ନୂଆପଡ଼ା/ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନ ଭୋଟ୍। ସୋମବାର ଏଥିପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ଦିନରୁ ଆସନ୍ତା ୨୦ ତାରିଖ ଯାଏ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ତେବେ କଂଗ୍ରେସ ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ଛାଡି ଗତକାଲି ବିଜେପିରେ ସାମିଲ ହୋଇଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କ ନାଁରେ ରାଜ୍ୟ ବିଜେପି କମିଟି ପ୍ରାର୍ଥୀ ପାଇଁ ଏକପ୍ରକାର ମୋହର ମାରି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତିକୁ ଅପେକ୍ଷା କରିଛି। ଆସନ୍ତାକାଲି ଜୟଙ୍କ ନାଁରେ ମୋହର ବାଜିପାରେ। ୧୫ ତାରିଖରେ ଜୟ ବିଜେପି ପ୍ରାର୍ଥୀ ରୂପେ ମନୋନୟନ ପତ୍ର ଦାଖଲ କରିବେ ବୋଲି ଆଲୋଚନା ହେଉଛି। ଏଣେ ଜୟଙ୍କୁ ପ୍ରାର୍ଥୀ କରିବା ନେଇ ଆଗରୁ ଆଶ୍ବସ୍ତ ଥିବା ବିଜେଡି ପାଇଁ ବଡିଛି ପ୍ରାର୍ଥୀ ଖୋଜା ଅଡୁଆ। ଦଳ ଖୁବ୍ଶୀଘ୍ର ଏଠାରୁ ଜଣେ ଭଲ ପ୍ରାର୍ଥୀ ଦେବ ଓ ନିର୍ବାଚନ ଜିତିବ ବୋଲି ବିଜେଡି ନେତା ବିବୃତ୍ତି ରଖିଛନ୍ତି।
ନୂଆପଡ଼ା ଉପ-ନିର୍ବାଚନରେ ପ୍ରାର୍ଥୀ ମନୋନୟନକୁ ନେଇ ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଥିଲା କୋର କମିଟିର ମାନସ ମନ୍ଥନ। ବିଜେପି ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ଶୁକ୍ରବାର ବିଜେପିରେ ସାମିଲ ହୋଇଥିବା ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବା ନେଇ ରବିବାରର କୋର କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତିକୁ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିକଟକୁ ପଠାଯାଇଛି। କେନ୍ଦ୍ର ନେତୃତ୍ବ ସବୁଜ ସଙ୍କେତ ଦେବା ପରେ ସୋମବାର ସୁଦ୍ଧା ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବା ସମ୍ଭାବନା ଅଛି। ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ବିଜେଡିରୁ ଉପ-ନିର୍ବାଚନ ଲଢ଼ିବେ ବୋଲି କିଛିଦିନ ତଳେ ଗଣମାଧ୍ୟମକୁ କହିଥିଲେ। ବିଜେଡି ବ୍ୟାନରରେ ପ୍ରଚାର ବି ଆରମ୍ଭ କରି ଦେଇଥିଲେ। କିନ୍ତୁ ଶନିବାର ଜୟ ବିଜେପିରେ ମିଶିବା ପରେ ଉପ-ନିର୍ବାଚନ ସମୀକରଣ ଓଲଟପାଲଟ ହୋଇଯାଇଥିଲା। ଏଣେ ଜୟ ବିଜେପିରେ ମିଶିବା ପରେ ନୂଆପଡ଼ା ବିଜେପିରେ କିଛିଟା ଅସନ୍ତୋଷ ଦେଖାଦେଇଛି। ଶନିବାର ବହୁ କର୍ମୀ ଜିଲା ବିଜେପି କାର୍ଯ୍ୟାଳୟକୁ ଆସି ଇସ୍ତଫାପତ୍ର ଦେଇଥିବାବେଳେ କିଛି ମଣ୍ଡଳ ସଭାପତି, ବୁଥ୍ ସଭାପତିଙ୍କ ସହ କର୍ମୀମାନେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। କିନ୍ତୁ ଜୟଙ୍କ ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ରହି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାଇଁ ଆଉ ଏକ ପଦ୍ମ ପାଖୁଡ଼ା ଫୁଟିବ ବୋଲି ଗଣମାଧ୍ୟମକୁ କହିଛନ୍ତି। ବସନ୍ତଙ୍କ ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ସେ ଦଳରେ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ କାମ କରିବେ। ଆଗକୁ ଦଳ ବସନ୍ତ ଓ ତାଙ୍କ ପୁଅ ତଥା ଆଶାୟୀ ପ୍ରାର୍ଥୀ ଥିବା ଅଭିନନ୍ଦନ ପଣ୍ଡା ଉଭୟଙ୍କୁ କୌଣସି ପଦରେ ଥଇଥାନ କରିପାରେ ବୋଲି ଚର୍ଚ୍ଚା ହେଉଛି।
କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରରେ ଥିବାରୁ ଏହି ଉପ-ନିର୍ବାଚନ ଜିତିବା ଦଳ ପାଇଁ ସମ୍ମାନର କଥା। ସମ୍ମାନ ରକ୍ଷା ପାଇଁ ବିଜେପିର ରାଜ୍ୟସ୍ତରୀୟ ଏବଂ କେନ୍ଦ୍ରୀୟ ନେତା ନୂଆପଡ଼ାରେ ଡେରା ପକାଇବେ। ନୂଆପଡ଼ାରେ ଛତିଶଗଡ଼ର ପ୍ରଭାବ ସହ କିଛି ସ୍ବତନ୍ତ୍ର ବର୍ଗର ଭୋଟକୁ ବିଜେପି ନିଜ ସମର୍ଥନକୁ ଆଣିବାକୁ ଆଶା ବାନ୍ଧିଛି। ଏଣେ ଆସନ୍ତା ୧୫ ତାରିଖରେ ବିଜେପି ପ୍ରାର୍ଥୀଙ୍କ ମନୋନୟନ ପତ୍ର ଦାଖଲ ସମୟରେ ରାଜ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଣି ନୂଆପଡ଼ା ଗସ୍ତରେ ଯାଇପାରନ୍ତି। ନାମାଙ୍କନରୁ ଶକ୍ତି ପ୍ରଦର୍ଶନ କରିବା ଲାଗି ବିଜେପି ରଣନୀତି କରୁଥିବା ଆଲୋଚନା ହେଊଛି।
ସେପଟେ ନୂଆପଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତ କରୁଛି। ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହିତ ଗାଁ ଗାଁରେ ଛୋଟବଡ଼ ସଭା ସମିତି କରି ପ୍ରଚାର ଆରମ୍ଭ କରି ଦେଲାଣି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କର ନିଜ ପକେଟ୍ ଭୋଟ ସହ ଦଳୀୟ ଭୋଟ ମଧ୍ୟ ରହିଛି। ପିସିସି ସଭାପତି ଭକ୍ତ ଦାସଙ୍କ ଅଞ୍ଚଳ ହୋଇଥିବାରୁ ଉପ-ନିର୍ବାଚନ ଜିତିବା ପାଇଁ ସେ ସମସ୍ତ ପ୍ରକାର ଶକ୍ତି ଖଟାଉଛନ୍ତି। ଜୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବାରୁ ଏଥିରେ ଅସନ୍ତୁଷ୍ଟ ବିଜେଡିର କିଛି ଭୋଟକୁ କଂଗ୍ରେସ ପାଇବ ବୋଲି ଆଶା ବାନ୍ଧିଛି। ଏପରିକି ଏନେଇ ଭକ୍ତ ମଧ୍ୟ ଭୁବନେଶ୍ବରରେ ଥାଉ ଗଣିତ କଷି ଗଣମାଧ୍ୟମକୁ ଆଜି କହିଛନ୍ତି।
ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ, ସେଥିନେଇ ଦଳରେ ମାନସ ମନ୍ଥନ ଚାଲିଛି। ଏନେଇ ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର କିଛି ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରିଛନ୍ତି। ବିଜେଡି ମଧ୍ୟ ଏଠାରେ ଭିନ୍ନ ଗେମ୍ ପ୍ଲାନ୍ରେ ରହିଛି। କାହାକୁ ଏଠାରୁ ପ୍ରାର୍ଥୀ କରିବ ସେଥିନେଇ ନୂଆପଡ଼ାର ଏକାଧିକ ପ୍ରଭାବଶାଳୀ ଦଳୀୟ ନେତାଙ୍କ ସହ ବିଚାର ବିମର୍ଶ କରିଛି। ଖୁବ୍ଶୀଘ୍ର ଦଳ ଏଠାରେ ଭଲ ପ୍ରାର୍ଥୀ ଦେବ ଓ ନିର୍ବାଚନ ଜିତିବ ବୋଲି ବିଜେଡି ସୂତ୍ରରୁ କୁହାଯାଇଛି।
ପ୍ରକାଶଥାଉକି, ନୂଆପଡ଼ା ଉପ-ନିର୍ବାଚନରେ ୧,୨୪,୧୦୮ ପୁରୁଷ, ୧,୨୯,୪୯୫ ମହିଳା, ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟରଙ୍କୁ ମିଶାଇ ମୋଟ ୨,୫୩,୬୨୪ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଗତ ୯ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚିଠା ଭୋଟର ତାଲିକା ଅନୁସାରେ, ଏହି ନିର୍ବାଚନ ମଣ୍ଡଳୀରେ ଯୁବ ଭୋଟରଙ୍କ ଅନୁପାତ ୨.୪୨% ଥିବାବେଳେ ଚୂଡାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୩.୭୨%ରେ ପହଞ୍ଚିଛି। ଚଳିତ ଉପ-ନିର୍ବାଚନରେ ଯୁବ ଭୋଟର ଏକ ପ୍ରକାର ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି। ଗତଥର ଏଠାରୁ ସ୍ବର୍ଗତ ରାଜେନ୍ଦ୍ର ଜିତିଥିବାବେଳେ କଂଗ୍ରେସ ଛାଡି ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଘାସିରାମ ଦ୍ବିତୀୟ ଓ ବିଜେପିର ଅଭିନନ୍ଦନ ତୃତୀୟ ସ୍ଥାନରେ ଥିଲେ। କଂଗ୍ରେସ ପ୍ରାର୍ଥୀଙ୍କୁ ୧୫ ହଜାରରୁ କିଛି ଅଧିକ ଭୋଟ ମିଳିଥିଲା।



