ଭୁବନେଶ୍ବର : ସମ୍ପତ୍ତି ତାଲିକା ଦେଇନଥିଲେ କୌଣସି ସରକାରୀ କର୍ମଚାରୀ/ଅଧିକାରୀଙ୍କୁ ପଦୋନ୍ନତି ମିଳିବ ନାହିଁ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏଭଳି ଚରମବାଣୀ ଶୁଣାଇ ଦିଆଯାଇଛି। ବାରମ୍ବାର ତାଗିଦ ସେତ୍ତ୍ବ ସରକାରୀ ବାବୁମାନେ ନିଜ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁନଥିବାରୁ କଡ଼ା ଆଭିମୁଖ୍ୟ ଆପଣାଇଛି ବିଭାଗ। ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାରଙ୍କ ଦସ୍ତଖତରେ ଜାରି ‘କାର୍ଯ୍ୟାଳୟ ସ୍ମାରକ’ରେ ଏନେଇ ସ୍ପଷ୍ଟ କରାଯାଇଛି।
ଓଡ଼ିଶା ସିଭିଲ ସର୍ଭିସେସ୍ (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମ, ୧୯୯୨ ଅନୁସାରେ, ମେରିଟ୍ ଏବଂ ବରିଷ୍ଠତାକୁ ଭିତ୍ତି କରି ପଦୋନ୍ନତି ପାଇଁ ମନୋନୀତ କରାଯାଇଥାଏ। ଯଦି କୌଣସି ସରକାରୀ କର୍ମଚାରୀ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକରେ ଅପ୍-ଟୁ-ଡେଟ୍ ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରିନଥିବେ ପଦୋନ୍ନତି ପାଇଁ ସେ ଅଯୋଗ୍ୟ ବିବେଚିତ ହେବେ। ସମ୍ପତ୍ତି ରିଟର୍ଣ୍ଣ ଆବଶ୍ୟକତା ପୂରଣ କରିଥିବା କର୍ମଚାରୀଙ୍କ ଯୋଗ୍ୟତା ଏବଂ ଉପଯୁକ୍ତତାକୁ ଭିତ୍ତି କରି ଉପଲବ୍ଧ ଖାଲି ପଦଗୁଡ଼ିକ ପୂରଣ କରିବା ଦିଗରେ ଡିପିସି ପଦକ୍ଷେପ ନେବ। ଅପ୍-ଟୁ-ଡେଟ୍ ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରିବାରେ ବିଫଳ ହୋଇଥିବା କର୍ମଚାରୀଙ୍କ ପଦୋନ୍ନତିର ବିଚାର ପାଇଁ କୌଣସି ଖାଲି ପଦ ପୂରଣ ନ ହୋଇ କିମ୍ବା ସଂରକ୍ଷିତ ରହିବନି। ଯଦି କୌଣସି ଖିଲାପି କର୍ମଚାରୀ ଡିପିସି ପରେ ସରକାରଙ୍କ ଦ୍ବାରା ଅନୁମତି ଦିଆଯାଇଥିବା ‘ଗ୍ରେସ୍’ ଅବଧିରେ ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରନ୍ତି ଏବଂ ପଦୋନ୍ନତି ପାଇବା ପାଇଁ ଉପଯୁକ୍ତ ହୁଅନ୍ତି ସେ କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କ ପଦୋନ୍ନତି ପରବର୍ତ୍ତୀ ଡିପିସିରେ ବିଚାର କରାଯିବ।
ରାଜ୍ୟ ସରକାରୀ କର୍ମଚାରୀମାନେ ବାର୍ଷିକ ସମ୍ପତ୍ତି ବିବରଣୀ ପ୍ରଦାନ କରିବାକୁ ଅମଙ୍ଗ ହେଉଛନ୍ତି। ସରକାରଙ୍କୁ ବାର୍ଷିକ ବିବରଣୀ ଦେଲେ କାଳେ ସମ୍ପତ୍ତି ବୃଦ୍ଧି ତଥ୍ୟ ସମ୍ପର୍କରେ ଜଣାପଡ଼ିଯିବ ସେ ଭୟରେ ଅଧିକାଂଶ ଅଧିକାରୀ ଓ କର୍ମଚାରୀ ତାଲିକା ଦେଉନାହାନ୍ତି। ପ୍ରତିବର୍ଷ ସରକାର ବାରମ୍ବାର କହିବା ସତ୍ତ୍ବେ ଏ ଦିଗରେ କୌଣସି ସୁଧାର ପରିଲକ୍ଷିତ ହେଉନି। ୨୦୨୫ ବର୍ଷ ଶେଷ ହେବାକୁ ଯାଉଥିବାବେଳେ ୨୦୨୪ ମସିହାର ସମ୍ପତ୍ତି ବିବରଣୀ ବହୁ ଅଧିକାରୀ ଓ କର୍ମଚାରୀ ଦାଖଲ କରିନାହାନ୍ତି। ପ୍ରଥମରୁ ଚତୁର୍ଥଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ତାଲିକାକୁ ପ୍ରତିବର୍ଷ ଜାନୁଆରୀ ୩୧ ପୂର୍ବରୁ ଅନଲାଇନ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଏଚଆରଏମଏସ୍ ପୋର୍ଟାଲରେ ଅପଲୋଡ୍ କରିବା ନିୟମ ରହିଛି। ଏଥିପାଇଁ ରାଜ୍ୟ ସରକାର କ୍ୟାବିନେଟରେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମାବଳୀ-୨୦୨୧ ଅନୁମୋଦନ କରାଇବା ସହ ପ୍ରତ୍ୟେକ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ବାଧ୍ୟତାମୂଳକ କରିଥିଲେ। ହେଲେ ପ୍ରତିବର୍ଷ ଏହି ସମୟସୀମା ମଧ୍ୟରେ ଅଧିକାଂଶ କର୍ମଚାରୀ ତାଲିକା ଦାଖଲ କରୁନାହାନ୍ତି। ଏଥିପାଇଁ ଅନେକ ସମୟରେ ସରକାର ଅବଧି ବଢ଼ାଉ ଥିଲେ ବି ଏହାକୁ ବହୁ କର୍ମଚାରୀ ଗୁରୁତ୍ବ ଦେଉନାହାନ୍ତି। କର୍ମଚାରୀଙ୍କ ଏଭଳି ବେପରୁଆ ମନୋଭାବକୁ ନେଇ କଠୋର ହୋଇଛନ୍ତି ସରକାର।
ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ନାହିଁ
Popular Categories



