www.samajalive.in
Friday, December 5, 2025
26.1 C
Bhubaneswar

ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତ ଗିରଫ, ସୁସ୍ଥ ହେଉଛନ୍ତି ପୀଡ଼ିତା

କଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁର ସହରରେ ଶୁକ୍ରବାର ବାଲେଶ୍ବର ଜିଲା ଜଳେଶ୍ବର ଅଞ୍ଚଳର ଜଣେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ପୁଲିସ ରବିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଶେଖ ରିୟାଜୁଦ୍ଦିନ, ଶେଖ ଫିର୍ଦୋସ, ଶେଖ ନସିମୁଦ୍ଦିନ ଏବଂ ଶେଖ୍‌ ସୋଫିକୁଲ। ଏମାନେ ସମସ୍ତେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ରବିବାର ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆସାନସୋଲ-ଦୁର୍ଗାପୁର ଡିସିପି ଅଭିଷେକ ଗୁପ୍ତା ସୂଚନା ଦେଇଛନ୍ତି। ପୀଡିତା ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିଲେ ସୁଦ୍ଧା ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ଏବଂ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି।

ପୁଲିସ ଇତିମଧ୍ୟରେ ଆଇକ୍ୟୁ ସିଟି ମେଡିକାଲ କଲେଜର କର୍ମଚାରୀ ଓ ଅନ୍ୟମାନଙ୍କୁ ମଧ୍ୟ ଜେରା କରୁଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ପୁଲିସ କହିଛି। ତେବେ ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ନ କରିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଇତିମଧ୍ୟରେ ଜାତୀୟ ମହିଳା କମିସନ (ଏନ୍‌ସିଡବ୍ଲ୍ୟୁ) ସଦସ୍ୟା ଅର୍ଚ୍ଚନା ମଜୁମଦାର ରବିବାର ଡାକ୍ତରଖାନାରେ ପୀଡିତାଙ୍କୁ ଭେଟିଛନ୍ତି। ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବର୍ତ୍ତମାନ ପୁଲିସ ଜେରା କରୁଛି ବୋଲି ଅର୍ଚ୍ଚନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଞ୍ଚଦିନ ମଧ୍ୟରେ କାର୍ଯ୍ୟାନୁ​‌ଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ମହିଳା କମିସନଙ୍କ ପକ୍ଷରୁ ଦୁର୍ଗାପୁର ପୁଲିସକୁ ନିର୍ଦେଶ ଦିଆଯାଇଛି।

- Advertisement -

ଅପରପକ୍ଷରେ କଲେଜ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡିତା ଓ ତାଙ୍କର ପୁରୁଷ ବନ୍ଧୁ ଶୁକ୍ରବାର ରାତି ୭ଟା ୫୮ ମିନିଟ​‌େ​‌ର ରାତ୍ରିଭୋଜନ ପାଇଁ କ୍ୟାମ୍ପସ ବାହାରକୁ ଯାଇଥିଲେ। ରାତି ୮ଟା ୪୨ ମିନିଟରେ ସେମାନଙ୍କ ମଧ୍ୟରୁ ଜଣେ ଫେରିଆସି କଲେଜର ମୁଖ୍ୟ ଫାଟକ ନିକଟରେ ୫/୬ ମିନିଟ ବୁଲାବୁଲି କରିଥିଲେ। ୮ଟା ୪୮ରେ ସେ ପୁଣି କ୍ୟାମ୍ପସ ବାହାରକୁ ଯାଇଥିଲେ। ପୀଡିତା ଓ ବନ୍ଧୁ ଜଣକ ରାତି ୯ଟା ୨୯ ମିନିଟରେ କଲେଜ କ୍ୟାମ୍ପସ୍‌କୁ ଫେରିଥିବାବେଳେ ୯ଟା ୩୧ ମିନିଟରେ ପୀଡିତା ଜଣକ ଛାତ୍ରୀ ନିବାସକୁ ପ୍ରବେଶ କରିଥିଲେ।

ଏହି ଘଟଣାକୁ ନେଇ ବର୍ତ୍ତମାନ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସରକାର ମୁଖ୍ୟତଃ ଦାୟୀ ବୋଲି ବିଜେପି ନେତା ତଥା ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି। ଗତବର୍ଷ ଅଗଷ୍ଟରେ କଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ ନ୍ୟାୟ ମିଳିନଥିବା ସେ କହିଛନ୍ତି। ଶନିବାର ବିଜେପି ପକ୍ଷରୁ ବିଧାୟିକା ଅଗ୍ନିମିତ୍ରା ପାଲଙ୍କ ନେତୃତ୍ବରେ ଆସାନସୋଲରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି।

ସୂଚନାଯୋଗ୍ୟ ୨୩ ବର୍ଷୀୟା ପୀଡିତା ଜଳେଶ୍ବର ନିବାସୀ ହୋଇଥିବାବେଳେ ଦୁର୍ଗାପୁରସ୍ଥିତ ଘରୋଇ ଆଇକ୍ୟୁ ସିଟି ମେଡିକାଲ କଲେଜରେ ଏମବିବିଏସ ଦ୍ବିତୀୟ ବର୍ଷର ଛାତ୍ରୀ ଅଟନ୍ତି। ଶୁକ୍ରବାର ରାତିରେ ପୁରୁଷ ବନ୍ଧୁଙ୍କ ସହ ରାତ୍ରିଭୋଜନ କରିବାକୁ କ୍ୟାମ୍ପସ ବାହାରକୁ ଯାଇଥିବାବେଳେ କେତେକ ଅଭିଯୁକ୍ତ ତାଙ୍କୁ ନିକାଞ୍ଚନ ଅଞ୍ଚଳକୁ ନେଇ ଗଣ ବଳାତ୍କାର କରିଥିଲେ। ସେମାନେ ପୀଡିତାଙ୍କ ମୋବାଇଲ ଫୋନ ଓ ୫୦୦୦ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ପୀଡିତାଙ୍କ ପରିବାରର ଏତଲାକୁ ଆଧାର କରି ପୁଲିସ ଚାରିଜଣଙ୍କୁ ଗିରଫ କରିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories