ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାର ସତୁରୀ ଦଶକରୁ ମାଳମାଳ କମିସନ ଓ କମିଟି ଗଠନ କରିଛନ୍ତି। ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ତଦନ୍ତ ମଧ୍ୟ କରାଇଛନ୍ତି। ମାତ୍ର ଫଳ ଘର ଶୂନ। ଏପରିକି ଏହି ସବୁ ତଦନ୍ତ ରିପୋର୍ଟ ସାର୍ବଜନୀନ ମଧ୍ୟ ହେଉ ନାହିଁ। ଶ୍ରୀଜଗନ୍ନାଥଙ୍କ ସହିତ ଓଡ଼ିଆ ଜାତିର ଭାବାବେଗ ଜଡ଼ିତ ଥିବାବେଳେ ବ୍ୟବସ୍ଥାରେ ସୁଧାର ବିନା କମିସନ ଓ କମିଟି ଗଠନ କରି କେବଳ ସରକାରୀ ଅର୍ଥଶ୍ରାଦ୍ଧର ପ୍ରାସଙ୍ଗିକତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ତଥ୍ୟ ମୁତାବକ, ଭଗବତ ଦୟାଲ ଶର୍ମା ଓଡ଼ିଶାର ରାଜ୍ୟପାଳ ଥିବାବେଳେ ଶ୍ରୀମନ୍ଦିରରେ ସଂସ୍କାର ଲାଗି ୭୦ ଦଶକରେ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। ଏହି କମିଟିରେ ଗଜପତି ମହାରାଜା, ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ, ଜଷ୍ଟିସ ହରିହର ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଥିଲେ। ଏହି କମିଟି ରାଜ୍ୟ ସରକାରଙ୍କୁ ଦେଇଥିବା ତଥ୍ୟ ସମ୍ବଳିତ ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସଂକ୍ରାନ୍ତରେ କାହା ପାଖରେ କିଛି ତଥ୍ୟ ନାହିଁ। ୧୯୭୮ରେ ନବକଳେବର ବିଭ୍ରାଟର ତଦନ୍ତ ପାଇଁ ଗଠନ କରାଯାଇଥିବା ଜଷ୍ଟିସ ବି. କେ. ପାତ୍ର କମିସନଙ୍କ ରିପୋର୍ଟର ଅବସ୍ଥା ସମାନ। ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଦଳାଚକଟା ଜନିତ ଦୁର୍ଘଟଣାର ତଦନ୍ତ ଓ ତାହାର ପ୍ରତିକାର ନିମନ୍ତେ ସୁପାରିସ ପାଇଁ ୧୯୯୩ରେ ଜଷ୍ଟିସ ଜୀବନ ମୋହନ ମହାପାତ୍ର କମିସନ କରାଯାଇଥିଲା।
ଏହି କମିସନ ୧୯୯୫ରେ ତାଙ୍କ ରିପୋର୍ଟ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଜଷ୍ଟିସ ମହାପାତ୍ର କମିସନଙ୍କ ସୁପାରିସ ଉପରେ କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ଏହି ରିପୋର୍ଟ ସରକାରଙ୍କ ପାଖରେ କୁଆଡ଼େ ହଜିଗଲା ବୋଲି କୁହାଯାଉଛି। ୨୦୦୬ ନଭେମ୍ବର ୪ରେ ଶ୍ରୀଜଗନ୍ନାଥ ମନ୍ଦିରରେ ଅନ୍ୟ ଏକ ଦଳାଚକଟା ଦୁର୍ଘଟଣା ଘଟିବାରୁ ଜଷ୍ଟିସ ପି.କେ. ମହାନ୍ତି କମିସନ ଗଠନ ହୋଇଥିଲା। ଜଷ୍ଟିସ ମହାପାତ୍ର କମିସନ ରିପୋର୍ଟ କିଭଳି ହଜିଲା ସେ ସଂକ୍ରାନ୍ତରେ ବି ତଦନ୍ତ କରିବାକୁ ଜଷ୍ଟିସ ମହାନ୍ତି କମିସନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ୨୦୧୫ର ନବକଳେବର ସମୟରେ ଘଟିଥିବା ବିଭିନ୍ନ ବିଭ୍ରାଟ ପ୍ରସଙ୍ଗରେ ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସରକାର ଦାୟିତ୍ୱ ଦେଇଥିଲେ। ସେ ବି ତଦନ୍ତ କରି ୨୦୧୮ରେ ତାଙ୍କ ରିପୋର୍ଟ ଦେଇଥିଲେ; କିନ୍ତୁ ଏହି ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଏବେ ବି ଅନ୍ଧାର ଘେରରେ ଅଛି। ୨୦୧୬ରେ ରାଜ୍ୟ ସରକାର ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସଂସ୍କାର କମିସନ ଗଢ଼ିଥିଲେ। ଏହି କମିସନ ଦୁଇଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେଇଥିବାବେଳେ ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ କମିସନକୁ ଅଚଳ କରିଦିଆଗଲା।
ସେହିଭଳି ରତ୍ନଭଣ୍ଡାର ଚାବି କେମିତି ହଜିଲା ଓ ତାହାକୁ ଖୋଜି ବାହାର କରିବା ପାଇଁ ରାଜ୍ୟ ସରକାର ୨୦୧୮ରେ ଜଷ୍ଟିସ ରଘୁବୀର ଦାସ କମିସନ ବସାଇଥିଲେ। ଏହି କମିସନ ତାଙ୍କ ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ତାହାକୁ ସାର୍ବଜନୀନ କରାଯାଉ ନାହିଁ କିମ୍ବା ବିଧାନସଭାରେ ବି ଉପସ୍ଥାପିତ ହେଉନାହିଁ। ଏହି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ସରକାର ସମୟ ଗଡ଼ାଇ ଚାଲିଥିବା କୁହାଯାଉଛି। ୨୦୨୪ରେ ଶ୍ରୀ ଗୁଣ୍ଡିଚା ଦିନ ମାଉସୀ ମା’ ମନ୍ଦିରକୁ ପହଣ୍ଡି ବିଜେ ସମୟରେ ବଡ଼ ଠାକୁର ମହାପ୍ରଭୁ ବଳଭଦ୍ର ଚାରମାଳ ଉପରୁ ପଡ଼ିଯିବା ଘଟଣାକୁ ନେଇ ରାଜ୍ୟ ସରକାର କମିଟି ଗଠନ କରି ତଦନ୍ତ କରୁଥିଲେ, ହେଲେ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସମ୍ପର୍କରେ ସରକାର ସ୍ପଷ୍ଟ କରୁନାହାନ୍ତି।
ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ଦିଘାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ବିଭିନ୍ନ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟ କ’ଣ ଆସିଛି ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଏଯାବତ ସ୍ପଷ୍ଟ ହେଲା ନାହିଁ। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଦିନ ଶରଧାବାଲିରେ ଦଳାଚକଟା ଘଟଣାରେ ରାଜ୍ୟ ସରକାର ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ତଦନ୍ତ ଦାୟିତ୍ବ ଦେଇଥିଲେ। କମିଟି ତଦନ୍ତ ରିପୋର୍ଟ ସରକାରଙ୍କୁ ଦେଇଥିବା ବେଳେ ସରକାର ତାହା ପ୍ରକାଶ କରୁନାହାନ୍ତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ଓଡ଼ିଆ ଜାତିର ଭାବାବେଗ ସହ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ବିଭ୍ରାଟର ନିରାକରଣ ସହିତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କମିସନ ଓ କମିଟି କ’ଣ ସବୁ ରିପୋର୍ଟ ଦେଉଛନ୍ତି ତାହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି। ପୁଣି ଏହି ସବୁ ରିପୋର୍ଟର ବିଷୟବସ୍ତୁକୁ ମଧ୍ୟ ସାର୍ବଜନୀନ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଛି।



