୨୫ ବର୍ଷ ପରେ ଲୋକସଭାରେ ବିଜେଡି ଶୂନ

ଭୁବନେଶ୍ୱର: ସଂସଦର ନିମ୍ନ ସଦନ ଲୋକସଭାରେ ୨୪ବର୍ଷ ପରେ ଆଞ୍ଚଳିକ ଦଳ ବିଜେଡି ପ୍ରତିନିଧିତ୍ବ କରିବା ସୁଯୋଗରୁ ବଞ୍ଚିତ ହୋଇଛି। ବିଜେଡି ଗଠନ ଦିନରୁ ପ୍ରଥମଥର ପାଇଁ ଦଳକୁ ଏପରି ବିପର‌୍ୟ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରତିଟି ନିର୍ବାଚନରେ ବିଜେଡିରୁ ଏକାଧିକ ସାଂସଦ ନିର୍ବାଚିତ ହେଉଥିବାବେଳେ ୨୦୨୪ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୨୦୧୪ରେ ଦଳର ସର୍ବାଧିକ ୨୦ଜଣ ସାଂସଦ ନିର୍ବାଚିତ ହୋଇଥିଲେ ୨୦୨୪ରେ ତାହା ଶୂନ(୦)ରେ ପହଞ୍ଚିଛି। ଓଡ଼ିଶାର ସମସ୍ୟା ଓ ଯୁକ୍ତିଯୁକ୍ତ ଦାବି ସମ୍ପର୍କରେ ଆଞ୍ଚଳିକ ଦଳଭାବେ ବିଜେଡି ଏଥର ସଂସଦରେ ସ୍ବର ଉଠାଇ ପାରିବନାହିଁ। ଯାହା ଦଳ ପାଇଁ ଏବେ ବଡ଼ ସମସ୍ୟା ହୋଇ ଉଭା ହୋଇଛି।

ଓଡ଼ିଶାରେ ଆଞ୍ଚଳିକ ଦଳଭାବେ ୧୯୯୭ ଡିସେମ୍ବର ୨୬ରେ ବିଜେଡି (ବିଜୁ ଜନତା ଦଳ) ଗଠନ ପରେ ପ୍ରଥମଥର ପାଇଁ ୧୯୯୮ ସାଧାରଣ ନିର୍ବାଚନରେ ପଦାର୍ପଣ କରିଥିଲା। ଏହି ନିର୍ବାଚନରେ ବିଜେଡି ଆଶାଠାରୁ ଅଧିକ ସଫଳତା ପାଇଥିଲା। ଲୋକସଭା

