ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ସମ୍ବଲପୁରର ଅନ୍ୟତମ ପୁରାତନ ନନ୍ଦପଡା ଚିତ୍ରୋତ୍ପଳା ଯୁବକ ସଂଘ ତରଫରୁ ୩ ଦିନ ଧରି ବିଭିନ୍ନ ପ୍ରତିଯୋଗିତା କ୍ରମରେ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତ ଆୟୋଜିତ ହୋଇଯାଇଛି । ରବିବାର ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସହରର ୧୦ରୁ ଅଧିକ ବିଦ୍ୟାଳୟ ଗୁଡିକର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ସବ ଜୁନିୟର ବର୍ଗ ପ୍ରତିଯୋଗିତାରେ ଛୁଆ ମାନଙ୍କୁ ନିଜର ମନ ମୁତାବକ ଚିତ୍ର ଆଙ୍କିବାକୁ ଦିଆଯାଇଥିଲା। ୬ଷ୍ଠରୁ ୮ମ ଶ୍ରେଣୀ ଜୁନିୟର ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମର ମନ୍ଦିର ଅଥବା ଗ୍ରାମର ରାସ୍ତା ଉପରେ ଚିତ୍ରାଙ୍କନ ଏବଂ ବରିଷ୍ଠ ବର୍ଗ ୯ମ ଶ୍ରେଣୀରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ମାଁ ସମଲେଶ୍ୱରୀ ଅଥବା ପଶ୍ଚିମ ଓଡିଶାର କୌଣସି ଏକ ପର୍ବ ଉପରେ ଚିତ୍ର ଆଙ୍କିବାକୁ ବିଷୟବସ୍ତୁ ଦିଆଯାଇଥିଲା । ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏହି ପ୍ରତିଯୋଗିତାକୁ ଆୟୋଜନ ଓ ପରିଚାଳନାରେ ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦର ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ।
Popular Categories



