ପଦ୍ମପୁର : ଲୋକମାନେ ସୁବିଧାରେ ଯାତାୟତ କରିବା ପାଇଁ ସରକାର ଆରମ୍ଭ କଲେ ଲକ୍ଷ୍ମୀ ବସ ଯୋଜନା । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। ପଞ୍ଚାୟତ ସାରା ଲକ୍ଷ୍ମୀ ବସର ବିଜ୍ଞାପନ ହୋଡ଼ିଂ ଗୁଡିକ ଲାଗିଛି କିନ୍ତୁ ପଞ୍ଚାୟତକୁ ଗଡୁନି ଲକ୍ଷ୍ମୀ ବସ। ସରକାରୀ ଯୋଜନା ଏକ ପ୍ରହସନରେ ପରିଣତ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଜାତ୍ତିଲି ପଞ୍ଚାୟତବାସୀ । ସୂଚନା ମୁତାବକ ଡିସେମ୍ବର ୨୫ ତାରିଖରେ ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ କରାଗଲା । ଉଦଘାଟନ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ପଞ୍ଚାୟତକୁ ଯାଉନି ଲକ୍ଷ୍ମୀ ବସ ।
ଲକ୍ଷ୍ମୀ ବସ ନଯିବା ଫଳରେ ପଞ୍ଚାୟତର ରେଲା, ସରିଗୁଡା, ଜାତ୍ତିଲି, ନୂଆଗାଁ, ରଘୁନାଥପୁର, ଅଞ୍ଜଳି, ମାଳତୀପୁର ଭଳି ପଞ୍ଚାୟତର ଅନେକ ଗ୍ରାମର ଲୋକମାନେ ଅଟୋ ଭଡା କରି ଯାତାୟତ କରୁଛନ୍ତି। ଜାତ୍ତିଲି ପଞ୍ଚାୟତର ଗ୍ରାମଗୁଡିକରେ ସରକାରଙ୍କ ପକ୍ଷରୁ ଘରେ ଘରେ ଲକ୍ଷ୍ମୀ ହୋଡ଼ିଂ ଗୁଡିକ ଲାଗିଥିବାବେଳେ କିନ୍ତୁ ଯାଉନି ଲକ୍ଷ୍ମୀବସ। ଜାତ୍ତିଲି ପଞ୍ଚାୟତକୁ ବସ ଚଳାଚଳ କରିବା ପାଇଁ ସରକାରୀ କାର୍ଯ୍ୟାଳୟ, ନେତା, ନିର୍ବାଚିତ ପ୍ରତିନିଧି ଓ ଗୁଣୁପୁର ବିଧାୟକଙ୍କୁ ଜାତ୍ତିଲି ପଞ୍ଚାୟତବାସୀ ଅଭିଯୋଗ କରିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷେ ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣୀମାଳା ଶବରଙ୍କ ନିଜ ପଞ୍ଚାୟତ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଲକ୍ଷ୍ମୀବସ ଚଳାଚଳ କରିପାରୁନଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରୁଛି।