ନିର୍ବାଚନରେ‌ ବିଜେଡି ୯, ବିଜେପି ୭ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୯୯୮ ନିର୍ବାଚନରେ ଆସ୍କା ଲୋକସଭା କ୍ଷେତ୍ରରୁ ବିଜୟ ହାସଲ କରି କେନ୍ଦ୍ରରେ ଖଣି ଓ ଇସ୍ପାତ ମନ୍ତ୍ରୀ ହୋଇଥିଲେ। ସେହି ବର୍ଷ କେନ୍ଦ୍ରରେ ମେଣ୍ଟ ସରକାର କାର‌୍ୟ୍ୟ ଅବଧି ଶେଷ ପୂର୍ବରୁ ଭାଙ୍ଗି ଯାଇଥିଲା। ୧୯୯୯ରେ ଦେଶବାସୀ ଆଉ ଏକ ସାଧାରଣ ନିର୍ବାଚନର ସମ୍ମୁଖୀନ ହୋଇଥିଲେ। ଏହି ନିର୍ବାଚନରେ ଓଡ଼ିଶାରେ ବିଜେଡି ୧୦, ବିଜେପି ୯ ଓ କଂଗ୍ରେସ ୨ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ବିଜେପି ଓ ବିଜେଡି ମେଣ୍ଟ ଗଠନ କରି ନିର୍ବାଚନକୁ ଓହ୍ଲାଇଥିଲେ। ଏଥିରେ ମେଣ୍ଟକୁ ଆଶାତୀତ ସଫଳତା ମିଳିଥିଲା। ବିଧାନସଭା ନିର୍ବାଚନରେ କଂଗ୍ରେସ ୨୬ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୩୮ ଓ ବିଜେଡି ୬୮ଟି ଆସନରେ ବିଜୟୀ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ମିଳିତଭାବେ ୧୦୬ଟି ଆସନରେ ବିଜୟୀ ହୋଇ ରାଜ୍ୟରେ ମେଣ୍ଟ ସରକାର ଗଠନ କରିଥିଲେ। ବିଧାନସଭା କାର‌୍ୟ୍ୟକାଳ ଶେଷ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆଗୁଆ ଭଙ୍ଗ କରିଦେଇଥିଲେ। ୨୦୦୪ରେ ଅନୁଷ୍ଠିତ ଲୋକସଭା ସହିତ ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ବିଜେପିକୁ ୭, ବିଜେଡିକୁ ୧୧, କଂଗ୍ରେସକୁ ୨ଟି ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌)କୁ ଗୋଟିଏ ଆସନ ମିଳିଥିଲା। ରାଜ୍ୟରେ ମଧ୍ୟ ବିଜେପି-ବିଜେଡି ମେଣ୍ଟ ସରକାର ଗଢ଼ିଥିଲା। ମୁଖ୍ୟମନ୍ତ୍ରୀଭାବେ ନବୀନ ପଟ୍ଟନାୟକ ପୁୁଣି ଥରେ ଶପଥ ନେଇଥିଲେ। ନିର୍ବାଚନରେ ମେଣ୍ଟ କରି ଉଭୟ ବିଜେପି ଓ ବିଜେଡିକୁ ସଫଳତା ମିଳୁଥିବାବେଳେ ୨୦୦୯ରେ ୧୧ବର୍ଷର ମେଣ୍ଟକୁ ଚ୍ଛିନ୍ନ କରିଥିଲା ବିଜେଡି। ଉଭୟ ବିଜେପି ଓ ବିଜେଡି ପୃଥକ ଭାବେ ନିର୍ବାଚନକୁ ଓହ୍ଲାଇଥିଲେ। ଏହି ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିଲା। ବିଜେଡି ବିଧାନସଭାରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ୧୦୮ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ଲୋକସଭାରେ ମଧ୍ୟ ବିଜେଡି ୧୪ଟି ଆସନ ପାଇଥିଲା। କଂଗ୍ରେସ ୬ଟି ଓ ସିପିଆଇ ଗୋଟିଏ ଆସନ ଜିତିଥିବାବେଳେ ବିଜେପି ଖାତା ଖୋଲିପାରିନଥିଲା। ୨୦୧୪ ନିର୍ବାଚନରେ ବିଜେଡି ସର୍ବାଧିକ ୨୦ଲୋକସଭା ସିଟ୍‌ରେ ବିଜୟୀ ହୋଇ ଇତିହାସ ରଚିଥିଲା। ବିଜେପି ଗୋଟିଏ ଆସନରେ ସନ୍ତୁଷ୍ଟ ରହିଥିଲା। ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡି ୧୧୭ଟି ସିଟ୍‌ରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ସାଧାରଣ ନିର୍ବାଚନ‌େ‌ର ଅଭୂତପୂର୍ବ ସଫଳତା ମିଳିଥିଲା। ଲୋକସଭାରେ ୧୨ଟି ଓ ବିଧାନସଭାରେ ୧୧୨ଟି ଆସନ ପାଇଥିଲା ଦଳ।

୧୨ଜଣ ବିଜେଡି ସାଂସଦ ଲୋକସଭାରେ ଆଞ୍ଚଳିକ ଦଳଭାବେ ଓଡ଼ିଶାର ସମସ୍ୟା ସହିତ ବିଭିନ୍ନ ଦାବି ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟିଆକର୍ଷଣ କରିବାରେ ସଫଳ ହୋଇଥିଲେ। ରାଜ୍ୟରେ ମଧ୍ୟ ବିଜେଡି ସରକାର ଗଠନ କରିଥିଲା। ୨୦୧୯ ପରି ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପୁଣି ଇତିହାସ ରଚିବ ବୋଲି ବିଜେଡି ନେତାମାନେ ଆଶା ରଖିଥିଲେ। ୨୦୧୪ ପରି ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠତା ପାଇବା ସହିତ ୧୭ରୁ ଊର୍ଦ୍ଧ୍ବ ଲୋକସଭା ଆସନରେ ବିଜୟ ହାସଲ କରିବ ବୋଲି ଦଳର ବହୁ ବରିଷ୍ଠ ନେତା ପୂର୍ବାନୁମାନ କରିଥିଲେ। ଦଳୀୟ ନେତାଙ୍କ ସହିତ ବିଭିନ୍ନ ଗଣମାଧ୍ୟମର ସମସ୍ତ ପୂର୍ବାନୁମାନକୁ ଭୁଲ୍‌ ପ୍ରମାଣିତ କରିଛି ୨୦୨୪ ନିର୍ବାଚନର ଫଳାଫଳ।

ପ୍ରତିଷ୍ଠା ଦିନରୁ ସମସ୍ତ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଆସୁଥିବାବେଳେ ପ୍ରଥମ ଥର ୨୦୨୪ରେ ବିପର‌୍ୟ୍ୟୟର ସାମ୍ନା କରିଛି। ସଂସଦରେ ଆଗାମୀ ଦିନରେ ବିରୋଧୀ ତଥା ଓଡ଼ିଶାର ଆଞ୍ଚଳିକ ଦଳ ଭାବେ ବିଜେଡିର ସ୍ବର ଶୁଣିବାକୁ ମିଳିବ ନାହିଁ।

Comments are closed.