ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି !
ପରମାଣୁ ଅସ୍ତ୍ରଶସ୍ତ୍ର ମହଜୁଦ ବଢ଼ୁଛି
ନ୍ୟୁୟର୍କ : ବିଶ୍ୱସ୍ତରରେ ରାଷ୍ଟ୍ର-ରାଷ୍ଟ୍ର ସମ୍ପର୍କ ତିକ୍ତ ହେଉଥିବାବେଳେ ଆତ୍ମରକ୍ଷା ଏବଂ ପ୍ରତିପକ୍ଷକୁ ଜବାବ ଦେବାକୁ ରାଷ୍ଟ୍ରଗୁଡିକ ଦ୍ୱାରା ପରମାଣୁ ଅସ୍ତ୍ରଶସ୍ତ୍ର ସଂଗ୍ରହ ଓ ମହଜୁଦ ଦ୍ରୁତ ବୃଦ୍ଧିପାଇବାରେ ଲାଗିଛି। ଏହାଦ୍ୱାରା ମାନବ ସଭ୍ୟତା ଇତିହାସର ଅନ୍ୟତମ ସର୍ବାଧିକ ବିପଜ୍ଜନକ ସମୟରେ ପହଞ୍ଚିଯାଇଛି ବୋଲି ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ (ସିପ୍ରି)ର ଏକ ରିପୋର୍ଟରେ କୁହାଯାଇଛି। ସମ୍ପ୍ରତି ବିଶ୍ୱରେ ପ୍ରାୟ ୧୨,୫୧୨ଟି ପରମାଣୁ ବୋମା ରହିଥିବା ଆକଳନ କରାଯାଇଛି, ଯାହା ପୂର୍ବବର୍ଷ ତୁଳନାରେ ୮୬ଟି ଅଧିକ। ସେଥିମଧ୍ୟରୁ ୯୭୫୬ଟି ସାମରିକ ମହଜୁଦ ଏବଂ ଯେକୌଣସି ମୁହୂର୍ତ୍ତରେ ବ୍ୟବହାର ନିମନ୍ତେ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷରେ ୩୮୪୪ଟି ପରମାଣୁ ବୋମାକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ବର୍ଷକ ପୂର୍ବରୁ ମୁତୟନ କରାଯାଇଥିବା ପରମାଣୁ ବୋମା ସଂଖ୍ୟା ୩୭୩୨ ଥିଲା।
ବିଶ୍ୱରେ ମହଜୁଦ ଥିବା ପରମାଣୁ ବୋମାଗୁଡିକ ମଧ୍ୟରୁ ପାଖାପାଖି ୯୦ ପ୍ରତିଶତ ରୁଷିଆ ଓ ଆମେରିକା ପାଖରେ ରହିଛି। ଏକ ତଥ୍ୟ ଅନୁଯାୟୀ ମସ୍କୋ ନିକଟରେ ୪୪୮୯ଟି ପରମାଣୁ ବୋମା ରହିଥିବାବେଳେ ୱାଶିଂଟନ ପାଖରେ ୩୭୦୮ ପରମାଣୁ ବୋମା ରହିଛି। ଏହାସହିତ ଉଭୟ ରାଷ୍ଟ୍ରନିକଟରେ ୧ହଜାରରୁ ଅଧିକ ବୋମା ରହିଛି, ଯାହା ପୂର୍ବରୁ ସାମରିକ ସେବାରୁ ନିବୃତ୍ତ ହୋଇଛି। ସିପ୍ରିର ନିର୍ଦେଶକ ଡାନ୍ ସ୍ମିଥ୍ କହିଛନ୍ତି, ଏହି ସଂଖ୍ୟା ତଥାପି ଅସ୍ପଷ୍ଟ ରହିଛି। ପ୍ରାୟ ପ୍ରତ୍ୟେକ ରାଷ୍ଟ୍ର ସେମାନଙ୍କ ନିକଟରେ ଥିବା ପରମାଣୁ ଯୁଦ୍ଧାସ୍ତ୍ର ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପ୍ରକାଶ କରୁନାହାନ୍ତି। ବିଶେଷକରି ୟୁକ୍ରେନ ଉପରେ ରୁଷିଆ ପକ୍ଷରୁ ଆକ୍ରମଣ କରାଯିବା ପରବର୍ତ୍ତୀ ସମୟରେ ରାଷ୍ଟ୍ରଗୁଡିକର ଅସ୍ତ୍ରଶସ୍ତ୍ର ସାମର୍ଥ୍ୟକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ପଦାକୁ ଆସୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଗତବର୍ଷ ତୁଳନାରେ ଚଳିତ ବର୍ଷ ୮୬ଟି ଅଧିକ ପରମାଣୁ ବୋମା ପ୍ରସ୍ତୁତ କରାଯାଇଥିବାବେଳେ ସେଥିମଧ୍ୟରୁ ୬୦ଟି ଚୀନ ପାଖରେ ରହିଛି। ଚୀନ ତାହାର ପରମାଣୁ ବୋମା ମହଜୁଦ ସଂଖ୍ୟା ବର୍ଷକ ମଧ୍ୟରେ ୩୫୦ରୁ ୪୧୦କୁ ବୃଦ୍ଧିକରିଛି। ୨୦୩୫ ସୁଦ୍ଧା ଚୀନ ଏହି ସଂଖ୍ୟା ୯୦୦ରେ ପହଞ୍ଚାଇବା ଯୋଜନା କରିଥିବା ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି।
ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ବେଲାରୁଷରେ ପରମାଣୁ କ୍ଷେପଣାସ୍ତ୍ର ମୁତୟନ ସମ୍ପର୍କରେ ଘୋଷଣା କରିବା ପରଠାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ପରମାଣୁ ଅସ୍ତ୍ର ମହଜୁଦ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟ ସେମାନଙ୍କର ଘାତକ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରିବା ସହିତ ନୂଆ ଅସ୍ତ୍ରଶସ୍ତ୍ର ବିତରଣ ବ୍ୟବସ୍ଥାରେ ବିକାଶ କରୁଛନ୍ତି। ସିପ୍ରି ମତରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ୱରେ ପରମାଣୁ କୂଟନୀତି ପ୍ରତି ଗୁରୁତର କ୍ଷତି ପହଞ୍ଚାଇଛି। କାରଣ ଏକ ସୂତ୍ର ଅନୁଯାୟୀ ଆମେରିକା ପ୍ରଶାସନ ଇତିମଧ୍ୟରେ ରୁଷିଆ ସୀମାକୁ ଲାଗିଥିବା କିଛି ଅଣନାଟୋ ରାଷ୍ଟ୍ରରେ ପରମାଣୁ ଅସ୍ତ୍ରଶସ୍ତ୍ର ମୁତୟନ କରିଛି। ଏହାଦ୍ୱାରା ଯେକୌଣସି ସମୟରେ ପରିସ୍ଥିତି ଅଧିକ ବିଗିଡିଲେ କୌଣସି ନା କୌଣସି ରାଷ୍ଟ୍ର ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଏବଂ ତାହାଦ୍ୱାରା ତୃତୀୟ ବିଶ୍ୱଯୁଦ୍ଧ ସଂଘଟିତ ହୋଇପାରେ ବୋଲି ବହୁ କୂଟନୀତିଜ୍ଞ ଏବଂ ସାମରିକ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।
Comments are closed.