ନୁଆଁଖାଇ ଲଗ୍ନ ନିର୍ଦ୍ଧାରିତ-ମାଁ ସମଲେଶ୍ୱରୀଙ୍କୁ ସକାଳ ୧୦.୫୬ ରୁ ୧୧.୧୦ ମଧ୍ୟରେ ଲାଗିବ ନବାନ୍ନ

ସମ୍ବଲପୁର – ପଶ୍ଚିମ ଓଡିଶାର ସର୍ବ ବୃହତ ଗଣପର୍ବ ‘ନୁଆଁଖାଇ’ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଗୁରୁବାର ଦିନ ସର୍ବତ୍ର ପାଳନ ହେବ । ଚଳିତ ବର୍ଷର ‘ନୂଆଁଖାଇ / ନବାନ୍ନ’ ପାଳନ କରିବା ପାଇଁ ଶୁକ୍ରବାର ପବିତ୍ର ନନ୍ଦୋତ୍ସବ ତିଥିରେ ଅପରାହ୍ନ ୫ଟାରେ ସମ୍ବଲପୁରର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ଓ ବିଦ୍ୱାନ ମାନେ ପାରମ୍ପରିକ ରିତିନିତି ଅନୁଯାୟୀ ‘ନୁଆଁଖାଇ’ର ଶୁଭ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି ।

prayash

ପରମ୍ପରାନୁଯାୟୀ ଜନ୍ମାଷ୍ଟମୀର ପରଦିନ ନନ୍ଦୋତ୍ସବ ଦିନ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଉଥିବାରୁ ଆଜି ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସଦସ୍ୟଗଣ, ଜ୍ୟୋର୍ତିବିଦ, ପଣ୍ଡିତ ଓ ବିଦ୍ୱାନ ମାନେ ନୁଆଁଖାଇର ଲଗ୍ନ ନିର୍ଦ୍ଧାରଣ କରିଥିଲେ । ଏହା ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଦସ୍ୟ ମାନେ ମାଁ ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ କରିଛନ୍ତି ।

ଚଳିତ ବର୍ଷର ଲଗ୍ନପତ୍ର ଅନୁଯାୟୀ, ପ୍ରଥମ ଉତ୍ପାଦିତ ଶସ୍ୟରୁ ନିର୍ମିତ ପିଠା ଓ ଖିରି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ‘ବୀର ବିକ୍ରମ ସମ୍ବତ ୨୦୭୯, ଶକାବ୍ଦଃ ୧୯୪୪ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଗୁରୁବାର ଇଂ ତାରିଖ ୧ ସେପ୍ଟେମ୍ବର ୨୦୨୨ ଦିବା ଘ.୧୦ଟା ୫୬ ମିନିଟରୁ ଘ.୧୧ଟା ୧୦ ମିନିଟ ମଧ୍ୟରେ ତୁଳା ଲଗ୍ନେ, ମିଥୁନ ନବାଂଶେ’ ନବାହ୍ନ ଭୋଗ ଲାଗି ହେବ । ଏହା ପରେ ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ଟ୍ରଷ୍ଟ କମିଟୀ ତରଫରୁ ଆୟୋଜିତ ଏହି ଧାର୍ମିକ ବୈଠକରେ ପଣ୍ଡିତ ଲକ୍ଷ୍ମଣ ବେହେରା, ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର, ପଣ୍ଡିତ ମହେଶ୍ୱର ନାୟକ, ପଣ୍ଡିତ ଝସକେତନ ହୋତା, ଶଶାଙ୍କ ମିଶ୍ର, ପଣ୍ଡିତ ଶାନ୍ତନୁ ଶତପଥୀ, ପଣ୍ଡିତ ସୁଧାଂଶୁ ଶେଖର ପାଣିଗ୍ରାହୀ, ପଣ୍ଡିତ ସୁରେନ୍ଦ୍ର କୁମାର ପତି, ପଣ୍ଡିତ ଶରତ କୁମାର ପାଢ଼ୀ, ପଣ୍ଡିତ ଜିତେନ୍ଦ୍ର କୁମାର ନନ୍ଦ, ପଣ୍ଡିତ ପ୍ରଭାକର ତ୍ରିପାଠୀ ଙ୍କ ସମେତ ବ୍ରହ୍ମପୁରା ମନ୍ଦିରର ପୂଜକ ସନ୍ତୋଷ ପଣ୍ଡା, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସଞ୍ଜୟ କୁମାର ମିଶ୍ର, ସୁରେନ୍ଦ୍ର କୁମାର ପଣ୍ଡା, ସିତିକାନ୍ତ ପାଣିଗ୍ରାହୀ, ଅଭିଷେକ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଅଭିଷେକ ମିଶ୍ର, ସରୋଜ କୁମାର ସାହୁ, ମିଲୁ ପାଣିଗ୍ରାହୀ, ଶୁଭେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଲଗ୍ନ ଧାର୍ଯ୍ୟ ପରେ ମନ୍ଦିର ପୂଜକ ଓ କମିଟି ସଦସ୍ୟ ମାନେ ମାଁ ସମଲେଶ୍ୱରୀ ଙ୍କ ମନ୍ଦିରକୁ ଯାଇ ମାଁ ଙ୍କୁ ଲଗ୍ନ ପତ୍ର ଅର୍ପଣ କରିଥିଲେ ।

kalyan agarbati

Comments are closed.