍ୟେକ ପଦ ପାଇଁ ମୁକାବିଲା ହୋଇଥିଲା ଏବଂ ଆଶୀର୍ବାଦଙ୍କ ଗୋଷ୍ଠୀ ସମସ୍ତ ପଦ ଜିତିଥିଲା। ହେଲେ ଏଥର ଆଶୀର୍ବାଦଙ୍କ ଗୋଷ୍ଠୀର ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେବା ସ୍ପଷ୍ଟ।
ପୂର୍ବରୁ ଜଣା ପଡ଼ିଥିଲା ​‌େ​‌ଯ ସଭାପତି, ଉପସଭାପତି ଓ ସମ୍ପାଦକ କିଏ ହେବେ। ତେବେ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନ୍‌ସିଲ ସଦସ୍ୟଙ୍କୁ ନେଇ ଛକାପଞ୍ଝା ଚାଲିଥିଲା। ଏବେ ଏହା ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି। ଏବେ ଥିବା କୋଷାଧ୍ୟକ୍ଷ ଖୋର୍ଦ୍ଧା ଜିଲାର ବିକାଶ ଚନ୍ଦ୍ର ପ୍ରଧାନ ଆଉ ୩ ବର୍ଷ ଏହି ପଦରେ ରହିବେ ବୋଲି ଜାଣିବାକୁ ମିଳିଛି। ହେଲେ ଯୁଗ୍ମ ସମ୍ପାଦକ ଓ ଆପେକ୍ଲ କାଉନ୍‌ସିଲ ସଦସ୍ୟ ପରିବର୍ତ୍ତନ ହେବେ। ମେହ୍‌ତାବ ଖାଁଙ୍କ ସ୍ଥାନରେ ସୁନ୍ଦରଗଡ଼ର ପ୍ରତନିଧି ପ୍ରଭାତ କୁମାର ଭୋଳ ଯୁଗ୍ମ ସମ୍ପାଦକ ଏବଂ ଶୁଭାଶିଷ ସେନାପତିଙ୍କ ସ୍ଥାନରେ ଅନୁଗୋଳ ଜିଲାର ପ୍ରତାପ ଚନ୍ଦ୍ର ପ୍ରଧାନ ଆପେକ୍ସ କାଉନ୍‌ସିଲ ସଦସ୍ୟ ହୋଇପାରନ୍ତି। ଶୁକ୍ରବାର ସମସ୍ତେ ପ୍ରାର୍ଥିପତ୍ର ଦାଖଲ କରିବେ। ଯଦି ଏକାଧିକ ପ୍ରାର୍ଥୀ ରହନ୍ତି; ତେବେ ମନୋନୀତ ପ୍ରାର୍ଥୀଙ୍କୁ ଛାଡ଼ି ପରବର୍ତ୍ତୀ ସମୟରେ ଅନ୍ୟମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ। ଗତ ସପ୍ତାହରେ ପୁରୀରେ ବୈଠକ ପରେ ସ୍ଥିର ହୋଇଥିଲା ଯେ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ସଭାପତି ହେବେ। ଫଳରେ ଏବେ ସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି ଉପସଭାପତି ଦାୟିତ୍ବ ନେବେ। ସଞ୍ଜୟ ବେହେରା ସମ୍ପାଦକ ପଦ ବଜାର ରଖିବେ। ପୁରୀର ଏହି ବୈଠକ ପରେ ବିରୋଧୀ ଗୋଷ୍ଠୀର କିଛି ସଦସ୍ୟ ବିଧାୟକ ପ୍ରଣବଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ। ଏହାସହ ତାଙ୍କ ଗୋଷ୍ଠୀକୁ ଗୋଟିଏ/୨ଟି ପଦ ମଧ୍ୟ ମାଗିଥିଲେ। ହେଲେ ଏହାର କୌଣସି ସୁଫଳ ମିଳିନଥିବା ଜାଣିବାକୁ ମିଳିଛି। ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ପରେ ୨୨ରେ ଏହାକୁ ନେଇ ଆପତ୍ତି ଗ୍ରହଣ କରାଯିବ ଏବଂ ଅପରାହ୍‌ଣରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ ଏବଂ ସନ୍ଧ୍ୟାରେ ବୈଧ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଆବଶ୍ୟକ ପଡ଼ିଲେ ୨୮ରେ ଭୋଟଗ୍ରହଣ ହୋଇ ଫଳାଫଳ ଘୋଷଣା କରାଯିବ।

kalyan agarbati

Comments are closed.