ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗୃହୀତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ କେନ୍ଦ୍ର ସରକାର ବିରୋଧରେ ବିରୋଧୀ ଦଳଗୁଡିକ ପକ୍ଷରୁ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ବୁଧବାର ଲୋକସଭାରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ଆଲୋଚନା ନିମନ୍ତେ ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିଛନ୍ତି। ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ କଂଗ୍ରେସ ସଦସ୍ୟ ଗୌରବ ଗୋଗଇ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବ ସପକ୍ଷରେ ୫୦ରୁ ଅଧିକ ସଦସ୍ୟଙ୍କ ସମର୍ଥନ ମିଳିବାରୁ ବାଚସ୍ପତି ଏହାକୁ ଆଲୋଚନା ପାଇଁ ଅନୁମୋଦନ କରିଛନ୍ତି। ପ୍ରସ୍ତାବ ସପକ୍ଷରେ ସଦସ୍ୟଙ୍କ ସମର୍ଥନ ଜାଣିବା ଲାଗି ବାଚସ୍ପତି ମୁଣ୍ଡ ଗଣତି କରିଥିଲେ। ‘ଇଣ୍ଡିଆ’ ମେଣ୍ଟର ଅଂଶୀଦାର ବିରୋଧୀ ସଦସ୍ୟମାନେ ଠିଆ ହୋଇ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଫଳରେ ଏହା ଆଲୋଚନା ନିମନ୍ତେ ଗୃହୀତ ହୋଇଥିଲା। ପ୍ରସ୍ତାବ ଉପରେ କେବେ ଆଲୋଚନା ତାର ସମୟ ବାଚସ୍ପତି ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରିବେ। ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯିବା ପରେ ଏଥିପାଇଁ ଲୋକସଭାରେ​‌ ଭୋଟ ଗ୍ରହଣ ହେବ। ଅନାସ୍ଥା ପ୍ରସ୍ତାବକୁ ଯଦି ଅର୍ଦ୍ଧାଧିକ ସଦସ୍ୟଙ୍କ ସମର୍ଥନ ମିଳିବ ତେବେ ସରକାର ଇସ୍ତଫା ଦେବେ। ମାତ୍ର ମୋଦୀଙ୍କ ନେତୃତ୍ବ ସରକାର ବରଖାସ୍ତ ହେବା ଭଳି କୌଣସି ଆଶଙ୍କା ନାହିଁ। କାରଣ ସରକାର ସପକ୍ଷରେ ଲୋକସଭାରେ ୩୩୨ ସଦସ୍ୟଙ୍କ ସମର୍ଥନ ରହିଛି। ଏପରିକି ବିଜେପି ପାଖରେ ଏକାକୀ ୩୦୧ ସଦସ୍ୟ ରହିଛନ୍ତି। ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ପାଖରେ ୧୪୧ ଜଣ ସଦସ୍ୟଙ୍କ ସମର୍ଥନ ରହିଛି। ୪୧ ସଦସ୍ୟ ନିରପେକ୍ଷ ଭୂମିକାରେ ରହିଛନ୍ତି। କଂଗ୍ରେସ ସଦସ୍ୟ ଗୌରବ ଗୋଗଇଙ୍କ ପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ସାଂସଦ ନାମା ନାଗେଶ୍ବର ରାଓ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲେ। ବିଆରଏସ୍‌ ‘ଇଣ୍ଡିଆ’ ମେଣ୍ଟର ଅଂଶୀଦାର ଦଳ ହୋଇ ନଥିବାରୁ ଏହା ଅଲଗା ଭାବେ ଭାବେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିଲା।
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆଗତ ପରେ ସରକାର କହିଛନ୍ତି ଯେ ମୌସୁମୀ ଅଧିବେଶନ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ଆଲୋଚନା ନିମନ୍ତେ ସେମାନେ ରାଜି ଥିବା କହିଆସୁଛନ୍ତି। ମାତ୍ର ବିରୋଧୀ ଦଳଗୁଡିକ ଆଲୋଚନା ପରିବର୍ତ୍ତେ ଉଭୟ ଗୃହରେ ହୋହଲ୍ଲା କରି ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ବିରୋଧୀ ଦଳଗୁଡିକ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ହୋହଲ୍ଲା ଚଳାଇଥିଲେ।
ସୂଚନା ଅନୁଯାୟୀ ଲୋକସଭାରେ ବର୍ତ୍ତମାନ ସୁଦ୍ଧା ୨୬ଥର ଅନାସ୍ଥା ପ୍ରସ୍ତାବ ଆଗତ କରାଗଲାଣି। ୧୯୬୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସରକାର ବିରୋଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ମାତ୍ର ଏଥିରେ ସରକାର ବିଜୟୀ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଶାସନ ସମୟରେ ୧୫ଥର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ। ସେହିପରି ଲାଲ ବାହାଦୁର ଶାସ୍ତ୍ରୀ ଓ ପିଭି ନରସିଂହ ରାଓଙ୍କ ନେତୃତ୍ବ ସରକାର ୩ଥର ଲେଖାଏଁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ। ୧୯୯୯ରେ ଅଟଳ ବିହାରୀ ବାଜପେୀୟ ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ। ଏହି ଅନାସ୍ଥା ପ୍ରସ୍ତାବରେ ବାଜପେୟୀ ସରକାର ୨୬୯-୨୭୦ ଭୋଟରେ ପରାସ୍ତ ହୋଇଥିଲେ। ଫଳରେ ବାଜପେୟୀ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ତାଙ୍କ ସରକାରର ପତନ ହୋଇଥିଲା। ୨୦୧୮ରେ ମୋଦୀ ସରକାର ପ୍ରଥମ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ। ଏହି ପ୍ରସ୍ତାବ ୩୨୫-୧୨୬ ଭୋଟରେ କାଟ୍ ଖାଇଥିଲା। ଏବେ ଦ୍ବିତୀୟ ଥର ପାଇଁ ମୋଦୀ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ଯାଉଛନ୍ତି।

Comments are closed.