କଲ୍ୟାଣସିଂହପୁର: ସାତ ଦଶନ୍ଧିରୁ ଅଧିକ ବର୍ଷ ଧରି ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ନିୟମଗିରିର ପାହାଡ଼ ଉପରେ ରହିଥିବା ୨୩ ଗ୍ରାମର ଶତାଧିକ ପରିବାର। ଆଜିଯାଏଁ ବିଜୁଳି ଆଲୁଅ ଦେଖି ନାହାନ୍ତି ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ଘରକୁ ବିଜୁଳି, ନଳକୁ ପାଣି ଓ ସାହିକୁ ସିସି ରାସ୍ତା ଭଳି ଅନେକ ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି ଏହି ଜନଜାତି। ବର୍ତ୍ତମାନ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ୨୩ ଗାଁବାସୀ ଅନ୍ଧାରରେ କାଳ କାଟୁଛନ୍ତି। ସରକାର ପରେ ସରକାର ଏବଂ ଅଧିକାରୀ ପରେ ଅଧିକାରୀ ବଦଳୁ ଥିଲେ ମଧ୍ୟ ଡଙ୍ଗରିଆଙ୍କ ଭାଗ୍ୟ ବଦଳି ପାରୁନି। ବର୍ଷ ପରେ ବର୍ଷ ବିତି ଯାଇଛି; କିନ୍ତୁ ପାହାଡ଼ିଆ ଘାଟି ଚଢୁପାରିନି ବିଦ୍ୟୁତ ଖୁଣ୍ଟ ଓ ତାର।
ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ ଉପରେ ଥିବା ପାର୍ଶାଲି ପଞ୍ଚାୟତର ଅଧିକାଂଶ ଗ୍ରାମକୁ ବିଜୁଳି ଆଲୁଅ ପହଞ୍ଚି ନାହିଁ। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିବିରି ଆଲୁଅ ପାଇଁ କିରାସିନି ମିଳୁନଥିବାରୁ ଅନ୍ଧାରରେ କାଳାତିପାତ କରିବାକୁ ଗ୍ରାମବାସୀ ବାଧ୍ୟ ହୋଇଛନ୍ତି। ଗ୍ରାମଗୁଡ଼ିକରେ ସୌର ଆଲୋକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅତି ନିମ୍ନମାନର କାମ ଯୋଗୁଁ ସୌବତିଗୁଡିକ ଜଳୁ ନାହିଁ ବୋଲି ଗତ କିଛିଦିନ ପୂର୍ବେ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିକଟରେ ଅଭିଯୋଗ କରିଥିଲେ ଡଙ୍ଗରିଆ କନ୍ଧ। ସୌରବତି ଲାଗିବାର ମାସେ ନପୂରୁଣୁ ନଷ୍ଟ ହୋଇଯାଇଥିଲା। ସରକାରଙ୍କଠାରୁ କୋଟି କୋଟି ଟଙ୍କା ନେଇଥିଲେ ସୁଦ୍ଧା ସୋଲାର ପ୍ରଦାନକାରୀ ସଂସ୍ଥା ବତିଗୁଡିକ ମରାମତି କରିବାକୁ ମଧ୍ୟ ଭୁଲି ଯାଇଛି।
ଆଦିମ ଜନଜାତି ଡ଼ଙ୍ଗରିଆଙ୍କ ପାଇଁ ସରକାର ୧୯୮୭ ମସିହାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ଥାପନ କରିଥିଲେ। ୩୯ ବର୍ଷ ଏହି ସଂସ୍ଥା କାର୍ଯ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଡଙ୍ଗରିଆଙ୍କ ଭାଗ୍ୟ ବଦଳି ପାରିନି। ପାଞ୍ଚ ବର୍ଷ ଓପିଲିପି ନାମରେ ଆଇଟିଡିଏ ପକ୍ଷରୁ ଆଉ ଏକ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପ୍ରାୟ ୪୦ କୋଟି ଟଙ୍କା ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ ଓ ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ବିକାଶ ପାଇଁ ବିନିଯୋଗ କରାଯାଇଥିଲା। ସମସ୍ତ ପ୍ରକଳ୍ପ ଶେଷ ହୋଇଯାଇଥିଲେ ମଧ୍ୟ ସେଥିରୁ ଲୋକେ ଉପକୃତ ହୋଇପାରି ନାହାନ୍ତି। ଏହି ଅଞ୍ଚଳର ପାହାଡ଼ ତଳି ଗ୍ରାମଗୁଡିକକୁ ବିଜୁଳି ସଂଯୋଗ କରାଯାଇଛି। କିନ୍ତୁ ଗୁମା, ଲମ୍ବା, ଡଙ୍ଗମାଠି, ପଟଙ୍ଗ ପଦର, ଲାଖପଦର, ଟାମକଷିଲା, ଟେଭାପଡା, ପଞ୍ଚକୋଡ଼ି, କାଡ୍ରାକାବଣ୍ଡେଲି, ଫକେରି, ନିଶିଖାଲ, ନିର୍ଗୁଣ୍ଡି, ସାରିଝୋଲା ଭଳି ଅନେକ ଗ୍ରାମକୁ ଆଜିଯାଏଁ ବିଜୁଳି ଆଲୁଅ ସାତ ସପନ ହୋଇଛି। ଫଳରେ ରାତିର ଖାଦ୍ୟକୁ ଲୋକେ ବେଳ ବୁଡ଼ିବା ପୂର୍ବରୁ ଖାଉଛନ୍ତି। ଜଙ୍ଗଲୀ ଜନ୍ତୁଙ୍କ ଭୟ ରହୁଥିବାରୁ ସନ୍ଧ୍ୟା ନଇଁଲା ମାତ୍ରେ ଲୋକେ ତାଟି କବାଟ ପକାଇ ରହୁଛନ୍ତି। ଡଙ୍ଗରିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଡିକେଡିଏ ସଂସ୍ଥା ଆଖିକାନ ବୁଜି ଦେଇଥିବା ପ୍ରତୀୟମାନ। ଜନଜାତିଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାକୁ ବର୍ଷେ ବିତି ଯାଇଛି, କିନ୍ତୁ ବିଜୁଳି ଆଲୋକ ଦେଖିପାରି ନାହାନ୍ତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ।



