ରାଜ୍ୟରେ ବିଜେପିର ରଣନୀତି କାମ ଦେଉନି କାହିଁକି ?

ଭୁବନେଶ୍ବର : କେନ୍ଦ୍ରରେ ବିଜେପି ନେତୃତ୍ବରେ ଏନଡିଏ କ୍ରମାଗତ ଭାବେ ଦ୍ବିତୀୟ ପାଳି ଶାସନ କରୁଥିବାବେଳେ ଦେଶର ଅର୍ଦ୍ଧାଧିକ ରାଜ୍ୟ ଏବେ ବିଜେପି ଅକ୍ତିଆରକୁ ଆସିଛି। ସଦ୍ୟସମାପ୍ତ ୫ଟି ରାଜ୍ୟର ନିର୍ବାଚନରୁ ୪ଟିରେ ବିଜେପି କ୍ଷମତାସୀନ ହେବାକୁ ଯାଉଛି। କିନ୍ତୁ କଂଗ୍ରେସ ନିଜକୁ ବିପର୍ଯ୍ୟୟ ମୁହଁରୁ ରକ୍ଷା କରିପାରୁନାହିଁ। ତେବେ ଜାତୀୟ ସ୍ତରରେ ଏବଂ ଅଧିକାଂଶ ରାଜ୍ୟରେ ବିଜେପି ସଫଳତାର ସହିତ ନିର୍ବାଚନ ପରିଚାଳନା କରି ଭୋଟରଙ୍କ ବିଶ୍ବାସଭାଜନ ହେବା ସହ କ୍ଷମତା ଦଖଲ କରୁଥିବାବେଳେ ଓଡ଼ିଶାରେ ବିଜେପି ବିଜୟର ସ୍ବାଦ ଚାଖିବାରୁ ବଞ୍ଚିତ ହେଉଛି କାହିଁକି ? ଓଡ଼ିଶାରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ବଡ ବିପର୍ଯ୍ୟୟକୁ ସାମ୍ନା କରିବା ସହିତ ୩୦ଜିଲାରୁ ଗୋଟିଏ ହେଲେ ଜିଲାରେ ପରିଷଦ ଗଠନ କରିବାକୁ ସମର୍ଥ ହୋଇନାହିଁ। କିନ୍ତୁ ଅନ୍ୟାନ୍ୟ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ ଧରଣର ସଫଳତା ମିଳିଛି ଏବଂ ଏହି ଖୁସିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଦିବସ ପାଳନ ହେଉଛି।
ଜାତୀୟ ସ୍ତରରେ ସାମଗ୍ରିକ ଭାବେ ବିଜୟଧାରା ଅବ୍ୟାହତ ରଖିଥିବା ବିଜେପିର ଏ ସଫଳତା ଓଡ଼ିଶାରେ ଦୃଶ୍ୟମାନ ନ ହେବା ପଛର କାରଣ କ’ଣ ହୋଇପାରେ ? ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଏକଥା ଅବଶ୍ୟ ସମସ୍ତଙ୍କୁ ଜଣା ଯେ ଓଡ଼ିଶାର ବରିଷ୍ଠ ବିଜେପି ନେତାମାନେ ଅନ୍ୟାନ୍ୟ ରାଜ୍ୟରେ ବିଜେପିର ପ୍ରଭାରୀ ଭାବେ ନିଯୁକ୍ତି ପାଇ ସେଠାରେ ଖୁବ୍‌ ପାରଙ୍ଗମର ସହ ନିର୍ବାଚନ ପରିଚାଳନା କରୁଛନ୍ତି। ସେଠିକାର ଦଳୀୟ ସାଙ୍ଗଠନିକ ଦକ୍ଷତାକୁ ବଢାଇ ବିରୋଧୀଙ୍କୁ ପରାସ୍ତ କରୁଛନ୍ତି। ଏ କ୍ଷେତ୍ରରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗରେ ଅଛନ୍ତି। ଗତ କିଛିବର୍ଷ ଭିତରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶ, ବିହାରଠାରୁ ଆରମ୍ଭ କରି ଏଥର ଅନୁଷ୍ଠିତ ଦେଶର ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ଦଳୀୟ ପ୍ରଭାରୀ ଭାବେ ଦାୟିତ୍ବ ନେଇ ଖୁବ୍‌ ଦକ୍ଷତାର ସହିତ ନିର୍ବାଚନ ପରିଚାଳନା କରିଥିଲେ। ଏପରିକି ଯୋଗୀ ସରକାର ଦ୍ବିତୀୟ ପାଳି କ୍ଷମତାକୁ ଆସିବା ନେଇ ବିଭିନ୍ନ ମହଲରେ ସଂଶୟ ଥିଲା। ତଥାପି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜାତୀୟ ସ୍ତରର ବିଜେପିର ବରିଷ୍ଠ ନେତା ଅମିତ ସାହା ଏବଂ ଅନ୍ୟମାନଙ୍କ ପ୍ରଚାର, ବିଶେଷ କରି ଧର୍ମେନ୍ଦ୍ରଙ୍କ ପରିଶ୍ରମ ଏଠାରେ ବିଜେପିକୁ ଜିତାଇବାରେ ସଫଳ ହୋଇଛି। ଅନୁରୂପ ଭାବେ ଆସାମରେ ଓଡ଼ିଶା ବିଜେପିର ବରିଷ୍ଠ ନେତା ତଥା ଦଳର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଭାରୀ ଦାୟିତ୍ବରେ ରହି ଦଳକୁ କ୍ଷମତାକୁ ଆଣିଛନ୍ତି। ରାଜ୍ୟ ବିଜେପିର ବରିଷ୍ଠ ନେତା ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ବହୁ ନେତା ପଡୋଶୀ ରାଜ୍ୟକୁ ପ୍ରଚାରରେ ଯାଉଛନ୍ତି ଏବଂ ସେସବୁ ରାଜ୍ୟରେ ବିଜେପିକୁ ବିଜୟୀ କରିବାରେ ସେମାନଙ୍କ ଯଥେଷ୍ଟ ଅବଦାନ ରହିଛି। ହେଲେ ଏସବୁ ନେତାଙ୍କର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳୁନାହିଁ। ଏପରିକି ୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟରେ ନିଜର ସ୍ଥିତି ଯେଭଳି ଭାବେ ଉନ୍ନତ କରିବାକୁ ପ୍ରୟାସ କରିଥିଲା ସେ ଧାରା ବି ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଗିଡିଗଲା।
ଓଡ଼ିଶାରେ ପ୍ରଥମେ ଉପକୂଳ ଓଡ଼ିଶାରୁ ବିଜେପିର ବିଜୟ ଧାରା ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୦ରୁ ୨୦୦୯ପର୍ଯ୍ୟନ୍ତ ବିଜେଡି ସହ ମେଣ୍ଟ ସରକାରରେ ରହି ବିଜେପି ନିଜର ଶକ୍ତି ବୃଦ୍ଧି କରିଥିଲା। ହେଲେ ୨୦୦୯ପରଠୁ ବିଜେଡି ଛାଡ଼ିବା ପରେ ବିଜେପି ଆଉ ଉଧେଇବା ସମ୍ଭବ ହେଉନାହିଁ।
ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ କ୍ଷମତାକେନ୍ଦ୍ର ଏବଂ ଅନ୍ୟାନ୍ୟ ରାଜ୍ୟ ସଙ୍ଗଠନରେ ବେଶ ଦବ୍‌ଦବା ରହିଛି। ତେବେ ଓଡ଼ିଶାରେ ତାଙ୍କର ଯାଦୁ କାମ ଦେଉନି କାହିଁକି ? ରାଜନୀତି ସମୀକ୍ଷକଙ୍କ ମତ ହେଲା ଧର୍ମେନ୍ଦ୍ର ଓଡ଼ିଶା ସଙ୍ଗଠନରେ ଯେତିକି ସମୟ ଦେବା କଥା ଦେଇପାରୁନାହାନ୍ତି। ଧର୍ମେନ୍ଦ୍ରଙ୍କୁ ବାଦଦେଲେ ଓଡ଼ିଶାରେ ବରିଷ୍ଠ ନେତା ତଥା ସାଂସଦ ଜୁଏଲ ଓରାମଙ୍କଠୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କର ସେମାନଙ୍କ ଜିଲାରେ ବେଶ୍‌ ପ୍ରଭାବ ରହିଛି। ଏସବୁ ନେତାଙ୍କ ବ୍ୟତୀତ ବର୍ତ୍ତମାନର ଭୁବନେଶ୍ବରଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ଅନ୍ୟ ୬ଜଣ ସାଂସଦ ରହିଛନ୍ତି। ବିଜୟ ମହାପାତ୍ରଙ୍କ ଭଳି ବିଜେପିର ବରିଷ୍ଠ ନେତାଙ୍କ ସମେତ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ଭଳି ଅନେକ ପ୍ରଭାବଶାଳୀ ଏବଂ ଅଭିଜ୍ଞ ନେତା ଅଛନ୍ତି। କିନ୍ତୁ ଭିନ୍ନ ଭିନ୍ନ ଅଞ୍ଚଳରେ ସାଙ୍ଗଠନିକ କ୍ଷେତ୍ରରେ ସେମାନଙ୍କ ଦବ୍‌ଦବା ଥିଲେ ବି ଦଳର ସଙ୍ଗଠନକୁ ସୁଧାରିବା କ୍ଷେତ୍ରରେ ସେମାନେ ଯେତେ ସମୟ ଓ ସହଯୋଗ ଦେବା କଥା ଏବଂ ଦଳୀୟ ନେତାଙ୍କ ଭିତରେ ଦଳକୁ କ୍ଷମତାକୁ ଆଣିବା ଏବଂ ପ୍ରତିଦ୍ବନ୍ଦ୍ବୀ ଦଳକୁ ମୁକାବିଲା କରିବା କ୍ଷେତ୍ରରେ ଯେଉଁପ୍ରକାର ଲଢେଇର ସାମ୍ନା କରିବା କଥା ସମନ୍ବୟ ଅଭାବରୁ ତାହା ସମ୍ଭବ ହେଉନାହିଁ। ବିଶେଷ କରି ବିଜେପି ବିପର୍ଯ୍ୟୟର ପ୍ରମୁଖ କାରଣ କଣ ସେ ବିଷୟ ଦଳର ବରିଷ୍ଠ ନେତାମାନଙ୍କୁ ଅଛପା ପାହିଁ। ଅନ୍ୟାନ୍ୟ ରାଜ୍ୟରେ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଦଳର ଆକର୍ଷଣୀୟ ଚେହେରା ଲୋକଙ୍କ ସାମ୍ନାକୁ ନିଆଯାଉଥିଲେ ହେଁ ଓଡ଼ିଶାରେ ଏ ଦିଗ ପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଅନ୍ୟାନ୍ୟ ରାଜ୍ୟରେ ଓଡ଼ିଶାର ନେତା ପ୍ରଭାରୀ ଦାୟିତ୍ବ ନେଇ ବିଜୟର ଶ୍ରେୟ ପାଉଥିବାବେଳେ ସେମାନେ ଓଡ଼ିଶାରେ ସଫଳ ହୋଇପାରୁନାହାନ୍ତି। କିନ୍ତୁ ଓଡ଼ିଶାରେ ସର୍ବଗ୍ରହଣୀୟ ସାଧାରଣ ଜନତାଙ୍କୁ ଛୁଇଁବା ଭଳି ନେତୃତ୍ବ ଓ ଚେହେରା ସର୍ବସମ୍ମୁଖକୁ ଆଣିବାରେ ଦଳର ସଙ୍କୋଚ ଦଳକୁ ପରାଜୟର ଗଣ୍ଡି ଭିତରକୁ ଠେଲିଦେଉଛି। ଅନ୍ୟ ରାଜ୍ୟରେ ବିଧାନସଭା କ୍ଷେତ୍ରରେ ବିଜେପିର ବିଜୟର ପ୍ରଭାବ ଓଡ଼ିଶାରେ ଆଗାମୀ ନିର୍ବାଚନରେ ପଡିବ ବୋଲି ରାଜ୍ୟସ୍ତରର କିଛି ନେତା ବିବୃତି ରଖୁଛନ୍ତି। କିନ୍ତୁ ଦଳର ଭିତ୍ତିଭୂମି ନ ସଜାଡି ଦଳକୁ ପ୍ରତିଦ୍ବନ୍ଦ୍ବି ଭୂମିକାକୁ ନ ନେଇ ଏପ୍ରକାର ଆସ୍ଫାଳନର କିଛି ମାନେ ନାହିଁ। ଓଡ଼ିଶାରେ କଂଗ୍ରେସର ସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ବିଜେପି ସେ ଧାରାକୁ ମୁହାଁଉଥିବା ନିକଟରେ ଅନୁଷ୍ଠିତ ନିର୍ବାଚନରୁ ପ୍ରମାଣ ମିଳିଛି। ତେବେ ସ୍ଥିତି ନ ସୁଧାରିଲେ ବିଜେପି ସଙ୍କଟରୁ ସୁଧୁରିବା ଆଶା କ୍ଷୀଣ। ଓଡ଼ିଶାରେ ଶାସକ ଦଳକୁ ମୁକାବିଲା କରିବା କ୍ଷେତ୍ରରେ ବିଜେପିର ରଣନୀତି କାହିଁକି କାମ ଦେଉନାହିଁ ସେ ବିଷୟରେ ଏବେ ଗଭୀର ଭାବେ ଆତ୍ମଚିନ୍ତନ କରିବାର ସମୟ ଆସିଛି। ଗୋଡଟଣା ନୀତି, ଗୋଷ୍ଠୀ କନ୍ଦଳରୁ ଊର୍ଦ୍ଧ୍ବକୁ ନ ଉଠିଲେ ବିଜେପି ଓଡ଼ଶାରେ ସମ୍ମାନଜନକ ସ୍ଥିତିକୁ ଆସିବାର ସମ୍ଭାବନା କ୍ଷୀଣ।

Comments are closed.